ଅମର ବଳିଦାନୀ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଏକ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି
( ଆମେ ଭାରତୀୟ । ଆମେ ଭାରତ ପାଇଁ ଜୀଇଁବା ଓ ତା ପାଇଁ ଜୀବନ ଦେବା । ଏହା ବିଶ୍ୱାସ ଭରସାର କଥା ଯାହାକୁ କେବେ ସାଲିସ୍ କରାଯାଇ ନପାରେ )
“We must live and die for India and her liberty. This is an article of faith with us and it admits of no compromise.”
( ଆମେ ଭାରତୀୟ । ଆମେ ଭାରତ ପାଇଁ ଜୀଇଁବା ଓ ତା ପାଇଁ ଜୀବନ ଦେବା । ଏହା ବିଶ୍ୱାସ ଭରସାର କଥା ଯାହାକୁ କେବେ ସାଲିସ୍ କରାଯାଇ ନପାରେ )
ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଏହି ଅନବଦ୍ୟ ଉଚ୍ଚାରଣ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ସମ୍ପର୍କରେ ଅନେକକଥା ସୂଚିତ କରାଏ । ଆଜି ଭାରତବର୍ଷ ଡଃ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ପାଳନ କରୁଛି ।
ନୂତନ ଭାରତର ନିର୍ମାଣ କ୍ଷେତ୍ରରେ ଡଃ ମୁଖାର୍ଜୀ ଯେଉଁ ଯଥାଯଥ ସ୍ଥାନରେ ନିରୂପିତ ହେବା କଥା ସେଥିରୁ କଥାକଥିତ ଇତିହାସକାରମାନେ ତାଙ୍କୁ ଉପେକ୍ଷା କରିଛନ୍ତି । ଜଣେ ନିଃସ୍ୱାର୍ଥପର ଦେଶଭକ୍ତଭାବେ ଭାରତବର୍ଷର ଗଣତାନ୍ତ୍ରିକ ଆତ୍ମୀୟତା ପ୍ରତି ଶ୍ୟାମାପ୍ରସାଦଙ୍କ ପ୍ରତିବଦ୍ଧତା ଥିଲା ଅନନ୍ୟ । ସେ କେବଳ ଭାରତ ଇତିହାସରେ ତାଙ୍କର ସୁସ୍ପଷ୍ଟ ପଦଚିହ୍ନ ଛାଡିଯାଇ ନାହାନ୍ତି, ବରଂ ଆଗାମୀ ପିଢି ପାଇଁ ବାର୍ତ୍ତା ରଖିଦେଇ ଯାଇଛନ୍ତି । ରାଷ୍ଟ୍ରୀୟ ଅଗ୍ରଗତି ନିମିତ୍ତ ଡଃ ମୁଖାର୍ଜୀଙ୍କ ଦୃଷ୍ଟିଭଙ୍ଗୀ ଥିଲା ଖୁବ୍ ନିଆରା ।
Also Read: ମୋଦି ମନ୍ତ୍ରୀମଣ୍ଡଳରେ ଏହି ନେତାଙ୍କ ସ୍ଥାନ ପକ୍କା! ଜାଣନ୍ତୁ କେଉଁ ନେତାମାନଙ୍କୁ ଡକାଗଲା ଦିଲ୍ଲୀ
ଶ୍ୟାମାପ୍ରସାଦଙ୍କ ଭାଷାରେ,
“Nations live or die according to the character of the people. Wealth, arms, munitions, disciplined armies and navies and air forces are of splendid service but the character of the people, the character in to which the youth is growing, determines the life or death of the nation.”
(ଗୋଟିଏ ରାଷ୍ଟ୍ରର ଉତ୍ଥାନ ଓ ଅବସାନ ସେ ରାଷ୍ଟ୍ରର ନାଗରିକ ମାନଙ୍କ ଚରିତ୍ର ଉପରେ ନିର୍ଭର କରେ । ଅର୍ଥ, ଶସ୍ତ୍ର, ଗୋଳାବାରୁଦ, ଶୃଙ୍ଖଳିତ ସେନା ଦେଶପାଇଁ ଆବଶ୍ୟକ । କିନ୍ତୁ ରାଷ୍ଟ୍ରର ଚରିତ୍ର ଉପରେ ଗୋଟେ ଦେଶର ପ୍ରାଣସଂଚାର ଓ ତାର ମୃତ୍ୟୁର ଅବଲୀଳା ଅନୁଷ୍ଠିତ ହୁଏ ) ।
ବାସ୍ତବରେ କହିବାକୁ ଗଲେ ଡଃ ମୁଖାର୍ଜୀ ଥିଲେ ଭାରତବର୍ଷର ଏଭଳିଜଣେ ବିରଳ ନେତୃତ୍ୱ ଯେକି ଏକା ସାଙ୍ଗରେ ରାଜନୀତି, ଅର୍ଥନୀତି, ବୈଦେଶିକ ନୀତି, ଜାତୀୟ ସ୍ୱାର୍ଥ, ଶିକ୍ଷା ଏବଂ ସାଂସ୍କୃତିକ ରାଷ୍ଟ୍ରବାଦ ଆଦି କ୍ଷେତ୍ରରେ ତାଙ୍କର ସୁସ୍ପଷ୍ଟ ପଦଚିହ୍ନ ଛାଡି଼ଯାଇଛନ୍ତି । ଯେଉଁମାନେ ତାଙ୍କ ଜୀବନକୁ ଅନୁଧ୍ୟାନ କରିଛନ୍ତି, ସେମାନେ ଏଥିସହ ନିଶ୍ଚିତଭାବେ ଏକମତ ହେବେ ଯେ ଆଧୁନିକ ଭାରତକୁ ଯଥାର୍ଥ ରୂପରେଖ ପ୍ରଦାନ କ୍ଷେତ୍ରରେ ଶ୍ୟାମାପ୍ରସାଦଙ୍କ (Dr. Syama Prasad Mukherjee) ର ଅବଦାନ ଥିଲା ଅତୂଳନୀୟ । ହିନ୍ଦୁ ମହାସଭାର ଅଧ୍ୟକ୍ଷ ଭାବେ ଡଃ ମୁଖାର୍ଜୀ ହିନ୍ଦୁ ସ୍ୱରର ଏକତ୍ରୀକରଣ କରିବା ସହ ମୁସଲିମ ଲିଗର ବିଭାଜନକାରୀ ନୀତିକୁ ପ୍ରଚଣ୍ତ ବିରୋଧ କରିଥିଲେ । ଅନ୍ୟପକ୍ଷରେ, ସେ ହିନ୍ଦୁ ମହାସଭାକୁ କେବଳ ହିନ୍ଦୁମାନଙ୍କ ମଧ୍ୟରେ ସୀମିତ ନରଖି ସାମୁହିକ ମାନବତାର ବିକାଶଦିଗରେ ପ୍ରୟାଗ କରିଥିଲେ ।
() ଶ୍ୟାମାପ୍ରସାଦ ଏକଦା ଭାରତ ବିଭାଜନ ତର୍କର ଘୋର ବିରୋଧୀ ଥିଲେ । କିନ୍ତୁ ୧୯୪୬ରେ ବଙ୍ଗ ଓ ପଞ୍ଜାବର ଭୟାବହ ସାଂପ୍ରଦାୟିକ ଦଙ୍ଗା ତାଙ୍କୁ ଭାରତ ବିଭାଜନ ତର୍କର ସମର୍ଥନ କରିବା ପାଇଁ ବାଧ୍ୟ କରିଥିଲା । ଡଃ ମୁଖାର୍ଜୀ ମହମ୍ମଦ ଅଲ୍ଲୀ ଜିହ୍ନାଙ୍କ ବୃହତ ପାକିସ୍ତାନର ପରିକଳ୍ପନାକୁ ଭଣ୍ଡୁର କରିଥିଲେ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ସମଗ୍ର ପଶ୍ଚିମବଙ୍ଗକୁ ପାକିସ୍ତାନ (Pakistan) ରେ ଅନ୍ତର୍ଭୁକ୍ତ କରିବା ଏହି ବୃହତ ପାକିସ୍ତାନ ପରିକଳ୍ପନାର ଅଂଶବିଶେଷ ଥିଲା ।
ଯେତେବେଳେ ଭାରତ ସ୍ୱାଧୀନତା ଲାଭ କଲା, ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ଡଃ ମୁଖାର୍ଜୀ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଗଠିତ ଅନ୍ତରୀଣ କେନ୍ଦ୍ର ସରକାରରେ ଶିଳ୍ପ ଓ ଯୋଗାଣ ବିଭାଗ ମନ୍ତ୍ରୀ ଭାବେ ଯୋଗ ଦେଇଥିଲେ । କେନ୍ଦ୍ର ଶିଳ୍ପମନ୍ତ୍ରୀ ଭାବେ ଡଃ ମୁଖାର୍ଜୀ ଭାରତୀୟ ଶିଳ୍ପର ପ୍ରଥମ ମଞ୍ଜି ବୁଣିଥିଲେ । ସେ ଭାରତୀୟ ଶିଳ୍ପନୀତିର ପ୍ରଥମ ମୂଳଦୁଆ ସ୍ଥାପନ କରିବା ସହ ଶିଳ୍ପ ବିକାଶନୀତିର କ୍ଷେତ୍ରପ୍ରସ୍ତୁତି କରିଥିଲେ । ଡଃ ମୁଖାର୍ଜୀଙ୍କ କାର୍ଯ୍ୟକାଳରେ ସର୍ବଭାରତୀୟ ହସ୍ତଶିଳ୍ପ ବୋର୍ଡ ( All India Handicrafts Board), ସର୍ବଭାରତୀୟ ହସ୍ତତନ୍ତ ବୋର୍ଡ (All India Handloom Board), କେନ୍ଦ୍ରୀୟ ସିଲ୍କ ବୋର୍ଡ (Central Silk Board), ଖଦୀ ଓ ଗ୍ରାମୀଣ ଉଦ୍ୟୋଗ ବୋର୍ଡ (Khadi and Village Industries Board), କପଡା ଗବେଷଣା କେନ୍ଦ୍ର (Textile Research Institute) ଏବଂ ଉଦ୍ୟୋଗିକ ବିତ୍ତ ନିଗମ (Industrial Financial Corporation) ଇତ୍ୟାଦି ପ୍ରତିଷ୍ଠା ହୋଇଥିଲା ।
ବର୍ଷ ୧୯୪୯ ରେ ପାକିସ୍ତାନରେ ଅବସ୍ଥିତ ହିନ୍ଦୁ ସଂଖ୍ୟାଲଘୁମାନେ ସେଠାକାର ମୁସଲମାନ କଠୋରପନ୍ଥୀମାନଙ୍କର କୃରତାର ଶୀକାର ହେଉଥିଲେ । ଏଥିରେ ଆତଙ୍କିତ ହୋଇ ବହୁ ହିନ୍ଦୁ ଶରଣାର୍ଥୀ ଭାରତରେ ଆଶ୍ରୟ ନେଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ (Jawaharlal Nehru) ପାକିସ୍ତାନର ତତ୍କାଳିନ ପ୍ରଧାନମନ୍ତ୍ରୀ ଲିୟାକତ୍ଅଲ୍ଲୀ ଖାନଙ୍କୁ ଆଲୋଚନା ପାଇଁ ନୂଆଦିଲ୍ଲୀ ଆମନ୍ତ୍ରଣ କରିଥିଲେ, ଯାହାକି ୧୯୫୦ ର ଦିଲ୍ଲୀଚୁକ୍ତି ପାଇଁ କ୍ଷେତ୍ରପ୍ରସ୍ତୁତି କରିଥିଲା ।
ଏହି ମିଳିତ ଚୁକ୍ତି "ଉଭୟ ଭାରତ (India) ଓ ପାକିସ୍ତାନ (Pakistan) ର ଧାର୍ମିକ ସଂଖ୍ୟାଲଘୁ ମାନଙ୍କର ଭୟ ଦୂରକରିବା" ସହ ଉଭୟ ଦେଶରେ ସଂଖ୍ୟାଲଘୁ କମିଶନର ପ୍ରତିଷ୍ଠା ଓ ସଂଖ୍ୟାଲଘୁ ଅଧିକାର ସାବ୍ୟସ୍ତ ପାଇଁ ଉଦ୍ଦିଷ୍ଟ ବୋଲି ଦାବି କରିଥିଲା। କିନ୍ତୁ ଡ.ମୁଖାର୍ଜୀ ତତ୍କାଳୀନ କେନ୍ଦ୍ର ସରକାରଙ୍କ ଲିୟାକତ ଅଲ୍ଲୀଙ୍କୁ ଆମନ୍ତ୍ରଣ କରିବାର ଘୋର ବିରୋଧି ଥିଲେ। ସେ ନେହେରୁ-ଲିୟାକତ ଚୁକ୍ତି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ନରମ ପାକିସ୍ତାନ ନୀତି ବିରୁଦ୍ଧରେ ଆପତ୍ତି ଯତାଇଥିଲେ। ଫଳତଃ ମୁଖାର୍ଜୀ ନେହେରୁ ସରକାରରୁ ଇସ୍ତଫା ଦେଇଥିଲେ।
ବୀର ସାବରକରଙ୍କ ସହ ଡଃ.ମୁଖାର୍ଜୀଙ୍କୁ ଆଧୁନିକ ହିନ୍ଦୁତ୍ୱର ଅନ୍ୟତମ ଜନତ ବୋଲି ଅଭିହିତ କରାଯାଏ। ତାଙ୍କପାଇଁ ରାଷ୍ଟ୍ରର ଆତ୍ମାକୁ ଉଦଘୋଷିତ କରିବାକୁ ହିନ୍ଦୁତ୍ୱ ଥିଲା ଏକ ବଳିଷ୍ଠ ମାଧ୍ୟମ। ତାଙ୍କ ପାଇଁ ଏହା ଥିଲା ଭାରତ ବର୍ଷର ମହାନ ସଭ୍ୟତା ଏବଂ ତାର ପବିତ୍ର ସଂସ୍କୃତିର ସ୍ରୋତ ଯାହା ବିଶ୍ୱଭ୍ରାତୃତ୍ୱର ବାର୍ତ୍ତା ବହନ କରେ।
ଡ. ମୁଖାର୍ଜୀ ୧୯୫୧ ମସିହାରେ ଭାରତୀୟ ଜନସଂଘ ପ୍ରତିଷ୍ଠା କରି ଭାରତବର୍ଷର ରାଜନୀତି (Indian Politics) ରେ ହିନ୍ଦୁତ୍ୱର ପ୍ରଥମ ସଫଳ ପ୍ରୟୋଗ କରିଥିଲେ। ହିନ୍ଦୁତ୍ୱ, ସାଂସ୍କୃତିକ ରାଷ୍ଟ୍ରବାଦ ଏବଂ ମୁକ୍ତ ବଜାର ଅର୍ଥନୀତିର ନିଅଁ ଉପରେ ଭାରତୀୟ ଜନସଂଘ ପ୍ରତିଷ୍ଠିତ ହୋଇଥିଲା।
“Political independence becomes meaningful only if it is accompanied by realisation of the National Self.”
(ରାଜନୀତିକ ସ୍ୱାଧିନତା ପ୍ରକୃତ ଅର୍ଥପୂର୍ଣ୍ଣ ହୁଏ ଯେତେବେଳେ ରାଷ୍ଟ୍ରର ଆତ୍ମାକୁ ହୃଦୟଙ୍ଗମ କରିହୁଏ।)
ଏହା ଜନସଂଘର ପ୍ରଥମ ଇସ୍ତାହାରରେ ଲେଖାଅଛି । ଜନସଂଘ ମାଧ୍ୟମରେ ଡ.ମୁଖାର୍ଜୀ ଏକ ସମାନ୍ତରାଳ ରାଜନୈତିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିପାରିଥିଲା। ଜନସଂଘ ଥିଲା କଂଗ୍ରେସ (Congress) ର ପ୍ରଥମ ବିରୋଧି ଦଳ। ୧୯୫୧ ମସିହାର ପ୍ରଥମ ସାଧାରଣ ନିର୍ବାଚନରେ ଜନସଂଘ ଡ.ମୁଖାର୍ଜୀଙ୍କ ସହ ତିନି ଜଣ ସଦସ୍ୟଙ୍କୁ ଲୋକସଭା (Loksabha) କୁ ପଠାଇଥିଲା। ଅନ୍ୟ ଛୋଟଛୋଟ ଦଳମାନଙ୍କ ସହ ମିଶି ଜନସଂଘ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (National Democratic Party) ଗଠନ କରିଥିଲା। ଉକ୍ତ ମେଣ୍ଟର ଅଧ୍ୟକ୍ଷ ଭାବରେ ଡ.ମୁଖାର୍ଜୀ ସର୍ବସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଥିଲେ। ବିରୋଧିଦଳ ନେତା ଭାବରେ ଡ. ମୁଖାର୍ଜୀଙ୍କୁ 'ସଂସଦର ସିଂହ' (Lion of the Parliament) ଭାବେ ଅଭିହତ କରାଯାଉଥିଲା।
ଜାମ୍ମୁ-କାଶ୍ମୀରକୁ ଅବଶିଷ୍ଟ ଭାରତରେ ମିଶ୍ରଣ କରାଇବାପାଇଁ ଡ. ମୁଖାର୍ଜୀ ସବୁଦିନପାଇଁ ସ୍ମରଣୀୟ ହୋଇ ରହିବେ। ଡ ମୁଖାର୍ଜୀଙ୍କ ନାରା ଥିଲା, "ଏକ ଦେଶ ମେଁ ଦୋ ପ୍ରଧାନ, ଦୋ ବିଧାନ, ଦୋ ନିଶାନ ନେହିଁ ଚଲଙ୍ଗେ, ନେହିଁ ଚଲେଙ୍ଗ"। (ଗୋଟିଏ ଦେଶରେ ଦୁଇ ପ୍ରଧାନମନ୍ତ୍ରୀ ପଦବୀ, ଦୁଇ ସମ୍ବିଧାନ, ଦୁଇ ଜାତୀୟ ପତାକା ଚାଲିପାରିବ ନାହିଁ)। ଡ. ମୁଖାର୍ଜୀଙ୍କର ଏହି ଧ୍ୱନି କାଶ୍ମୀରରେ ଭାରତ ପ୍ରେମର ବହ୍ନି ପ୍ରଜ୍ୱଳିତ କରିଥିଲା।
ବର୍ଷ ୧୯୫୩ । ସେ ସମୟରେ କାଶ୍ମୀର ଯିବାପାଇଁ ରାଜ୍ୟ ସରକାର (State Government) ଙ୍କ ଅନୁମତି ନେବାକୁ ହେଉଥିଲା। ଜାମ୍ମୁ-କାଶ୍ମୀରରେ ପ୍ରଚଳିତ ପରମିଟ ରାଜକୁ ବିରୋଧ କରିବାକୁ ଯାଇ ମୁଖାର୍ଜୀ ଭାରତୀୟ ନାଗରିକ ଭାବେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସେଠାରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଏହା ପ୍ରମାଣିତ କରିବାକୁ ଚାହୁଁ ଥିଲେଯେ ଜାମ୍ମୁ କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଏକ ଭାରତୀୟ ନାଗରିକର ଉକ୍ତ ପ୍ରଦେଶରେ ପ୍ରବେଶ ପାଇଁ କୌଣସି ଅନୁମତିର ଆବଶ୍ୟକତା ନାହିଁ। କିନ୍ତୁ ପଞ୍ଜାବର ଲକ୍ଷନପୁର ଦେଇ କାଶ୍ମୀରରେ ପ୍ରବେଶ କରୁଥିବା ସମୟରେ ତତ୍କାଳୀନ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ୟାମାପ୍ରସାଦଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ନିର୍ଜନ କାରାଗାରେରେ ବନ୍ଦୀ କରାଗଲା। କିଛି ଦିନ ଭିତରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଲା ଏବଂ ସେ ମହାନ ଦେଶପ୍ରେମୀ ଜଣକ କାଶ୍ମୀରକୁ ଭାରତରେ ସାମିଲ କରିବାକୁ ଯାଇ ବଳିଦାନ ଦେଇଥିଲେ।
ଶ୍ୟମାପ୍ରସାଦଙ୍କ ରହସ୍ୟମୟ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏ ସମ୍ପର୍କରେ ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ଏଥିମଧ୍ୟରୁ ଅନ୍ୟତମ ଥିଲା ତାଙ୍କର ବୃଦ୍ଧା ମା ଯୋଗମାୟା ଦେବୀଙ୍କର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପାଖରେ କରୁଣ ନିବେଦନ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଯେ, ନେହେରୁ ସରକାର ଡ.ମୁଖାର୍ଜୀଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ କରିବା ପାଇଁ କୌଣସି ତଦନ୍ତ କମିଶନ ଗଠନ କରିନଥିଲେ। ଏହି ଘଟଣା ଭାରତ ବର୍ଷର ଅନ୍ୟତମ ରହସ୍ୟାବୃତ୍ତ ରାଜନୈତିକ ମୃତ୍ୟୁ (Political Death) ର ଏକ ଅଧ୍ୟାୟ ହୋଇ ରହିଗଲା। ଭାରତ ବର୍ଷ ଡ.ମୁଖାର୍ଜୀଙ୍କ ସେବାରୁ ବଞ୍ଚିତ ହେଲା।
ମୁଖାର୍ଜୀଙ୍କ ବଳିଦାନ ନେହେରୁ ସରକାରଙ୍କୁ ଜମ୍ମୁ-କାଶ୍ମୀରର ପରମିଟ୍ ରାଜ, ରାଜ୍ୟର ୱଜିର-ଇ-ଆଜମ (ପ୍ରଧାନମନ୍ତ୍ରୀ) ଏବଂ ସଦ୍ର-ଇ-ରିୟାଶତ (ରାଷ୍ଟ୍ରପତି) ପଦବୀକୁ ଉତ୍ପାଟନ କରିବାକୁ ବାଦ୍ଧ କରିଥିଲା । ଡଃ ମୁଖାର୍ଜୀଙ୍କ ଉଚ୍ଛସିତ ତ୍ୟାଗ ଜମ୍ମୁ-କାଶ୍ମୀରକୁ ସଂସଦ, ଉଚ୍ଚତମ ନ୍ୟାୟାଳୟ ଓ ଭାରତୀୟ ନିର୍ବାଚନ କମିସନ(ର ପରିସରଭୁକ୍ତ କରିବା ପାଇଁ ତତ୍କାଳିନ କେନ୍ଦ୍ର ସରକାରଙ୍କୁ ବାଦ୍ଧ କରିଥିଲା । ୧୯୫୩ ପର୍ଯ୍ୟନ୍ତ ଏହିସବୁ ଅନୁଷ୍ଠାନ ମାନଙ୍କର ସେଠାରେ କୌଣସି ଭୂମିକା ନଥିଲା ।
ଡଃ ମୁଖାର୍ଜୀଙ୍କ ବ୍ୟକ୍ତିତ୍ୱ ରାଷ୍ଟ୍ରିୟତାବାଦ୍ ଓ ଜାତିପ୍ରାଣକୁ ଚିରଦିନ ପାଇଁ ଉଦବୋଧିତ କରୁଥିବ। ତାଙ୍କ ବ୍ୟକ୍ତିତ୍ୱ ପିଢ଼ି ପରେ ପିଢ଼ିର ଜୀବନ ଓ ସମୟର ଧାରାକୁ ଅନୁପ୍ରାଣିତ କରି ଚାଲୁଥିବ । ଡଃ ମୁଖାର୍ଜୀ ଥିଲେ ଜଣେ ପ୍ରଖର ଜାତୀୟତାବାଦୀ ବ୍ୟକ୍ତିତ୍ୱ । 'ଦେଶ ଆଗେ, ତାପରେ ବ୍ୟକ୍ତି, ତାହାହିଁ ଥିଲା ତାଙ୍କର ସଜାଗ ଉଚ୍ଚାରଣ ।
ଶାଶ୍ୱତ ପାଣିଗ୍ରାହୀ (ଆବାସିକ ସଂପାଦକ, ଜୀ ଓଡ଼ିଶା)