ନୂଆଦିଲ୍ଲୀ: Agnipath Scheme Protest: ଭାରତ ସରକାରଙ୍କ ନୂଆ ଯୋଜନା ଅଗ୍ନିପଥ ସ୍କିମ୍ (Agnipath Scheme) କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରୀ ରହିଛି । ଆଶାୟୀ ପ୍ରାର୍ଥୀ ମାନେ ୪ ବର୍ଷ ନିଯୁକ୍ତି ସମୟସୀମାକୁ ନେଇ ବିକ୍ଷୋଭ ତୀବ୍ର କରିଛନ୍ତି । ଏହାସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ମାନେ ଟ୍ରେନ, ବସ ପୋଡାଜଳା କରୁଛନ୍ତି । ବିଶେଷ କରି ବିହାରର ଅନେକ ଅଞ୍ଚଳରେ ଆନ୍ଦୋଳନ ଅଧିକ ହିଂସାତ୍ମକ ରୂପ ନେଇଛି । ଯାହା ଫଳରେ ସାଧାରଣ ଜନତା ଅସୁବିଧାର ସମ୍ମୁଖିନ ହେବା ସହ ବ୍ୟାପକ ମାତ୍ରାରେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି । 


COMMERCIAL BREAK
SCROLL TO CONTINUE READING

ଏହି ଘଟଣାପରେ ରେଳମନ୍ତ୍ରୀ ଆନ୍ଦୋଳନକାରୀଙ୍କୁ ଏପରି ନକରିବାକୁ ନିବେଦନ କରିଛନ୍ତି । କେନ୍ଦ୍ର-ରେଳମନ୍ତ୍ରୀ  (Union Railways Minister) ଅଶ୍ବିନୀ ବୈଷ୍ଣବ (Ashwini Vaishnaw ) କହିଛନ୍ତି ବିକ୍ଷୋଭକାରୀ ମାନେ  ହିଂସା ଛାଡି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରନ୍ତୁ ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ନିଜର ଦାବି ରଖନ୍ତୁ । ସରକାର ସମସ୍ତ ଦାବି ଏବଂ ଅଭିଯୋଗ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନର ସରକାର ବେଶ ସମ୍ବେଦନଶୀଳ ଭାବେ କାମ କରୁଛନ୍ତି ତେଣୁ ସେମାନେ ହିଂସା ଛାଡି ଶାନ୍ତି ବଜାୟ ରଖନ୍ତୁ । କୌଣସି ପରିସ୍ଥିତିରେ ସରକାରୀ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ । ଭାରତୀୟ ରେଳ (Indian Railway) ଦେଶବାସୀଙ୍କ ବଳ,ଦେଶର ସମ୍ପତ୍ତି । ତେଣୁ ରେଳଗାଡିରେ ନିଆଁ ଲଗାନ୍ତୁ ନାହିଁ ।  ରେଳସେବା ପ୍ରଭାବିତ ହେଲେ, ଦେଶବାସୀ ମଧ୍ୟ ପ୍ରଭାବିତ ହେବେ । ଏହାଦ୍ୱାରା ଅନେକ ଲୋକ ଅସୁବିଧା ପାଇବେ । ଏହି ସରକାରୀ ସମ୍ପତ୍ତି କୌଣସି ସରକାରଙ୍କର ନୁହେଁ । ଏହା ଦେଶର ସମ୍ପତ୍ତି ବୋଲି ମନ୍ତ୍ରୀ କହିଛନ୍ତି ।



ବ୍ୟାପକ ଏବଂ ତୀବ୍ର ହିଂସା ପ୍ରଦର୍ଶନ ପରେ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୁଦ୍ଧରେ ସିକନ୍ଦରାବାଦ ରେଳ ଷ୍ଟେସନ (Secunderabad railway station) ରେ ବିରୋଧ କରୁଥିବା ଯୁବକମାନଙ୍କ ଉପରେ ପୋଲିସ ଗୁଳି ଚଳାଇଥିଲା। ଏହି ବିକ୍ଷୋଭରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଥିବା ନ୍ୟୁଜ୍ ଏଜେନ୍ସି  ଆଇଏଏନଏସ୍ (News agency IANS)  ରିପୋର୍ଟରେ ଦର୍ଶାଇଛି । ବହୁ ସଂଖ୍ୟକ ବିକ୍ଷୋଭକାରୀ ଷ୍ଟେସନରେ ଏବଂ ଟ୍ରାକରେ ରହିଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ, ଯାହାଫଳରେ ପୋଲିସ ତରଫରୁ  ରବର ବୁଲେଟ୍ ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ତେବେ ବିକ୍ଷୋଭକାରୀ ମାନେ ଏକଥା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ କାର୍ଯ୍ୟକ୍ରମ ରଦ୍ଦ ନହେବା ପର୍ଯ୍ୟନ୍ତ ସେମାନଙ୍କର ବିରୋଧ ପ୍ରଦର୍ଶନ ଜାରି ରହିବ। ବିକ୍ଷୋଭକାରୀ ମାନେ , 'ଜୟ ଯବାନ, ଜୟ କିସାନ' ଏବଂ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇ ଅନୁରୋଧ କରିଛନ୍ତି ଯେ ସରକାର ନିକଟରେ ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ରଦ୍ଦ କରନ୍ତୁ ଏବଂ ବର୍ତ୍ତମାନର ନିଯୁକ୍ତି ପ୍ରକ୍ରିୟାକୁ ଜାରି ରଖନ୍ତୁ। 


ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିହାର (Bihar)ର ବିଭିନ୍ନ ଷ୍ଟେସନରେ ବ୍ୟାପକ ପୋଡାଡଳା କରିଛନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ । ଖାଲି ଏତିକି ନୁହେଁ, ନାଳନ୍ଦା ଇସଲାମପୁର ରେଳୱେ ଷ୍ଟେସନରେ ଇସଲାମପୁର -ହାଟିଆ ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଛନ୍ତି । ଫଳରେ ଟ୍ରେନର ୪ଟି ବଗି ପୋଡି ପାଉଁଶ ହୋଇଯାଇଛି । ଏହା ସହିତ ପାଟନା, ସମସ୍ତିପୁର, ଦାନାପୁର, ନୱଦା,ସହରସା ଭଳି ଅଞ୍ଚଳରେ ମଧ୍ୟ ବ୍ୟାବପକ ପୋଡାଜଳା ହୋଇଛି । ବିକ୍ଷୋଭକାରୀ ଉଗ୍ରରୂପ ପ୍ରଦର୍ଶନ କରିବା ପରେ ଟ୍ରେନ ସେବା ଗଭୀର ଭାବରେ ପ୍ରଭାବିତ ହୋଇଛି । ଏଯାବତ ୨୦୦ ଟ୍ରେନ ପ୍ରଭାବିତ ହୋଇଥିବା ବେଳେ ୩୫ଟି ଟ୍ରେନ ବାତିଲ ହୋଇଛି । ଏହାବ୍ୟତୀତ ୧୩ଟି ଟ୍ରେନକୁ ଟର୍ମିନେଟ (Terminate) କରାଯାଇଥିବା ରେଳ କର୍ତ୍ତୃପକ୍ଷ (Railway Department) ସୂଚନା ଦେଇଛନ୍ତି । ଯେଉଁ ସବୁ ରାଜ୍ୟରେ ବ୍ୟାପକ ବିରୋଧ ପ୍ରଦର୍ଶନ ହେଉଛି ସେହି ରାଜ୍ୟରେ ଯାତାୟାତ ହେବାକୁ ଥିବା ୮ ଟି ଟ୍ରେନକୁ ନଜରରେ ରଖାଯାଇଛି । ସ୍ଥିତିକୁ ଦେଖି ଏହି ଟ୍ରେନ ଗୁଡ଼ିକୁ ପରିଚାଳିତ କରାଯିବ । ଏହି ଟ୍ରେନ ମଧ୍ୟରେ ୧୨୩୦୩ ହାୱଡା-ନୂଆଦିଲ୍ଲୀ ପୂର୍ବ ଏକ୍ସପ୍ରେସ, ୧୨୩୫୩ ହାୱଡା-ଲାଲକୁଆଁ ଏକ୍ସପ୍ରେସ, ୧୮୬୨୨ ରାଞ୍ଚି-ପାଟଳିପୁତ୍ର ଏକ୍ସପ୍ରେସ, ୧୮୧୮୨ ଦାନାପୁର-ଟାଟା ଏକ୍ସପ୍ରେସ, ୨୨୩୮୭ ହାୱଡା- ଧନବାଦ ବ୍ଲାକ ଡାଏମଣ୍ଡ ଏକ୍ସପ୍ରେସ, ୧୩୫୧୨ ଆସନସୋଲ-ଟାଟା ଏକ୍ସପ୍ରେସ, ୧୩୦୩୨ ଜୟନଗର-ହାୱଡା ଏକ୍ସପ୍ରେସ ଓ ୧୩୪୦୯ ମାଲଦା ଟାଉନ-କିଉଲ ଏକ୍ସପ୍ରେସ ସାମିଲ ରହିଛି । ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରେ ରହିଛି ୧୨୩୩୫ ମାଲଦା ଟାଉନ-ଲୋକମାଣ୍ୟ ତିଳକ (T) ଏକ୍ସପ୍ରେସ ଓ ୧୨୨୭୩ ହାୱଡା- ନୂଆଦିଲ୍ଲୀ ଦୁରନ୍ତୋ ଏକ୍ପପ୍ରେସ ଭଳି ଆହୁରି ୩୨ଟି ଟ୍ରେନ । ବିକ୍ଷୋଭକାରୀମାନେ ଟ୍ରେନକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେବା ପରେ ରେଳ ବିଭାଗର ଅନେକ କ୍ଷତିଗ୍ରସ୍ତ ହୋଇଛି । କ୍ଷତିର ଆକଳନ ଏବେ କରାଯାଇନାହିଁ ବୋଲି କହିଛି ରେଳବିଭାଗ ।


ଏହା ବି ପଢ଼ନ୍ତୁ: Agneepath Scheme: 'ଅଗ୍ନିବୀର'ଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କଲେ ଏହି ବଡ଼ ଘୋଷଣା