ଶ୍ରାବଣ `ଗେଣ୍ଡାକଟା ଅମାବାସ୍ୟା` ବା ଗେଣ୍ଡା ପୂଜାର ଜାଣନ୍ତୁ ମହତ୍ୱ
ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ । ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି ।
ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ଚିତାଲାଗି ଅମାବାସ୍ୟା (Chitalagi amavasya) ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର (Shravan Month) ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ (Lord Jagannath) ଶୁଭ୍ର ହୀରା ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନ୍ନା ହୀରା ଖଚିତ ରତ୍ନ ଚିତା ଲାଗି କରାଯାଏ । ଏହା ଛଡ଼ା ଚିତଉ ଉଆଁସର ଓନ୍ୟ ଏକ ନାମ ମଧ୍ୟ ରହିଛି, ତାହା ହେଉଛି "ଗେଣ୍ଡେଇକଟା ଓଷା" । ବାଲେଶ୍ୱର, ମୟୂରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ "ଗେଣ୍ଡାକଟା ଅମାବାସ୍ୟା" କୁହାଯାଏ । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ (Aquatic animals) ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ (Sabar tradition) ଆନୀତ ବୋଲି ବିଦିତ । ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସାଧାରଣତଃ ଚାଷୀମାନେ (Farmers) ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହି ସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡା ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ।
ଚିତାଲାଗି ଅମାବାସ୍ୟାର ପୂଜାବିଧି
ଚିତଉ ଉଆଁସ ଦିନ ଘରରେ କେହି ଜଣେ ସଦସ୍ୟ ବା ପିଲାମାନେ ଗାଡ଼ିଆ, ପୋଖରି କିମ୍ବା ବିଲରୁ ୪/୫ ଟି ବଡ଼ ଗେଣ୍ଡା ଖୋଜି ଆଣିଥାନ୍ତି । ସେମାନଙ୍କୁ ଗଙ୍ଗା ଜଳରେ ଗାଧୋଇ, ସେମାନଙ୍କ ଦେହରେ ହଳଦି ବୋଳାଯାଏ । ସୂର୍ଯ୍ୟ ଅସ୍ତ ପୂର୍ବରୁ ବା ସଂଦ୍ଧ୍ୟା ପୂର୍ବରୁ ଗେଣ୍ଡା ପୁଜା ଆରମ୍ଭ ହୁଏ । ଆମ ପରମ୍ପାରା ଅନୁଯାଇ ଗେଣ୍ଡାପୂଜା ଭାରି ମନରୋମ । ଗାଡ଼ିଆ କିମ୍ବା ପୋଖରୀ ତୁଠରେ ଗୋବରରେ ଲିପି ଏକ ଛୋଟ ମାଟି ପିଣ୍ଡି କରାଯାଏ । ତା' ଉପରେ ଗେଣ୍ଡାମାନଙ୍କୁ ରଖି, ସେମାନଙ୍କ ମୁଣ୍ଡରେ ସିନ୍ଦୁର ଚନ୍ଦନ ଲଗାଯଆଇ ପୁଜା କରାଯାଏ । ଗେଣ୍ଡାଙ୍କ ଠାରେ ଚିତଉ ପିଠା ଭୋଗ ଲାଗେ । ଆଉ ଗୀତ ମଧ୍ୟ ବୋଲାଯାଏ ।
ଅଧିକ ପଢ଼ନ୍ତୁ: ଖରାପ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୭ ଟି ସଙ୍କେତ, କେବେବି କରନ୍ତୁ ନାହିଁ ଅଣଦେଖା
ଚିତାଲାଗି ଅମାବାସ୍ୟାର ବୋଲାଯାଉଥିବା ଗୀତ
''ଗେଣ୍ଡେଇଶୁଣିଲୋ ଗେଣ୍ଡେଇଶୁଣି...
ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ....
ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ....
ଆମ ଫସଲ କାଟିବୁ ନାହିଁ...। ''
ବିଶେଷ କରି ଉତ୍ତର ଓଡ଼ିଶାରେ ଗୃହିଣୀମାନେ ଘରେ ଚିତଉ ପିଠା ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାହାଙ୍କ ପାଇଁ ସମର୍ପଣ କରି ପୋଡ଼ନ୍ତି । ଏହି ସମୟରେ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଏମାନେ ଚାରାସବୁ କାଟି ପକାନ୍ତି । ପୁଣି ବଛା ଖେଳାବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି । କାରଣ ଆଣ୍ଠୁ ପକାଇ ବିଲ ବାଛିବା ବେଳେ ହାତ ଓ ଗୋଡ଼ ଭୂମି ସହିତ ଲାଗି ରହିଥାନ୍ତି । ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡା ଗୋଡ଼ ଆଣ୍ଠୁ କାଟିଦିଏ । ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗନ୍ତି । ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ନିବୃତ ରହନ୍ତି । ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କହନ୍ତି ।