ଅମ୍ବାଲାରେ ଅବତରଣ କଲା ରାଫେଲ, ସ୍ୱାଗତ କଲା ବାୟୁସେନା
ଭାରତ ମାଟିରେ ରାଫାଲ ଯୁଦ୍ଧ ଜାହାଜ। ପ୍ରତିକ୍ଷାର ଅନ୍ତ ଘଟାଇ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ହରିଆଣାର ଅମ୍ବାଲାଠାରେ ଭାରତମାଟିରେ ଅବତରଣ କରିଛି ୫ଟି ରାଫାଲ ବିମାନ।
ନୂଆଦିଲ୍ଲୀ: ଭାରତ ମାଟିରେ ରାଫାଲ ଯୁଦ୍ଧ ଜାହାଜ। ପ୍ରତିକ୍ଷାର ଅନ୍ତ ଘଟାଇ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଦେଢଘଣ୍ଟା ବିଳମ୍ବରେ ହରିଆଣାର ଅମ୍ବାଲାଠାରେ ଭାରତମାଟିରେ ଅବତରଣ କରିଛି ୫ଟି ରାଫାଲ ବିମାନ। ତେବେ ଏହା ପୂର୍ବରୁ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିବା ପରେ ନୌସେନା ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଯୁଦ୍ଧପୋତ ଆଇଏନଏସ କୋଲକାତା ସ୍ୱାଗତ କରିଛି। ଆଇଏନଏସ କୋଲକାତା ପକ୍ଷରୁ କୁହାଯାଇଛି ଯେ, ଏହା ଗର୍ବର ଉଡ଼ାଣ। ହାପି ଲାଣ୍ଡିଂ।
ପରେ ଭାରତୀୟ ଏୟାରଫୋର୍ସ ପକ୍ଷରୁ ସୁଖୋଇ ୩୦ ସେମାନଙ୍କୁ ସ୍ୱାଗତ କରିଥିଲେ। ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଦୁଇଟି ସୁଖୋଇ ୩୦ ଯୁଦ୍ଧ ଜାହାଜର କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇଛି। ସେପଟେ ଅବତରଣ ପାଇଁ ନିକଟତର ହେଉଥିବାରୁ ଅମ୍ବାଲା ନିକଟରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି। ରାଫେଲକୁ ସ୍ୱାଗତ କରିବେ ବାୟୁସେନା ମୁଖ୍ୟ ଆର କେ ଭଦୌରିଆ(R.K. Bhadauria)। ଅମ୍ବାଲା ଏୟାରବେସ ଓ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରାକୁ ଲାଗୁ କରାଯାଇଛି। ଏୟାରବେସକୁ ଲାଗିଥିବା ୪ଟି ଗାଁରେ ମଧ୍ୟ ଏହି ଧାରାକୁ ଲଗାଯାଇଛି। ଏକାଧିକ ବ୍ୟକ୍ତିଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି।
ମିଳିଥିବା ସୂଚନା ମୁତାବକ ରାଫାଲ ବିମାନକୁ ବାୟୁସେନାର ଗୋଲ୍ଡେନ ଏରୋ ସ୍କ୍ୱାର୍ଡନ ଟିମରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଏହି ସ୍କ୍ୱାର୍ଡନ କାରଗିଲ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇଥିଲା। ଏହି ସ୍କ୍ୱାର୍ଡନ ଦେଶର ପୁରାତନ ସ୍କ୍ୱାର୍ଡନ ମଧ୍ୟରୁ ଅନ୍ୟତମ। ତେବେ ପ୍ରଥମ ପର୍ଯ୍ୟାୟରେ ୫ଟି ଲଢୁଆ ବିମାନ ଆଜିଠାରୁ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି। ଶତ୍ରୁରାଷ୍ଟ୍ରଙ୍କୁ ଉଚିତ ଜବାବ ଦେବା ପାଇଁ ଏହି ବିମାନ ଗୁଡ଼ିକୁ ଉତ୍ତର ଭାରତରେ ପ୍ରଥମ କରି ନିୟୋଜିତ କରାଯିବ।
ସୋମବାର ଠାରୁ ଉଡ଼ାଣ ଭରିଥିବା ଏହି ୫ଟି ରାଫେଲ ବିମାନ ମଙ୍ଗଳବାର ଆବୁଧାବିର ଅଲ ଡଫରା ବିମାନ ବନ୍ଦରରେ ଅବତରଣ କରିଥିଲେ। ସେଠାରେ ଇନ୍ଧନ ଭର୍ତ୍ତି କରିବା ସହିତ ବିମାନ କର୍ମଚାରୀ, ପାଇଲଟ ବିଶ୍ରାମ ନେଇଥିଲେ। ଆବୁଧାବିରୁ ବୁଧବାର ସକାଳେ ଭାରତ ଅଭିମୁଖେ ଉଡ଼ାଣ ଭରିଥିଲେ। ଦିନ ପ୍ରାୟ ସାଢେ ୩ଟା ସମୟରେ ଭାରତର ଅମ୍ବାଲା ଠାରେ ଅବତରଣ କରିଛନ୍ତି।
ସମସ୍ତ ୫ଟି ଯାକ ରାଫାଲ ବିମାନ ଅବତରଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି। ରାଜନାଥ କହିଛନ୍ତି ଆଜିଠାରୁ ଭାରତରେ ରାଫାଲ ଯୁଗ ଆରମ୍ଭ। ରାଫେଲ ଭାରତୀୟ ବାୟୁସୀମାରେ ସାମିଲ ହେବା ପରେ ବାୟୁସେନା ଆହୁରି ଶକ୍ତିଶାଳୀ ହୋଇଛି। ସମସ୍ତ ରାଫେଲକୁ ୧୩୫ କୋଟି ଭାରତୀୟ ସ୍ୱାଗତ କରିଛନ୍ତି ବୋଲି ସେ କହିଛନ୍ତି।