ଗୁଜୁରାଟରେ ବର୍ଷା ନେଇଗଲା ୯ ଜୀବନ, ଏନଡିଆରଏଫ ପକ୍ଷରୁ ୩୦ ଉଦ୍ଧାର
ଗୁଜୁରାଟରେ ତାଣ୍ଡବ ସୃଷ୍ଟି କରିଛି ଭାରୀ ବର୍ଷା ।
ଗାନ୍ଧୀନଗର: ଗୁଜୁରାଟରେ ତାଣ୍ଡବ ମଚାଇଛି ଭାରୀ ବର୍ଷା । ବର୍ଷାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୯୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ହେଉଥିବା ଉଦ୍ଧାର କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (NDRF-National Disaster Response Force) ନିୟୋଜିତ କରାଯାଇଛି ।
ଏହି ବର୍ଷାରେ ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ସୋମବାର ବର୍ଷାରେ ପ୍ରଭାବିତ ହୋଇଥିବା ମୋରବି ଜିଲ୍ଲାର ଚିକାଲି ଗ୍ରାମରୁ ୩୦ ଲୋକଙ୍କୁ ଉଦ୍ଧାର କରିଛି ଏନଡିଆରଏଫ । ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ବିଗତ କିଛି ଦିନ ଧରି ଗୁଜୁରାଟର ବିଭିନ୍ନ ଭାଗରେ ବର୍ଷା ଜାରି ରହିଛି । ସୋମବାର ସକାଳ ପର୍ଯ୍ୟନ୍ତ ଗୁଜୁରାଟରେ ଆବଶ୍ୟକତା ଠାରୁ ଅଧିକ ୧୦୨ ପ୍ରତିଶତ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି ।
ଗତକାଲି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (Indian Meteorological Department-IMD) ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁସାରେ ଗୁଜୁରାଟ ଓ ରାଜସ୍ଥାନର ଦକ୍ଷିଣ-ପଶ୍ଚିମ ଭାଗରେ ଅଧିକ ବର୍ଷା ହେବାର ରହିଛି । ଏହି ସମୟ ମଧ୍ୟରେ ମାଛ ମାରିବା ଲାଗି ସମୁଦ୍ର ନଯିବା ଲାଗି ମତ୍ସ୍ୟଜୀବୀଙ୍କ ଉଦ୍ଦେଶ୍ୟରେ ଚେତାବନୀ ଜାରି କରାଯାଇଛି ।
ବିଗତ ୨୪ ଘଣ୍ଟା ମଧ୍ୟରେ ସୋମବାର ସକାଳ ପର୍ଯ୍ୟନ୍ତ ଗୁଜୁରାଟର ୩୩ଟି ଜିଲ୍ଲାର ୨୫୧ଟି ତାଲୁକରେ ବର୍ଷା ହୋଇଛି । ଏହା ସହିତ ଜାମନଗର, ମେହସନା, ମୋର୍ବି ଏବଂ ପାଟନ ଜିଲ୍ଲାର ୭ଟି ତାଲୁକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି ।