Hathras Stampede ; ଉତ୍ତରପ୍ରଦେଶର ହାଥ୍‌ରସ ଜିଲ୍ଲାରେ ପୁଲରାଇ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ  ଦଳାଚକଟା ଯୋଗୁଁ ୧୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ଖୋଜାଚାଲିଛି। ଡାକ୍ତରଖାନା ବାହାରେ ଶବମାନଙ୍କ ପଡ଼ି ରହିଥିବାରୁ ଘଟଣାର ଭୟାବହତା ଅଧିକ ଥିବା ସ୍ପଷ୍ଟ ହୋଇଛି।ଏମିତି ସ୍ଥିତିରେ ଉକ୍ତ ବାବା ଏବଂ ସତସଙ୍ଗ ଆୟୋଜନ ଉପରେ ପ୍ରଶ୍ନ ଉଠିଛି।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ଅଘଟଣକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ମୃତ ଲୋକମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।


COMMERCIAL BREAK
SCROLL TO CONTINUE READING

 ସୂଚନା ଅନୁଯା‌ୟୀ ‘ଭୋଲେ ବାବା’ ସତ୍‌ସଙ୍ଗ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି। ହାଥ୍‌ରସର ସିକନ୍ଦରା ରାଓ ଥାନା ଅଧୀନସ୍ଥ ଫୁଲରଇ ଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦ ହଜାରରୁ ଅଧିକ ଲୋକ ସମବେତ ହୋଇଥିଲେ। କାର୍ଯ୍ୟକ୍ରମ ସରିବା ମା‌ତ୍ରେ ବାହାରକୁ ଯିବା ଲାଗି ଲୋକମାନଙ୍କ ଏତେ ମାତ୍ରାରେ ଭିଡ଼ ବଢ଼ିଯାଇଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। କାର୍ଯ୍ୟକ୍ରମ ଯେଉଁ ପଡ଼ିଆରେ ଆୟୋଜିତ ହୋଇଥିଲା, ତାହାକୁ ଲାଗିକି ଥିବା ନାଳ ହୁଡ଼ା ଉପରେ ଲୋକେ ପାର୍ ହେଉଥିବା ବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ଫଳରେ ବହୁ ସଂଖ୍ୟକ ଲୋକ ନାଳ ଭିତରେ ଖସି ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରିବା ଲାଗି ଲୋକମାନେ ଦଳାଚକଟାର ଶିକାର ହୋଇଥିଲେ। ଚିତ୍କ‌ାର ଶୁଣି ଲୋକମ‌‌ାନେ ଦୌଡ଼ିବା ଆରମ୍ଭ କରିବାରୁ ପରିସ୍ଥିତି ଆହୁରି ଖରାପ ହୋଇପଡ଼ିଥିଲା। ସେଠାରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଭିଡ଼ ନିୟନ୍ତ୍ରଣ କରିବା ସମ୍ଭବ ନଥିଲା। ଆତଙ୍କିତ ଅବସ୍ଥାରେ ଦୌଡ଼ାଦୌଡ଼ି ବେଳେ ଯେଉଁମାନେ ତଳେ ପଡ଼ିଲେ, ସେମାନେ ଆଉ ଉଠିବା ଅବସ୍ଥାରେ ନଥିଲେ। ଲୋକମାନଙ୍କ ପାଦ ତଳେ ଚାପି ହୋଇ ‌ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଅଧିକାଂଶ ଲୋକ ଗୁରୁତର ଆହତ ହୋଇଥିଲେ।


 ସ୍ଥନୀୟଲୋକଙ୍କ କହିବାନୁଯାୟୀ ବାବା ଯାଉଥିବା କାରକୁ ରାସ୍ତା ଦେବାଲାଗି ଆୟୋଜନ ସଂସ୍ଥାର କର୍ମକର୍ତ୍ତମାନେ ଭିଡ଼କୁ ଅଟାଇବାରୁ ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଥିଲା।ଜିଲ୍ଲାପାଳ ଆଶିଷ କୁମାର କହିଛନ୍ତି ଯେ ଘରୋଇ ଭାବେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ଏସ୍‌ଡିଏମ୍‌ଙ୍କ ଅନୁମତି ଥିଲା।ମାତ୍ର ଯେତିକି  ଲୋକଙ୍କ ସମାଗମ ପାଇଁ ଅନୁମତି ଦିଆଯାଇଥିଲା, ସଂଖ୍ୟା ତା ଠାରୁ ଢେର ଅଧିକ ଥିଲା। ପ୍ରାୟ ୨୦ ହଜାର ଲୋକ ସମବେତ ହୋଇଥିଲେ। ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଆଗ୍ରା ଏଡିଜି ଏବଂ ଆଲିଗଡ଼ କମିସନରଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ରାଜ୍ୟ ମୁଖ୍ୟ ସଚିବ, ପୁଲିସ ମୁଖ୍ୟ ଏବଂ ଅନେକ ବରିଷ୍ଠ ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  


ରାଜ୍ୟ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଉଭୟ କ୍ଷେତ୍ରରେ ସମାନ ସହାୟତା ରାଶି ଘୋଷଣା କରିଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯାଇଥିବା ବେଳେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍‌ ହସ୍ପିଟାଲଗୁଡ଼ିକରେ ଆହତଙ୍କୁ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଉଛନ୍ତି।