ଅମରନାଥ ଯାତ୍ରା; ଏହି ରୁଟ୍ ଦେଇ ଗଲେ ହେବନି ସମସ୍ୟା
ଜମ୍ମୁକାଶ୍ମୀର ଲେଫନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛିଦିନ ତଳେ କରାଯାଇଥିବା ଏକ ଟ୍ୱିଟରେ ଅମରନାଥ ଯାତ୍ରା ଆରମ୍ଭ ନେଇ କୁହାଯାଇଛି । ଅମରନାଥ ଯାତ୍ରା ଆରମ୍ଭ ନେଇ ବୋର୍ଡ ପକ୍ଷରୁ ଏକ ବୈଠକ ବସିଥିଲା ।
ନୂଆଦିଲ୍ଲୀ: କୋରୋନା ପାଇଁ ଗତଦୁଇ ବର୍ଷ ଧରି ବନ୍ଦ ରହିଥିବା ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବ ।ଆସନ୍ତା ଜୁନ ୩୦ ତାରିଖରୁ ଏହି ପ୍ରସିଦ୍ଧ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଏହି ଯାତ୍ରା ୪୩ ଦିନ ଯାଏଁ ଜାରି ରହିବ । ପ୍ରଚଳିତ ପ୍ରଥା ଅନୁସାରେ ଏହି ଯାତ୍ରା ରାକ୍ଷୀ ପୂର୍ଣ୍ଣିମାରେ ଶେଷ ହେବାର ପରମ୍ପରା ରହିଛି । ଏନେଇ ଜମ୍ମୁକାଶ୍ମୀର ଲେଫନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଜମ୍ମୁକାଶ୍ମୀର (Jammu Kashmir) ଲେଫନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛିଦିନ ତଳେ କରାଯାଇଥିବା ଏକ ଟ୍ୱିଟରେ ଅମରନାଥ ଯାତ୍ରା ଆରମ୍ଭ ନେଇ କୁହାଯାଇଛି । ଅମରନାଥ ଯାତ୍ରା ଆରମ୍ଭ ନେଇ ବୋର୍ଡ ପକ୍ଷରୁ ଏକ ବୈଠକ ବସିଥିଲା । ଯେଉଁଥିରେ ୪୩ ଦିନ ବ୍ୟାପୀ ଏହି ପବିତ୍ର ଯାତ୍ରା ଆରମ୍ଭ ନେଇ ନିଷ୍ପତ୍ତି ହୋଇଛି । ବିଧି ମୁତାବକ ଏହି ଯାତ୍ରା ଆରମ୍ଭ ହେଉଥିବା ବେଳେ କୋରୋନା ଗାଇଡଲାଇନ ପାଳନକୁ ବାଧ୍ୟତାମୂଳକ କରାଯାଇଛି । ଗତବର୍ଷ ଜୁନ ୨୧ରେ କୋରୋନା ପାଇଁ ଜମ୍ମୁକାଶ୍ମୀର ସରକାର ଅମରନାଥ ଯାତ୍ରା ବାତିଲ କରିଥିଲେ । ହେଲେ ପୂର୍ବ ବିଧି ଅନୁସାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ଚଳିତଥର ଅମରନାଥ ଯାତ୍ରା ହେବା ନେଇ ସୂଚନା ମିଳିବା ପରେ ଶ୍ରଦ୍ଧାଳୁଙ୍କ ଉତ୍ସାହ ବୃଦ୍ଧି ପାଇଛି ।
କେଉଁଠି ଅବସ୍ଥିତ ଅମରନାଥ ମନ୍ଦିର?
ଅମରନାଥ ମନ୍ଦିର (Amarnath Temple) ହିନ୍ଦୁ ଧର୍ମର ଏକ ପ୍ରମୁଖ ଧର୍ମସ୍ଥଳୀ । ଯାହା ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ଉତ୍ତର-ପୂର୍ବ ଦିଗରେ ଅବସ୍ଥିତ । ଆପଣଙ୍କୁ ଅମରନାଥ ମନ୍ଦିରକୁ ଯିବାକୁ ହେଲେ ଶ୍ରୀନଗର ଠାରୁ ୧୪୧ କିଲୋମିଟର ବାଟ ଦେଇ ଯିବାକୁ ପଡ଼ିବ । ଏହି ପ୍ରସିଦ୍ଧ ଶୈବପୀଠ ସମୁଦ୍ରପତ୍ତନଠାରୁ ୧୨,୭୫୬ ଫୁଟ ଉଚ୍ଚତାରେ ଅବସ୍ଥିତ । ବହୁ ଉଚ୍ଚତାରେ ଅବସ୍ଥିତ ଥିବାରୁ ଏହି ପୀଠକୁ ଯିବା ପାଇଁ ବେଶ ଦୁର୍ଗମ ପଥ ଅତିକ୍ରମ କରିବାକୁ ପଡ଼ିଥାଏ । ଏହି ଗୁମ୍ଫାର ଲମ୍ୱ ଭିତରକୁ ୧୯ ମିଟର ହୋଇଥିବା ବେଳେ ପ୍ରସ୍ଥ ୧୬ ମିଟର ଏବଂ ଉଚ୍ଚତା ୧୧ ମିଟର । ଏହି ଗୁମ୍ଫା ବର୍ଷ ସାରା ବରଫରେ ଢାଙ୍କି ହୋଇରହିଥାଏ ଏବଂ ବରଫ ଟୋପା ଟୋପା ହୋଇ ପଥରରୁ ପଡି ଗୁମ୍ଫାମଧ୍ୟରେ ଗୋଟିଏ ଶିବଲିଙ୍ଗ ଆକାର ତିଆରି ହୋଇଥାଏ । ଯେଉଁଠାରେ ଅମରନାଥ ପୂଜା ପାଆନ୍ତି । ଏହା ଗ୍ରୀଷ୍ମକାଳରେ ମଧ୍ୟ କିଛି ଦିନ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଖୋଲାଯାଇଥାଏ ।
ଜାଣନ୍ତୁ ଐତିହାସିକ ପୃଷ୍ଠଭୂମି
ଅମରନାଥ (Amarnath) ଙ୍କ ସଂପର୍କରେ ରାଜତରଙ୍ଗିନୀ ପୁସ୍ତକରେ ଉଲ୍ଲେଖ ରହିଛି । ଏହା ବିଶ୍ୱାସ କରାଯାଏ ଯେ ଏକାଦଶ ଶତାବ୍ଦୀରେ ରାଣୀ ସୂର୍ଯ୍ୟମତୀ ପ୍ରଥମେ ଏହି ମନ୍ଦିରକୁ ବିଭିନ୍ନ ଉପକରଣ ଯଥା ତ୍ରିଶୂଳ , ଅନ୍ୟାନ୍ୟ ଉପକରଣ ପ୍ରଦାନ କରିଥିଲେ । ଏହାସହ ପ୍ରାଜ୍ଞଭଟ୍ଟଙ୍କ ଦ୍ୱାରା ଲିଖିତ ରାଜଭଲିପତାକାରେ ଅମରନାଥଙ୍କ ଯାତ୍ରା ସଂପର୍କରେ ଉଲ୍ଲେଖ ରହିଛି ।
ଅନ୍ୟପଟେ ମହର୍ଷି ଭୃଗୁ ପ୍ରଥମ ବ୍ୟକ୍ତି ଯେ, ଅମରନାଥଙ୍କ ଅସ୍ତିତ୍ୱକୁ ଦୁନିଆକୁ ଜଣାଇଥିବା କୁହାଯାଏ । ବହୁ ପୁରାତନ କାଳରେ କାଶ୍ମୀର ଉପତ୍ୟକା ଜଳରେ ବୁଡ଼ି ରହିଥିଲା । ଯାହାକୁ ମହର୍ଷି କଶ୍ୟପ ବିଭିନ୍ନ ନଦୀ ମାଧ୍ୟମରେ ଜଳ ନିଷ୍କାସନ କରିବାକୁ ଲାଗିଲେ । ଫଳରେ ଏହି ଜ୍ୟୋର୍ତିଲିଙ୍ଗ ଦୃଶ୍ୟମାନ ହୋଇଥିଲା । ଯାହାକୁ ପ୍ରଥମେ ମହର୍ଷି ଭୃଗୁ ଦର୍ଶନ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ଦେଖିବାକୁ ଲୋକଙ୍କ ସମାଗମ ହେବାରେ ଲାଗିଲା । ଅନ୍ୟ ଏକ ମତାନୁସାରେ ଗଦରିଆ ସଂପ୍ରଦାୟ ପ୍ରଥମେ ଏହି ଜ୍ୟୋର୍ତିଲିଙ୍ଗକୁ ଆବିଷ୍କାର କରିଥିଲେ ।
କିପରି ଯିବେ ?
ଅମରନାଥ ଯାତ୍ରାର ନୂଆ ରୁଟ୍ ମ୍ୟାପ ଅନୁସାରେ ଆପଣ ୨ଟି ମାର୍ଗରେ ଯାତ୍ରା କରିପାରିବେ
ରୁଟ-୧
ଗୋଟିଏ ରୁଟରେ ଜମ୍ମୁରୁ ପାହଲଗାମ୍-ଚନ୍ଦନୱାରି-ପିଶୁ ଟପ୍-ଶେଷନାଗ-ପଞ୍ଚତାରିଣୀ-ଦେଇ ଅମରନାଥଙ୍କ ଗୁମ୍ଫା ପାଖରେ ପହଞ୍ଚିହୁଏ ।
ରୁଟ-୨
ଅନ୍ୟ ରୁଟଟି ହେଉଛି ବଲତାଲ-ଦୋମାଲି-ବାରାରି ଦେଇ ଅମରନାଥଙ୍କ ଗୁମ୍ଫା ପାଖରେ ପହଞ୍ଚିବାକୁ ପଡ଼େ ।
ଶ୍ରୀନଗର (Sri Nagar) କିମ୍ବା ପହଲଗାମରୁ ଭକ୍ତମାନଙ୍କୁ ପାଦରେ ଯାତ୍ରା କରିବାକୁ ପଡ଼େ । ପହଲଗାମରୁ ଯାତ୍ରା ଆରମ୍ଭ କଲେ ଅମରନାଥଙ୍କ ଗୁମ୍ଫା ପାଖରେ ପହଞ୍ଚିବାକୁ ପ୍ରାୟ ପାଞ୍ଚ ଦିନ ଲାଗେ । ଅନ୍ୟପଟେ ରାଜ୍ୟ ସଡକ ପରିବହନ ନିଗମ ଏବଂ ଘରୋଇ ପରିବହନ ସଂସ୍ଥା ପକ୍ଷରୁ ଜାମ୍ମୁରୁ-ପହଲଗାମ ଏବଂ ବାଲତାଲ ପର୍ଯ୍ୟନ୍ତ ନିୟମିତ ବସ ସେବା ଉପଲବ୍ଧ । ଜାମ୍ମୁକାଶ୍ମୀରରୁ ବ୍ୟକ୍ତିଗତ ଯାତ୍ରା ପାଇଁ ଟାକ୍ସି ମଧ୍ୟ ଉପଲବ୍ଧ । ଅମରନାଥ ଯାତ୍ରା ବେଶ ଦୁଃସାହସିକ । ତଥାପି ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ଘଟିଥାଏ ।
Also Read: ଦୁଇ IASଙ୍କ ଦ୍ୱିତୀୟ ଇନିଂସ୍; ଛାଡପତ୍ରର ୩ ମାସ ପରେ Tina Dabiଙ୍କୁ ପୁଣି ହେଲା ପ୍ରେମ, ଏଥର ବଦଳିଲେ ବର
Also Read: ତାତିରୁ ମିଳିବନି ମୁକ୍ତି: ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ