General Election:ନିର୍ବାଚନୀ ଆଚରଣ ସଂହିତା ଲାଗୁ ହେବା ସହିତ କ’ଣ ସବୁ ହୁଏ ପ୍ରତିବନ୍ଧିତ ?
ନିର୍ବାଚନ ଆୟୋଗ ଶନିବାର ଦିନ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ସମଗ୍ର ଦେଶରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଯାଇଛି । ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ନିୟମକୁ ଆଚରଣ ସଂହିତା କୁହାଯାଏ।
General Election: ନିର୍ବାଚନ ଆୟୋଗ ଶନିବାର ଦିନ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ସମଗ୍ର ଦେଶରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଯାଇଛି । ଦେଶରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ନିୟମକୁ ଆଚରଣ ସଂହିତା କୁହାଯାଏ। ନିର୍ବାଚନ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଏହା ଜାରି ରହିଥାଏ । କୋଡ୍ ଅଫ୍ କଣ୍ଡକ୍ଟ ବା ଆଦର୍ଶ ଆଚରଣ ସଂହିତା ରାଜନୈତିକ ଦଳ ଓ ସରକାରଙ୍କୁ ସେମାନେ କ’ଣ କରିବେ କ’ଣ କରିବେ ନାହିଁ ତାହା କହିଥାଏ । ଏହା ସହିତ ନିର୍ବାଚନରେ ଆଚରଣ ବିଧି କାର୍ଯ୍ୟକାରୀ ହେଲେ କିଛି ଜିନିଷ ଉପରେ ପ୍ରତିବନ୍ଧକ ଲାଗିଥାଏ । ଆସନ୍ତୁ ଜାଣିବା ଆଦର୍ଶ ନିର୍ବାଚନୀ ଆଚରଣବିଧି କ’ଣ ?
ଭାରତର ନିର୍ବାଚନ ଆୟୋଗ ରାଜନୈତିକ ଦଳଙ୍କ ସହମତିରେ ଆଚରଣ ବିଧି ପ୍ରସ୍ତୁତ କରେ। ଏହାର କାର୍ଯ୍ୟକାରିତା ସମୟରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ଉପରେ କିଛି ପ୍ରତିବନ୍ଧକ ଲଗାଯାଇଛି, ଯାହାଫଳରେ ସମସ୍ତ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସମାନ ପ୍ଲାଟଫର୍ମ ପାଇପାରିବେ। ଆସନ୍ତୁ ଜାଣିବା କେଉଁଥିପାଇଁ ଆଚରଣ ବିଧି ପ୍ରଯୁଜ୍ୟ ଏବଂ ନିର୍ବାଚନ ଆୟୋଗ ଏହାର ଉଲ୍ଲଂଘନ ଉପରେ କ’ଣ ପଦକ୍ଷେପ ନେଇପାରିବେ।
ନିର୍ବାଚନ ଆଚରଣ ସଂହିତା କାହା ପାଇଁ ପ୍ରଯୁଜ୍ୟ?
ନିର୍ବାଚନ ଆଚରଣ ବିଧି କେବଳ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ଏହା କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୁର୍ଣ୍ଣ କିମ୍ବା ଆଂଶିକ ଆର୍ଥିକ ଅନୁଦାନ ପ୍ରାପ୍ତ ସମସ୍ତ ସଂଗଠନ, କମିଟି, ନିଗମ ଇତ୍ୟାଦି ପାଇଁ ମଧ୍ୟ ପ୍ରଯୁଜ୍ୟ । ଏହି ସବୁ ସଂଗଠନଗୁଡିକଙ୍କ ଦ୍ୱାରା ନିର୍ବାଚନ କାଳରେ ନିଜ ସଫଳତାର ପ୍ରଚାର କରି ପାରିବେ ନାହିଁ କିମ୍ବା ନୂତନ ସବସିଡି ଘୋଷଣା କରି ପାରିବେ ନାହିଁ । ଯଦି ସେମାନେ ସେଭଳି କରନ୍ତି ତେବେ ତାହା ଆଚରଣ ବିଧି ଉଲ୍ଲଂଘନ ବୋଲି ବିବେଚନା କରାଯାଏ ।
ନିର୍ବାଚନ ଆଚରଣ ବିଧିରେ କେଉଁ ଜିନିଷ ନିଷେଧ?
ଥରେ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ, ଏକ ନିର୍ଦ୍ଦିଷ୍ଟ ପାର୍ଟିକୁ ଲାଭ ପହଂଚାଉଥିବା କୌଣସି କାର୍ଯ୍ୟକ୍ରମରେ ସର୍ବସାଧାରଣ ଟଙ୍କା ବ୍ୟବହାର କରାଯାଇପାରିବ ନାହିଁ ।
ନିର୍ବାଚନ ପ୍ରଚାର ପାଇଁ ସରକାରୀ ଯାନ, ସରକାରୀ ବିମାନ କିମ୍ବା ସରକାରୀ କଳର ବ୍ୟବହାର କରାଯାଇପାରିବ ନାହିଁ।
କୌଣସି ଦଳ କିମ୍ବା ପ୍ରାର୍ଥୀ ସରକାରୀ ଯାନ ବ୍ୟବହାର କରି ପାରିବେ ନାହିଁ।
ଆଚରଣ ବିଧି ଲାଗୁ କାଳରେ ସମସ୍ତ ପ୍ରକାର ସରକାରୀ ଘୋଷଣା, ଉଦ୍ଘାଟନ, ଭିତ୍ତି ପ୍ରସ୍ତର ସ୍ଥାପନ କିମ୍ବା ଭୁମି ପୂଜନ କାର୍ଯ୍ୟକ୍ରମ ନିଶିଦ୍ଧ
ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସଂପୃକ୍ତ ସମସ୍ତ ଅଧିକାରୀ /ପଦାଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ନିଷେଧ
ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆରେ ଦଳର ସଫଳତା ସମ୍ବନ୍ଧରେ ସରକାରୀ ଟଙ୍କାରେ ବିଜ୍ଞାପନ ମନା
ସରକାରୀ ଖର୍ଚ୍ଚରେ ଶାସକ ଦଳ ଦ୍ୱାରା ଲଗାଯାଇଥିବା ସମସ୍ତ ହୋର୍ଡିଂ / ବିଜ୍ଞାପନ ତୁରନ୍ତ ହଟାଯିବ।
ରାଲି,ଶୋଭାଯାତ୍ରା କିମ୍ବା ନିର୍ବାଚନ ସଭା ଆୟୋଜନ ପାଇଁ ପୋଲିସର ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ ହେବ।
କୌଣସି ରାଜନୈତିକ ଦଳ ଜାତି କିମ୍ବା ଧର୍ମ ଆଧାରରେ ଭୋଟ୍ ମାଗି ପାରିବେ ନାହିଁ।
ମନ୍ତ୍ରୀ / ରାଜନେତା / ରାଜନୈତିକ ଦଳଗୁଡିକ ସଂପର୍କିତ ବିଷୟକୁ ସଂପୃକ୍ତ ରାଜ୍ୟ / କେନ୍ଦ୍ର ସରକାରଙ୍କ ସରକାରୀ ୱେବସାଇଟରୁ ଅପସାରିତ କରାଯାଏ ।
କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସମର୍ଥନ ମୂଲ୍ୟ ନିର୍ଦ୍ଧାରିତ କରିବା ପାଇଁ ଶାସକ ଦଳକୁ ନିର୍ବାଚନ ଆୟୋଗଙ୍କ ସହ ପରାମର୍ଶ କରିବାକୁ ପଡିବ।
ଯଦି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୁଏ ତେବେ କ’ଣ ହେବ?
ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଆଚରଣ ବିଧି ନିୟମ ପାଳନ କରିବା ବାଧ୍ୟତାମୂଳକ ଅଟେ। ଆଚରଣ ସଂହିତା ଉଲ୍ଲଂଘନକୁ ଆୟୋଗ ଗୁରୁତର ସହ ଗ୍ରହଣ କରିବେ। ଉଲ୍ଲଂଘନକାରୀ ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଯେଉଁ ଅଞ୍ଚଳରେ ଉଲଂଘନ ଘଟିଛି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ।
ଘଟଣାର ଗମ୍ଭୀରତାକୁ ବିଚାରକୁ ନେଇ ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ମଧ୍ୟ ରୋକି ପାରିବେ। ଆବଶ୍ୟକ ହେଲେ ତାଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ଦାଖଲ କରାଯାଇପାରେ। ଆଚରଣ ବିଧି ଉଲ୍ଲଂଘନ ପାଇଁ ଜେଲ ଯିବାର ବ୍ୟବସ୍ଥା ମଧ୍ୟ ଅଛି