ATS raids : ଗାନ୍ଧୀନଗର: ଗୁଜରାଟରେ (Gujarat) ଏଟିଏସ (ATS) ବିଭାଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରାୟ ୧୫୦ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି। ଜିଏସଟି ଠକେଇ ଅଭିଯୋଗ କରି ଏହି ଚଢାଉ କରିଛି ଏଟିଏସ। କୁହାଯାଉଛି କି ଏଟିଏସ ଅହମ୍ମଦାବାଦ (Ahmedabad), ଭରୁଚ (Bharuch), ସୁରତ (Surat), ଭାବନଗର (Bhavnagar) ଓ ଜାମନଗରରେ (Jamnagar) ଏହି ଚଢାଉ କରିଛି। ନକଲି ବିଲ ଦେଖାଇ କୋଟି କୋଟି ଟଙ୍କା ଟ୍ୟାକ୍ସ ଫାଙ୍କୁ ଥିବା ନେଇ ଅଭିଯୋଗ ହେବା ପରେ ଏଟିଏସ ଚଢାଉ କରିଛି। କିଛି ଦିନ ପୂର୍ବରୁ ସୁରତ ପୋଲିସ ପାଖପାଖି ୫ ଶହ କୋଟି ଟଙ୍କା ଗୋରଖଧନ୍ଧାର ଖୁଲାସା କରିଥିଲା। ସେତେବେଳେ ୨୧ ଲୋକଙ୍କୁ ଗିରଫ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଶନିବାର ଦିନ ସକାଳୁ ଏହି ଚଢାଉ ଆରମ୍ଭ କରିଥିଲା ଏଟିଏସ। ମାତ୍ର ଗୋଟିଏ ଦିନ ପୂର୍ବରୁ ଗୁଜୁରାଟର ଅନେକ ଜିଲ୍ଲାରେ ଆୟକର ବିଭାଗ ଚଢାଉ କରିଥିଲା। ରାଜକୋଟ, ଭୁଜ ଏବଂ ଗାନ୍ଧୀଧାମର ବହୁ ବଡ ବ୍ୟବସାୟ ଘର ସହ ଜଡିତ ଲୋକଙ୍କ ଉପରେ ଆୟକର ବିଭାଗ ଚଢାଉ କରିଥିଲା। ଆଇଟି ବିଭାଗ ଏହି ଚଢ଼ାଉ କରି ରିଅଲ୍ ଇଷ୍ଟେଟ୍ ଏବଂ ଫାଇନାନ୍ସ ଦଲାଲଙ୍କ ବ୍ୟବସାୟ ସହ ଜଡିତ ଲୋକଙ୍କ ନିକଟରେ ହୋଇଥିଲା। ଗୁଜୁରାଟରେ ସରକାରୀ ଏଜେନ୍ସିଗୁଡିକ ଦ୍ୱାରା ହୋଇଥିବା ଏହି ଆକ୍ରମଣ ଏକ ସମୟରେ ଘଟୁଛି ଯେତେବେଳେ ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା କରାଯାଇଛି। ତେବେ ଏହି ଚଢାଉ କାର୍ଯ୍ୟରେ କେତେ ପରିମାଣର ଟଙ୍କା ଉଦ୍ଧାର କରାଯାଇଛି କିମ୍ବା କେତେ ଟିକସ ଫାଙ୍କି ହୋଇଛି ତାହା ପ୍ରକାଶ କରାଯାଇ ନାହିଁ।


ବିଧାନସଭା ନିର୍ବାଚନରେ ​​ବହୁ ପରିମାଣରେ କଳା ଟଙ୍କା ବ୍ୟବହାର କରିବାର ସମ୍ଭାବନା ଅଛି। ନିର୍ବାଚନରେ ​​ବେଆଇନ ଟଙ୍କା ବ୍ୟବହାର ହେବାର ସମ୍ଭାବନାକୁ ରୋକିବା ପାଇଁ ନିର୍ବାଚନ ପୂର୍ବରୁ ଏଭଳି ଚଢାଉ କରାଯାଉଥିବା ଅନୁମାନ କରାଯାଉଛି। ଉଲ୍ଲେଖନୀୟ କଥା ହେଉଛି, ଗୁଜୁରାଟରେ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ଡିସେମ୍ବର ୧ ଓ ୫ରେ ଦୁଇଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ଡିସେମ୍ବର ୮ ରେ ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ସହିତ ଏହାର ଫଳାଫଳ ଘୋଷଣା କରାଯିବ। ଗୁଜରାଟ ବିଗତ ୨୭ ବର୍ଷ ଧରି ବିଜେପି ଏଠାରେ ଶାସନ କ୍ଷମତାରେ ରହି ଆସିଛି।