କ୍ୟାବିନେଟ୍‍ ନିଷ୍ପତ୍ତି: ଦେଶରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ପାଇଁ ଜାତୀୟ ମିଶନ ସହ ଅନ୍ୟ ୯ ପ୍ରକଳ୍ପକୁ ଅନୁମୋଦନ
Advertisement
Article Detail0/zeeodisha/odisha2531113

କ୍ୟାବିନେଟ୍‍ ନିଷ୍ପତ୍ତି: ଦେଶରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ପାଇଁ ଜାତୀୟ ମିଶନ ସହ ଅନ୍ୟ ୯ ପ୍ରକଳ୍ପକୁ ଅନୁମୋଦନ

ପ୍ରଥମଥର ପାଇଁ ସରକାର ଅଣ ରାସାୟନିକ କୃଷିର ବିକାଶ ପାଇଁ ଏକ ସାମଗ୍ରିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ କ୍ଷେତରେ ଚାଷ ସାଙ୍ଗକୁ ଶିକ୍ଷା ଓ ବଜାର ବ୍ୟବସ୍ଥାର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣା ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଲାଗି ତତ୍ପର ହୋଇଛନ୍ତି ସରକାର। 

କ୍ୟାବିନେଟ୍‍ ନିଷ୍ପତ୍ତି: ଦେଶରେ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ପାଇଁ ଜାତୀୟ ମିଶନ ସହ ଅନ୍ୟ ୯ ପ୍ରକଳ୍ପକୁ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍ ଆଜି ୨୨ ହଜାର ୮୪୭ କୋଟି ଟଙ୍କାର ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏଥିରେ ପ୍ରାକୃତିକ କୃଷିଠାରୁ ଆରମ୍ଭ କରି ଉଚ୍ଚଶିକ୍ଷାର ବିକାଶ, ନବସୃଜନ ଓ ଷ୍ଟାର୍ଟଅପକୁ ପ୍ରୋତ୍ସାହନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶରେ ସଡ଼କପଥକୁ ସମ୍ପ୍ରସାରଣ ଏବଂ ଅରୁଣାଚଳ ପ୍ରଦେଶରେ ଦୁଇଟି ଜଳ ବିଜୁଳି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ପ୍ରଥମଥର ପାଇଁ ସରକାର ଅଣ ରାସାୟନିକ କୃଷିର ବିକାଶ ପାଇଁ ଏକ ସାମଗ୍ରିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ କ୍ଷେତରେ ଚାଷ ସାଙ୍ଗକୁ ଶିକ୍ଷା ଓ ବଜାର ବ୍ୟବସ୍ଥାର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣା ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଲାଗି ତତ୍ପର ହୋଇଛନ୍ତି ସରକାର। ସଂସଦ ଆରମ୍ଭ  ସନ୍ଧ୍ୟାରେ ଏହି ପଦକ୍ଷେପର ପେଡ଼ି ଖୋଲିଛନ୍ତି  ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କେନ୍ଦ୍ର ସରକାର ଆଜି ଅନୁମୋଦନ ଦେଇଥିବା ୯ଟି ପ୍ରକଳ୍ପ ସମ୍ବନ୍ଧରେ  ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିଛନ୍ତି। ଆସନ୍ତୁ ନଜର ପକାଇବା ଏହି ୯ ନିଷ୍ପତ୍ତି ଉପରେ ୬ଟି ପ୍ରମୁଖ ବିନ୍ଦୁ ମାଧ୍ୟମରେ:  

1. କୃଷକଙ୍କ ପାଇଁ ପ୍ରାକୃତିକ କୃଷି ପାଇଁ ଜାତୀୟ ମିଶନ: 
ପ୍ରଥମ ଘୋଷଣା ଅନୁସାରେ କେନ୍ଦ୍ର ସରକାର  ୨୪୮୧ କୋଟି ଟଙ୍କା ନିବେଶରେ ଆରମ୍ଭ କରିବାକୁ ଯାଉଛନ୍ତି ଜାତୀୟ ପ୍ରାକୃତିକ କୃଷି ମିଶନ। ବିନା ରାସାୟନିକ ସାର ପ୍ରୟୋଗରେ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ଏହି ମିଶନ କାର୍ଯ୍ୟ କରିବ। ୨୦୧୯-୨୦ ଆର୍ଥିକ ବର୍ଷରେ ଏହାର ପରୀକ୍ଷଣ ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଗଙ୍ଗା କୂଳରେ ପ୍ରାକୃତିକ କୃଷି ହୋଇ ଭଲ ଲାଭ ମିଳିଥିଲା। ଏଣୁ ୧ କୋଟି କୃଷକଙ୍କୁ ଏହି ମିଶନରେ ସାମିଲ କରି ପ୍ରାକୃତିକ ଚାଷର ପ୍ରୋତ୍ସାହନ କରାଯିବ। ଏହାର ୬ଟି ନିର୍ଦିଷ୍ଟ ଲକ୍ଷ୍ୟ ରହିଛି। ପ୍ରଥମେ ନିରନ୍ତର ଚାଷ ଉପରେ ଗୁରୁତ୍ୱ। ଦ୍ୱିତୀୟରେ କୃଷି ଓ ପ୍ରାଣୀ ପାଳନକୁ ଏକାଠି ପରିଚାଳନା। ଗବେଷଣା, ଜ୍ଞାନ ଉପରେ ଅଧିକ ଧ୍ୟାନ ଦିଆଯିବ। ଚାଷୀଙ୍କ ଅଭିଜ୍ଞତା ଆଧାରରେ ଚାଷକୁ ବିକଶିତ କରାଯିବ। ବୈଜ୍ଞାନିକ ଉପଚାର ଅଧିକ ରହିବ। ଉତ୍ପାଦକ ବିକ୍ରି ପାଇଁ ଏକ ସ୍ୱତନ୍ତ୍ର ବ୍ରାଣ୍ଡ ବ୍ୟବହାର କରିବେ ସରକାର।  ଏହି ମିଶନରେ ପାଠ୍ୟକ୍ରମ ମଧ୍ୟ ପରିଚାଳନା କରାଯିବ। 

2. ଓ୍ୱାନ ନେସନ୍‍ ଓ୍ୱାନ ସବ୍‍ସ୍କ୍ରିପ୍ସନ
ଶୈକ୍ଷିକ ବାତାବରଣକୁ ଅଧିକ କ୍ରିୟାଶୀଳ କରିବା ଲାଗି ସରକାର ଏକ ଦେଶ ଏକ ସବସ୍କ୍ରିପ୍ସନ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ କେନ୍ଦ୍ର ସରକାର ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶ୍ୱବିଦ୍ୟାଳୟର ପ୍ରତିଟି ଛାତ୍ରଙ୍କୁ ତାଙ୍କ ଆବଶ୍ୟକତା ଅନୁସାରେ ଜାତୀୟ ଓ ଆନ୍ତର୍ଜାତିକ ଗବେଷଣା ପ୍ରବନ୍ଧ ତଥା ବିଷୟକୁ ଉପଲବ୍ଧ କରାଇବା ଏହାର ଲକ୍ଷ୍ୟ। ପୂର୍ବରୁ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟ ଭିନ୍ନ ଭିନ୍ନ ପ୍ରକାରେ ସେମାନଙ୍କ ସବ୍‍ସ୍କ୍ରିପ୍ସନ କରାଉଥିଲେ। ଏବେ କେନ୍ଦ୍ର ସରକାର ଏହି ଯୋଜନାରେ ଏକ ସବ୍‍ସ୍କ୍ରିପ୍‍ସନ୍‍ କରାଇ ସମସ୍ତ ବିଶ୍ୱବିବଦ୍ୟାଳୟକୁ ଏହା ଉପଲବ୍ଧ କରାଇବେ। ଏହିକ୍ରମରେ କିଛି ଖାତନାମା ପ୍ରକାଶକଙ୍କୁ ଏହି ପ୍ଲାଟଫର୍ମରେ ଉପଲବ୍ଧ କରାଇଛନ୍ତି ସରକାର। 

3. ଅଟଳ ସୃଜନ ମିଶନ ୨.୦ 
ଭାଷା ଭିତ୍ତିକ ଗବେଷଣା ଓ ଜ୍ଞାନକୁ ପ୍ରୋତ୍ସାହନ ଦେବା ତଥା ଭାଷା ପ୍ରତିବନ୍ଧକ ହେତୁ ଯେମିତି କାହାର ସୃଜନ ଅବଦମିତ ନହେବ ସେଥିଲାଗି ଚିନ୍ତା କରିଛନ୍ତି ସରକାର। ଏହି କ୍ରମରେ ଅଟଳ ନବସୃଜନ ମିଶନର ଦ୍ୱିତୀୟ ସଂସ୍କରଣକୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏଥିରେ ୨ ୭୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି। ନବ ସୃଜନର ବିକାଶ ପାଇଁ ତିନୋଟି ପର୍ଯ୍ୟାୟରେ ଚେଷ୍ଟା କରାଯାଇଛି। ଏଥିରେ ଜି-୨୦ ଦେଶ ପରି ବିଭିନ୍ନ ଦେଶର ଷ୍ଟାର୍ଟଅପ୍‍ ଚିନ୍ତନକୁ ଏକାଠି କରି ଆମ ଦେଶର ଯୁବକଙ୍କ ବିକାଶ ଲାଗି ଚେଷ୍ଟା କରିବେ ସରକାର। 

4. ପ୍ୟାନ୍‍୨.୦
ଆୟକର ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ପରମାନେଣ୍ଟ ଆକାଉଣ୍ଟ ନମ୍ବର ବା ପ୍ୟାନ୍କୁ ଅଧିକ ସଶକ୍ତ କରିବା ତଥା ବିକଶିତ ଟେକ୍ନୋଲୋଜି ଅନୁସାରେ ତାଳ ଦେବା ଲାଗି ସରକାର ପ୍ୟାନ ୨.୦ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ବର୍ତ୍ତମାନର ସ୍ଥିତିକୁ ବିକଶିତ କରାଯିବ। ନିର୍ଦ୍ଧାରିତ ଏକକ ପୋର୍ଟାଲ ରହିବ। ଏହା ସାଧାର ଏବଂ ବ୍ୟବସାୟିକ କ୍ଷେତ୍ରରେ ଅଧିକ ଆଦୃତି ଲାଭ କରିବ ବୋଲି ଆଶା କରାଯାଇଛି। 

5. ହରିତ ଶକ୍ତି 
ଅରୁଣାଚଳ ପ୍ରଦେଶରେ ୨୪୦ ମେଗାଓ୍ୱାଟ ଜଳ ବିଜୁଳିଶକ୍ତିକୁ ଅନୁମୋଦନ କରିଛନ୍ତି ସରକାର। ଏଥିଲାଗି ୧୯୩୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସିୟମି ଜିଲ୍ଲାର ୟାରଜେପ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ ହେବ। ନିପ୍‍କୋ ଦ୍ୱାରା ଏହା କାର୍ଯ୍ୟାନ୍ୱୟନ ହେବ। ଏଥିରେ ଅରୁଣାଚଳ ପ୍ରଦେଶକୁ ୧୨% ମାଗଣା ବିଜୁଳି ମିଳିବ। 
ଏହାସହ ୧୮୬ ମେଗାଓ୍ୱାଟର ଟାଟୋ-୧ ଜଳ ବିଜୁଳି ପ୍ରକଳ୍ପକୁ ମଧ୍ୟ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହି ପ୍ରକଳତ୍ପ ଅରୁଣାଚଳ ପ୍ରଦେଶର ୟାରଜାପ୍‍ ନଦୀର ହେଓ ପ୍ରକଳ୍ପରୁ ବଳୁଥିବା ପାଣିକୁ ଉପଯୋଗ କରି ଏହି ପ୍ରକଳ୍ପ ନିର୍ମାଣ ହେବ। ଏଥିରେ ସରକାର ୧୭୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। 

6. ମଧ୍ୟବିତ୍ତଙ୍କ ପାଇଁ ଭିତ୍ତିଭୂମି
ମନମାଡ଼ରୁ ଜଳଗାଓଁ ୧୬୦ କିଲୋମିଟର ରାସ୍ତାରେ ଚତୁର୍ଥ ଲେନ୍‍ ନିର୍ମାଣ। ଏଥିରେ ୨୭୭୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ମହାରାଷ୍ଟ୍ର୍ର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭିତରେ ସଂଯୋଗ ଆହୁରି ସୁରୁଖୁରୁ ହୋଇପାରିବ। ମହାରାଷ୍ଟ୍ରର ବନ୍ଦରଗୁଡ଼ିକରୁ କାର୍ଗୋ ପରିବହନ ହେଉ ବା ସାଧାରଣ ପରିବହନ ସବୁକିଛି ଏଥିରେ ଲାଭବାନ ହେବେ। ଏହାଦ୍‍ୱାରା ପ୍ରତିବର୍ଷ ୭ କୋଟି ଲିଟର ଡିଜେଲ୍‍ ସଂରକ୍ଷଣ ହୋଇପାରିବ ବୋଲି ସରକାର ଆଶା କରିଛନ୍ତି। ଭୁଶ୍‍ଓ୍ୱାଲ-ଖଣ୍ଡଓ୍ୱା ତୃତୀୟ ଓ ଚତୁର୍ଥ ଲେନ୍‍ ନିର୍ମାଣ ଲାଗି ୩୫୧୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏହି ୧୩୧ କିଲୋମିଟର ସଡ଼କପଥ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭିତରେ ପରିବହନକୁ ଅଧିକ ଶାଣିତ କରିବ। ମଧ୍ୟବିତ୍ତଙ୍କ ଲାଗି ଗମନାଗମନ ଓ ପରିବହନ ସୁବିଧା କରିବା ଲାଗି କେନ୍ଦ୍ର ସରକାରଙକ୍ କ୍ୟାବିନେଟ୍‍ ପ୍ରୟାଗରାଜ ଓ ମାଣିକପୁର ରାସ୍ତାର ତୃତୀୟ ରାସ୍ତାକୁ ମଞ୍ଜୁର ପ୍ରଦାନ କରିଛନ୍ତି। ଏଥିରେ ୧୬୪୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ମଧ୍ୟ ଅନୁମୋଦନ କରିଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Also Read- ଠିକ୍ ସମୟରେ ସରିବ ମାଆ ବିରଜାଙ୍କ ପୀଠର କାର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Also Read- ଆସନ୍ତାକାଲି ଅତିରିକ୍ତ ବଜେଟ୍‍, ଆଗତ ହେବ ଜିଏସ୍‍ଟି ଅଧ୍ୟାଦେଶ