Happy Mother’s day 2023: ଦୁନିଆର ସବୁଠାରୁ ସୁନ୍ଦର ଶଦ୍ଦ ହେଉଛି “ମାଆ" । ଏହି ଦୁଇଟି ଅକ୍ଷରୁ ହିଁ ଜୀବନର ଆରମ୍ଭ ହୋଇଥାଏ । ସଂସାରର ସର୍ବଶ୍ରେଷ୍ଠ ଆଧାର ହେଉଛି “ମାଆ”। ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ତା ପଣତକାନିରେ ସବୁ ଘୋଡାଇ ଦିଏ। ଗର୍ଭଧାରଣଠାରୁ ଆରମ୍ଭ କରି ପ୍ରସବ ଯନ୍ତ୍ରଣା ପର୍ଯ୍ୟନ୍ତ ସମସ୍ତ କଷ୍ଟକୁ ସେ ନିଜେ ଆପଣେଇ ନିଏ। ଆକାଶ ପରି ତା ହୃଦୟ ବିଶାଳ ଓ ନିର୍ମଳ। ସାଗର ପରି ଗଭୀର ତାର ଭଲ ପାଇବା। ପିତା ସ୍ୱର୍ଗ ହେଲେ ମାଆ ସ୍ୱର୍ଗାଦପୀ ଗରିୟସୀ। ବିପଦରୁ ପତିତଙ୍କୁ ରକ୍ଷା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ମାଆ। ନିଖିଳ ବ୍ରହ୍ମାଣ୍ଡର ସୃଷ୍ଟିଠାରୁ ଆରମ୍ଭ କରି ବିନାଶକାରୀ ପ୍ରଳୟର ସେ ଅଧିକାରିଣୀ। ସେ ହିଁ ଦୁର୍ଗା, ମହାମାୟୀ ଓ ଆଦ୍ୟଶକ୍ତି। ସଂସ୍କୃତରେ ଏକ ଶ୍ଲୋକ ଅଛି, “ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସୈ  ନମସ୍ତସୈ ନମସ୍ତସୈ ନମୋନମଃ”। ଏହି ଉପାସନା ସଂସାରରେ ମାଆ ମାନଙ୍କର ଶକ୍ତି ବର୍ଣ୍ଣନା କରିଥାଏ। ଛୋଟବେଳୁ ଆମେ ପୁରାଣରେ ଅନେକ ମାତାଙ୍କ ଗାଥା ଶୁଣି ଆସିଛୁ। ଅନେକ କାରଣ ପାଇଁ ସେମାନେ ସମସ୍ତେ ଆମର ପ୍ରେରଣା ଅଟନ୍ତି। ଗୋଟିଏ ପାର୍ଶ୍ୱରେ ମାଆ ସମଗ୍ର ମହିଳା ଜାତିକୁ ସୁଦୃଢ ଓ ଶକ୍ତିଶାଳୀ ହେବା ପାଇଁ ଶିକ୍ଷା ଦେଇଛନ୍ତି। ଅନ୍ୟ ପାର୍ଶ୍ୱରେ ସେହି ମାଆ ଦୟା, କ୍ଷମା ଓ ଶାନ୍ତିର ପ୍ରତୀକ ହୋଇ ଆବିର୍ଭାବ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ପାର୍ବତୀ- ହିନ୍ଦୁ ପୁରାଣ ଅନୁସାରେ, ମାତା ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପରି ତ୍ରୀଶକ୍ତିଙ୍କ ମଧ୍ୟରୁ ମାତା ପାର୍ବତୀ ଅନ୍ୟତମ। କାର୍ତ୍ତିକ ଯଦିଓ ତାଙ୍କର ପ୍ରଥମ ସନ୍ତାନ ଅଟନ୍ତି, ତେବେ ପ୍ରଭୁ ଗଣେଶଙ୍କର ଜନନୀ ଭାବେ ସେ ସାରା ସଂସାରରେ ପରିଚିତ। ନିଜ ହାତରେ ସେ ଗଣେଶଙ୍କୁ ଗଢି ତାଙ୍କୁ ଜୀବନ ଦାନ ଦେଇଥିଲେ। ଯଦି ମାତା ପାର୍ବତୀ ଗଣେଶଙ୍କର ଇଶ୍ୱରୀୟ ସ୍ଥିତି ପାଇଁ ଲଢି ନଥାନ୍ତେ, ବର୍ତ୍ତମାନ ଆମେ ଗଣେଶଙ୍କୁ ପୂଜା କରୁନଥାନ୍ତୁ। ନିଜ ଶିଶୁକୁ ସୁପ୍ରତିଷ୍ଠିତ କରିବା ପାଇଁ ଜଣେ ମାଆ କେଉଁ ସ୍ତରକୁ ଯାଇପାରନ୍ତି ଏହା ପାର୍ବତୀଙ୍କଠାରୁ ଶିକ୍ଷା ମିଳିଥାଏ।


କୌଶଲ୍ୟା-  ରାମାୟଣରେ ପ୍ରଭୁ ଶ୍ରୀରାମଙ୍କର ମାତା ଥିଲେ କୌଶଲ୍ୟା। ପୁରାଣ ଅନୁସାରେ, ସେ ଜଣେ ସ୍ନେହମୟୀ ନାରୀ ଭାବେ ଜଣାଶୁଣା। ସେ କ୍ଷମାର ପ୍ରତୀକ ଅଟନ୍ତି। ଶ୍ରୀରାମଙ୍କୁ କୈକେୟୀ ବନବାସ ପଠାଇବା ପରେ ଦଶରଥଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ନିଜର ବୈବାହିକ ସୁଖ ହରାଇ ଥିଲେ ମଧ୍ୟ ସେ କୈକେୟୀଙ୍କୁ କ୍ଷମା କରି ଦେଇଥିଲେ। ସେ ହେଉଛନ୍ତି କ୍ଷମା ଓ ନମ୍ରତାର ପ୍ରତୀକ।


ଦେବକୀ -ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରକୃତ ମାଆ ଓ ରାଜା କଂସଙ୍କର ଭଉଣୀ ଥିଲେ ଦେବକୀ। ଯେତେବେଳେ କଂସ ଜାଣିଲେ ଯେ, ଦେବକୀଙ୍କର ପୁତ୍ର ତାଙ୍କ ବିନାଶର କାରଣ ହେବ, ସେ ତାଙ୍କୁ ବନ୍ଦୀ କରି ରଖିଥିଲେ। ଦେବକୀଙ୍କ ୭ ଜଣ ଶିଶୁଙ୍କୁ ଜନ୍ମ ହେବା କ୍ଷଣି ତାଙ୍କ ଆଖି ଆଗରେ ହତ୍ୟା କରିଥିଲା କଂସ। ପରେ ଅଷ୍ଟମ ସନ୍ତାନ ଭାବେ କୃଷ୍ଣ ଜନ୍ମ ହେବା ପରେ ବାସୁଦେବ କୃଷ୍ଣଙ୍କୁ କଂସଙ୍କଠାରୁ ଦୂରେଇ ରଖିଥିଲେ। ମାତା ଦେବକୀ ହେଉଛନ୍ତି ସହିଷ୍ଣୁତାର ପ୍ରତୀକ। ନିଜ ଆଖି ଆଗରେ ସେ ନିଜ ନିଷ୍ପାପ ଶିଶୁଙ୍କ ହତ୍ୟା ହେବାର ଦେଖିଛନ୍ତି। ବୋଧହୁଏ ସେ ଜାଣିଥିଲେ ଯେ, ତାଙ୍କର ଅଷ୍ଟମ ସନ୍ତାନ ଭଗବାନ ଅଟନ୍ତି, ଯେ କି ତାଙ୍କୁ ଦିଆଯାଇଥିବା ଯନ୍ତ୍ରଣା ଭୋଗିବାକୁ ଶକ୍ତି ଦେଇଥିଲେ।


ଯଶୋଦା- ଗୋପପୁରର ଗାଁ ମୁଖିଆ ନନ୍ଦଙ୍କର ପତ୍ନୀ ଥିଲେ ଯଶୋଦା। ସେ ଭଗବାନ କୃଷ୍ଣଙ୍କର ପାଳିତା ମାଆ ଭାବେ ଜଣାଶୁଣା। କୃଷ୍ଣ ଯେତେବେଳେ ଘରେ ଘରେ ପଶି ଦହି ଲବଣୀ ଚୋରାଇ ଖାଆନ୍ତି, ଗୋପୀ ମାନେ ଯଶୋଦାଙ୍କ ପାଖରେ ଆସି ଅଭିଯୋଗ କରନ୍ତି। କୃଷ୍ଣଙ୍କର ଦୋଷ ଥିବା ଜାଣି ମଧ୍ୟ ସବୁ ଅଭିଯୋଗକୁ ଅଣଦେଖା କରି ଦିଅନ୍ତି ଯଶୋଦା। ଏଥିରୁ ତାଙ୍କର ସନ୍ତାନଙ୍କ ପ୍ରତି ଅତୁଟ ଭଲ ପାଇବା ଜଣା ଯାଇଥାଏ। ଜଣେ ପାଳିତା ମାଆ ହେଲେ ମଧ୍ୟ ସାବତ ସନ୍ତାନଙ୍କ ପ୍ରତି ତାଙ୍କର ଅନ୍ଧ ପରି ଭଲ ପାଇବା ଚିର ସ୍ମରଣୀୟ ଅଟେ।