Heart Attack: ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏକ ଗମ୍ଭୀର ରୋଗର ରୂପ ନେଇଛି ।ପରିବର୍ତ୍ତିତ ଓ ଖରାପ ଜୀବନଶୈଳୀ ତଥା ଖାଦ୍ୟପେୟର ଅନିୟମିତତା କାରଣରୁ ଭାରତରେ ହାର୍ଟ ଆଟାକର ଆଶଙ୍କା ବଢ଼ିବାରେ ଲାଗିଛି। ଯୁବପିଢ଼ିଙ୍କ ଜୀବନଶୈଳୀ ଏବେ ଫାଷ୍ଟଫୁଡ୍ ବା ତେଲଭାଜି ଖାଦ୍ୟ ସହିତ ବେଶ ଜଡ଼ିତ। ଏହା ସହିତ ଶାରୀରିକ ପରିଶ୍ରମର ଅଭାବ, ଏହି ଦୁଇ ହାର୍ଟ ଆଟାକର ବଡ଼ କାରଣ । ସେହିପରି ବିନା ଡାକ୍ତରୀ ପରାମର୍ଶରେ ଅତ୍ୟଧିକ ବ୍ୟାୟାମ କରିବା ଯୋଗୁଁ ମଧ୍ୟ ହାର୍ଟ ଆଟାକ (Heart Attack) ହେବାର ନଜର ରହିଛି।  


COMMERCIAL BREAK
SCROLL TO CONTINUE READING

ହାର୍ଟ ଆଟାକର କାରଣ:


- ୪୫ ବର୍ଷରୁ ଅଧିକ ବୟସ୍କ ପୁରୁଷ ଓ ୫୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କଠାରେ ସାଧାରଣତଃ ହୃଦଘାତ(Heart Attack) ର ଆଶଙ୍କା ଅଧିକ।


-ଆପଣଙ୍କ ପରିବାରରୁ କାହାକୁ ଯଦି ହୃଦଘାତ ହୋଇଥାଏ, ତେବେ ହାର୍ଟ ଆଟାକର ରିସ୍କ ଅଧିକ ଥାଏ।


-ସମୟ ସହିତ, ଉଚ୍ଚ ରକ୍ତଚାପ (High Blood Pressure) ଆପଣଙ୍କ ଧମନୀକୁ ନଷ୍ଟ କରିଦିଏ ଫଳରେ ହାର୍ଟକୁ ରକ୍ତ ଅମ୍ଳଜାନ ମିଳିପାରି ନଥାଏ। ଫଳରେ ହୃଦଘାତ ହେବାର ଆଶଙ୍କା ଅଧିକ।


- ଖରାପ କୋଲେଷ୍ଟେରୋଲ (bad cholesterol) ଧମନୀକୁ ସଙ୍କୋଚିତ କରିଦିଏ, ଯାହା ହାର୍ଟ ଆଟାକର କାରଣ ହୋଇଥାଏ।


-ଡାଇବେଟିସ୍‌, ଧୂମପାନ, ମେଦବହୁଳତା, ବ୍ୟାୟାମର ଅଭାବ, ମଦ୍ୟପାନ, ଚାପ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ମଧ୍ୟ ହାର୍ଟ ଆଟାକର କାରଣ ହୋଇଥାଏ।


ହାର୍ଟ ଆଟାକର ଚିକିତ୍ସା (Heart Attack Treatment):


ଯଦି ଆପଣ ହାର୍ଟ ଆଟାକର କୌଣସି ଲକ୍ଷଣ ବିଷୟରେ ଜାଣିବାକୁ ପାଉଛନ୍ତି, ତେବେ ତୁରନ୍ତୁ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ପ୍ରଥମେ ଡାକ୍ତର ଆପଣଙ୍କର ରକ୍ତଚାପ ଯାଞ୍ଚ କରିବେ । ଏହାଛଡ଼ା ଡାକ୍ତର ଆପଣଙ୍କର ଇସିଜି ଓ ରକ୍ତ ପରୀକ୍ଷା କରିବେ ।


ଯଦି ଆପଣଙ୍କର ହୃଦଘାତ ହୋଇଛି କିମ୍ବା ଅଛି, ତେବେ ଡାକ୍ତର ଆପଣଙ୍କର ଅତିରିକ୍ତ ପରୀକ୍ଷା ମଧ୍ୟ କରିପାରନ୍ତି, ଯେପରିକି ଛାତି ଏକ୍ସରେ (Chest X-ray),  ଇକୋକାର୍ଡିଓଗ୍ରାମ୍‌ (Echocardiogram), ଆଞ୍ଜିଓଗ୍ରାମ୍‌ (Angiogram), କାର୍ଡିଆକ୍‌ ସିଟି ତଥା ଏମଆରଆଇ (MRI) । ଏହାକୁ ଆଧାର କରି ଡାକ୍ତର ଚିକିତ୍ସା କରିଥାନ୍ତି ।


କିଛି ଲୋକ ହାର୍ଟ ଆଟାକର ଲକ୍ଷଣକୁ ଥକ୍କାପଣ ବା ପ୍ରେସର ବୋଲି ଦର୍ଶାଇ ଚିକିତ୍ସା କରିବାରେ ବିଳମ୍ବ କରିଥାନ୍ତି । ମନେରଖନ୍ତୁ, ଚିକିତ୍ସା ବିଳମ୍ବରେ ହେଲେ ହାର୍ଟର ମାଂସପେଶୀରେ ଅଧିକ କ୍ଷତି ହୋଇ ଏହାର କାର୍ଯ୍ୟ କ୍ଷମତାକୁ କମାଇ ଦେଇଥାଏ । ସେତେବେଳକୁ ନେଡ଼ି ଗୁଡ଼ କହୁଣୀକୁ ବୋହିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଥିବ । ତେଣୁ ବେଳ ଥାଉ ଥାଉ ସତର୍କ ରହନ୍ତୁ, ହାର୍ଟ ଆଟାକକୁ ଚିହ୍ନନ୍ତୁ ।