Milk Prices Rise: ଯଦି ଆପଣ ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ପ୍ରତିଦିନ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଥାଏ । ଆୟୁର୍ବେଦ ଅନୁଯାୟୀ, କ୍ଷୀର(Milk) ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ହୋଇଥାଏ । ବିଶେଷଜ୍ଞମାନେ ମତ ଦିଅନ୍ତି ଯେ, ଏକ ଗ୍ଲାସ୍ କ୍ଷୀର ପିଇବା ଦ୍ବାରା ଶରୀରକୁ ପୂର୍ତ୍ତି ଅନୁଭୂତ ହୋଇଥାଏ । ତେବେ ସକାଳ ପାଇଲେ ଘରେ ଘରେ ଖୋଜା ଯାଉଥିବା କ୍ଷୀରର ମୂଲ୍ୟ ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କ୍ଷୀରର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ଦୁଗ୍ଧ କିଣିବା କଷ୍ଟକର ହୋଇ ପଡୁଛି। ଦିଲ୍ଲୀର ଦୁଗ୍ଧ ଯୋଗାଉଥିବା ମଦର ଡେରୀ (Mother Dairy) ଡିସେମ୍ବରରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା।  ପରେ ୨୦୨୨ ମସିହାରେ ଦୁଗ୍ଧ ମୂଲ୍ୟରେ ଏହା ପଞ୍ଚମ ଥର ବୃଦ୍ଧି ଘଟିଥିଲା । ବର୍ତ୍ତମାନ ଅନ୍ୟ ଏକ ଦୁଗ୍ଧ ଯୋଗାଣକାରୀ କମ୍ପାନୀ ଅମୂଲ (Amul) ମଧ୍ୟ କ୍ଷୀରର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି।


COMMERCIAL BREAK
SCROLL TO CONTINUE READING

ନଭେମ୍ବରରେ ଅମୂଲ କ୍ଷୀରର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇଥିଲା। ଦେଶରେ ଦୁଗ୍ଧ ମୂଲ୍ୟ ୨୦୨୨ ମସିହା ପରେ ପ୍ରତି ମାସରେ ହାରାହାରି ୧୦ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଗୋଟିଏ ଲିଟର କ୍ଷୀରର ଖୁଚୁରା ମୂଲ୍ୟ ୩୧ ଡିସେମ୍ବର ୨୦୨୧ ମସିହାରେ ୪୯.୯୦ ଟଙ୍କା ରହି ଥିବାବେଳେ ୩୧ ଡିସେମ୍ବର ୨୦୨୨ ମସିହାରେ ଏହାର ମୂଲ୍ୟ ୫୫.୪୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଭାରତ କେବଳ ନିଜ ଆବଶ୍ୟକତା ପାଇଁ ଦୁଗ୍ଧ ଉତ୍ପାଦନ କରେ ତାହା ନୁହେଁ ଏହା ଅନେକ ଦେଶର ଆବଶ୍ୟକତାକୁ ମଧ୍ୟ ପୂରଣ କରିଥାଏ। ବିଶ୍ୱ ଦୁଗ୍ଧ ଉତ୍ପାଦନରେ ଭାରତ ପ୍ରାୟ ୨୫ ପ୍ରତିଶତ ଯୋଗଦାନ କରିଥାଏ ।


କାହିଁକି ବଢି ଚାଲିଛି କ୍ଷୀର ଦର?


ଯଦି ଆମେ କ୍ଷୀରର ମୂଲ୍ୟ ବିଷୟରେ ଆଲୋଚନା କରିବା, ତେବେ ସବୁଠାରୁ ବଡ ଅଂଶ ଏଥିରେ ଆସେ, ପଶୁ ଜାତୀୟ ଖାଦ୍ୟ ଯାହା ସମୁଦାୟ ମୂଲ୍ୟର ପ୍ରାୟ ୭୫ ପ୍ରତିଶତ ଓ ଅନ୍ୟ ସମସ୍ତ ଖର୍ଚ୍ଚ ବାକି ୨୫ ପ୍ରତିଶତରେ ଆସିଥାଏ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଗତ ୧୨ ମାସ ମଧ୍ୟରେ ପଶୁ ଖାଦ୍ୟର ମୂଲ୍ୟରେ ୨୮ ରୁ ୩୧ ପ୍ରତିଶତ ବୃଦ୍ଧି ପାଇଛି, ଯାହା କ୍ଷୀରର ମୂଲ୍ୟ ବୃଦ୍ଧି ହେବାର ସବୁଠାରୁ ବଡ଼ ଓ ମୁଖ୍ୟ କାରଣ ବୋଲି କୁହାଯାଉଛି ।


ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦେଶକୁ ଚଳିତ ବର୍ଷ ଘିଅ ଓ ଲହୁଣୀକୁ ଆମଦାନୀ କରିବାକୁ ପଡି଼ପାରେ। ଏହା ପଛର ସବୁଠାରୁ ବଡ଼ କାରଣ ହେଉଛି ଗତ ବର୍ଷ ସାରା ଦେଶରେ ପଶୁମାନଙ୍କ ମଧ୍ୟରେ ବ୍ୟାପିଥିବା ଚର୍ମ ରୋଗ। ୨୦୨୧-୨୨ ବର୍ଷରେ ୨୨୧ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଥିଲା, ଯାହା ଗତ ବର୍ଷ ତୁଳନାରେ ୬.୨୫ ପ୍ରତିଶତ ଅର୍ଥାତ୍ ୨୦୮ ନିୟୁତ ଟନ୍ ଥିଲା । କିନ୍ତୁ ଗତ ବର୍ଷ ପଶୁମାନଙ୍କ ରୋଗ ହେତୁ ଏହି ସଂଖ୍ୟା ହ୍ରାସ ପାଇଛି। ଏଥି ସହିତ ଚଳିତ ବର୍ଷ ଘରୋଇ ଚାହିଦା 8-10 ପ୍ରତିଶତରୁ ଅଧିକ ଅଟେ । ଏହି କାରଣରୁ ଭାରତକୁ ଚଳିତ ବର୍ଷ ଘିଅ ଓ ଲହୁଣୀ ଆମଦାନୀ କରିବାକୁ ପଡି଼ପାରେ।



ଚଳିତ ବର୍ଷର ମୁଦ୍ରାସ୍ପିତି କଣ କହେ?


୨୦୨୦ ମସିହାରେ କୋଭିଡ଼ ସମୟରେ ଲକଡାଉନ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାସ୍ତାଘାଟ ସମେତ ଦୋକାନ ବଜାର ସବୁ ବନ୍ଦ ହୋଇଯାଇଥିଲା। ଏହି ସମୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ହୋଟେଲ ଇଣ୍ଡଷ୍ଟ୍ରି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ବିବାହ, ବ୍ରତଘର ସହ ଅନ୍ୟାନ୍ୟ ସାର୍ବଜନୀନ କାର୍ଯ୍ୟ ଗୁଡି଼କ ଉପରେ ରୋକ ଲଗାଯାଇଥିଲା। ଏହି ସମୟରେ ହୋଟେଲ, ରେଷ୍ଟୁରାଣ୍ଟ, ମିଠା ଦୋକାନ ଓ କ୍ୟାଣ୍ଟିନ ଗୁଡି଼କ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ଲୋକେ। ଏହା ଫଳରେ ଦୁଗ୍ଧ ଓ ବିଭିନ୍ନ ଦୁଗ୍ଧ ଜାତୀୟ ପଦାର୍ଥ ଗୁଡିକର ଚାହିଦା କମିବାରେ ଲାଗିଥିଲା। ଏହା ଫଳରେ ୨୦୨୦ ମସିହା ଏପ୍ରିଲ ମାସରୁ ଜୁଲାଇ ମାସ ମଧ୍ୟରେ ଦୁଗ୍ଧ କମ୍ପାନୀ ମାନେ କ୍ଷୀର କ୍ରୟ ମୂଲ୍ୟ ହ୍ରାସ କରିଥିଲେ। ଏହି ସମୟରେ ଗାଈ କ୍ଷୀରର କ୍ରୟ ମୂଲ୍ୟ ଉପରେ ୧୮ରୁ ୨୦ ଟଙ୍କା ଓ ମଇଁଷି କ୍ଷୀରର କ୍ରୟ ମୂଲ୍ୟ ଉପରେ ୩୦ରୁ ୩୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ଏହା ସହିତ ସ୍କିମ୍‌ ମିଲ୍କ ପ୍ରାଇସ୍‌ (MSP) ୧୪୦ରୁ ୧୫୦ ଟଙ୍କା , ବଟର ୨୦୦ରୁ ୨୨୫ ଟଙ୍କା ଓ ଘିଅ ୮୦ ରୁ ୨୯୦ ଟଙ୍କା ପର୍ଯ୍ୟନ୍ତ କିଲୋଗ୍ରାମ ପ୍ରତି ହ୍ରାସ ହୋଇଥିଲା।


ଦୁଗ୍ଧର କ୍ରୟ ମୂଲ୍ୟରେ ହ୍ରାସ ହେବା ଯୋଗୁଁ ଚାଷୀମାନଙ୍କୁ ତାଙ୍କର ଉଚିତ୍ ମୂଲ୍ୟ ମିଳିପାରିନଥିଲା। ଏପରିକି ଏହି ମୂଲ୍ୟ ଗାଈ ଓ ମଇଁଷିଙ୍କର ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ନିଅଣ୍ଟ ଥିଲା। ଉପଯୁକ୍ତ ଖାଦ୍ୟାଭାବରୁ ଦୁଗ୍ଧ ଉତ୍ପାଦନ ମଧ୍ୟ ହ୍ରାସ ପାଇବାରେ ଲାଗିଲା। ଅପରପକ୍ଷେ ଗୋଖାଦ୍ୟର ହାରାହାରି ମୂଲ୍ୟ ୨୦୨୦-୨୧ ମସିହାରେ କିଲୋଗ୍ରାମ ପିଛା ୧୬-୧୭ ଓ ୨୦୨୨ ମସିହା ମଧ୍ୟ ଭାଗରେ ୨୨-୨୩ ଟଙ୍କାକୁ ବୃଦ୍ଧି ପାଇଥିଲା । କପା ବିହନ, ମକା ମଞ୍ଜି ଓ ବାଦାମ ଚୋପାର ମୂଲ୍ୟ ବୃଦ୍ଧି ହେବା ସହ ସୋୟାବିନ୍, ଧାନ ଚୋପା ଗୁଡିକର ମଧ୍ୟ ଆହେତୁକ ମୂଲ୍ୟ ବୃଦ୍ଧି ଘଟିଥିଲା।



୨୦୨୧ ଓ ୨୦୨୨ ମସିହାରେ ଖରାପ ଅମଳ ଯୋଗୁଁ ନଡା଼ ଗୁଡିକ ସଠିକ୍ ଭାବରେ ବୃଦ୍ଧି ପାଇ ନଥିଲା। ସେହିପରି ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଗୋଖାଦ୍ୟର (Cattle Feed) ଅଭାବ ଦେଖା ଦେଇଥିଲା। ଏହି ସମୟରେ ଗୋ ଖାଦ୍ୟର ଦର ଆକାଶ ଛୁଆଁ ହୋଇଥିଲା। ତେଣୁ ଗୋରୁ ପାଳକ ମାନେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏହା ଭିତରେ ୨୦୨୨ ଜୁଲାଇରୁ ସେପ୍ଟେମ୍ବର ମାସରେ ସାରା ଦେଶରେ ଗୋରୁ ମାନଙ୍କଠାରେ ଲମ୍ପି ଭାଇରସ (Lumpy virus) ଯୋଗୁଁ ମହାମାରୀ ରୂପ ନେଇଥିଲା। ଏଥି ଯୋଗୁଁ ମଧ୍ୟ ଭାରତୀୟ ଦୁଗ୍ଧ ବଜାରରେ ଘୋର ପ୍ରଭାବ ପଡ଼ିଥିଲା।


ଗୋଟିଏ ଭାରତୀୟ ନିଜ ଖାଦ୍ୟରେ ମୋଟ ଖର୍ଚ୍ଚର ପ୍ରାୟ ୨୦ ପ୍ରତିଶତ କ୍ଷୀରରେ ଖର୍ଚ୍ଚ କରିଥାଆନ୍ତି। ଜାତୀୟ ନମୂନା ସର୍ଭେ (NSS)ର ୬୮ ତମ ରାଉଣ୍ଡ (୨୦୧୧-୧୨) ଅନୁଯାୟୀ ଗ୍ରାମାଞ୍ଚଳର ଲୋକମାନେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ମାସକୁ ୧୧୬ ଟଙ୍କା ଖର୍ଚ୍ଚ କରିଥାଆନ୍ତି। ସେହିପରି ସହରରେ ଏହାର ମୂଲ୍ୟ ଅଧିକ ଅଟେ। ସହରରେ ଲୋକ ମାନେ ପ୍ରତ୍ୟେକ ମାସରେ ଖାଦ୍ୟ ପାଇଁ ୯୨୩ ଟଙ୍କା ଖର୍ଚ୍ଚ  କରୁଥିବା ବେଳେ ଏଥି ମଧ୍ୟରୁ କ୍ଷୀର ପାଇଁ ୧୮୭ ଟଙ୍କା ଖର୍ଚ୍ଚ କରିଥାଆନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ, ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ସମସ୍ତ ବର୍ଗର ଲୋକଙ୍କ ମଧ୍ୟରେ କ୍ଷୀରର ଚାହିଦା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ କ୍ଷୀରର ମୂଲ୍ୟ ବୃଦ୍ଧି ଭାରତୀୟ ମାନଙ୍କ ପାଇଁ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇପାରେ।


ଏହା ବି ପଢନ୍ତୁ-Muslim Priest in Hindu Temple: ଏହି ହିନ୍ଦୁ ମନ୍ଦିରରେ ମୁସଲମାନ ପୂଜାରୀ କରନ୍ତି ମାଆଙ୍କ ପୂଜାର୍ଚ୍ଚନା, ପଛରେ ରହିଛି ଏହି କାରଣ!