CISF: ବିମାନରେ ବୋମା ଆତଙ୍କକୁ ମୁକାବିଲା ଲାଗି ସିଆଇଏସ୍ଏଫ୍ର ନୂଆ ନୀତି
CISF: ବାରମ୍ବାର ବୋମା ଆତଙ୍କକୁ ମୁକାବିଲା କରିବା ତଥା ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି କେନ୍ଦ୍ରୀୟ ସୁରକ୍ଷା ବାହିନୀ ସିଆଇଏସ୍ଏଫ ନିଜର ପ୍ରୋଟୋକଲରେ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତିତ ପ୍ରୋଟୋକଲ ଅନୁସାରେ ଏଣିକି କୌଣସି ବୋମା ଆତଙ୍କ ବାର୍ତ୍ତାକୁ ମୁକାବିଲା କରିବା ଲାଗି ବୋମା ଧମକ ଆକଳନ କମିଟି ( ବିଟିଏସି)କୁ ବିମାନ ବନ୍ଦରରେ ଏକାଠି ବସିବାର ଆବଶ୍ୟକତା ନାହିଁ।
CISF(ଭୁବନେଶ୍ୱର) : ବାରମ୍ବାର ବୋମା ଆତଙ୍କକୁ ମୁକାବିଲା କରିବା ତଥା ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି କେନ୍ଦ୍ରୀୟ ସୁରକ୍ଷା ବାହିନୀ ସିଆଇଏସ୍ଏଫ ନିଜର ପ୍ରୋଟୋକଲରେ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତିତ ପ୍ରୋଟୋକଲ ଅନୁସାରେ ଏଣିକି କୌଣସି ବୋମା ଆତଙ୍କ ବାର୍ତ୍ତାକୁ ମୁକାବିଲା କରିବା ଲାଗି ବୋମା ଧମକ ଆକଳନ କମିଟି ( ବିଟିଏସି)କୁ ବିମାନ ବନ୍ଦରରେ ଏକାଠି ବସିବାର ଆବଶ୍ୟକତା ନାହିଁ। ଅର୍ଥାତ୍ ବିଟିଏସିର ସଦସ୍ୟମାନେ ଯେଉଁଠି ଥାଆନ୍ତୁ ନା କାହିଁକି ଭର୍ଚ୍ଚୁଆଲ ମାଧ୍ୟମରେ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏହାଦ୍ୱାରା କୌଣସି ଧମକକୁ ଶୀଘ୍ର ମୁକାବିଲା କରାଯାଇପାରିବ।
ଚଳିତ ବର୍ଷ ଅକ୍ଟୋବର ମାସରେ ବିଭିନ୍ନ ବିମାନ ବନ୍ଦରରେ ଭାରତୀୟ ବିମାନ ପ୍ରତି ଏପରି ଧମକପୂର୍ଣ୍ଣ ଫୋନ କଲ ସବୁ ଆସିଥିଲା। ଏହାଦ୍ୱାରା କାନାଡ଼ା, ସିଙ୍ଗାପୁର ଓ ଭାରତର ବିଭିନ୍ନ ବିମାନ ବନ୍ଦରରେ ଭାରତୀୟ ବିମାନ ଚଳାଚଳ ବ୍ୟାହତ ହୋଇଥିଲା। ସିଆଇଏସ୍ଏଫ୍ ତଥ୍ୟ ଅନୁସାରେ କେବଳ ଅକ୍ଟୋବର ମାସରେ ୬୮୦ଟି ଏପରି ଧମକପୂର୍ଣ୍ଣ ଫୋନ କଲ ମିଳିଛି। ଏହାଦ୍ୱାରା ୨୫୦ ଟି ବିମାନ ପ୍ରଭାବିତ ହୋଇଥିଲା। ଯାତ୍ରୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାକୁ ଶକ୍ତ ଭାବେ ମୁକାବିଲା କରାଯି ବୋଲି ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡ଼ୁ କହିଥିଲେ।
ବିଟିଏସିରେ ସିଆଇଏସ୍ଏଫ୍ କର୍ମୀଙ୍କ ସହ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଷ୍ଟାଫ, ପୁଲିସ, କଷ୍ଟମ୍ସ୍, ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ଓ ସିକ୍ୟୁରିଟି( ବିସିଏସି) ଏବଂ ଗୁଇନ୍ଦା ବ୍ୟୁରୋଙ୍କ ପ୍ରତିନିଧି ସଦସ୍ୟ ରହିଛନ୍ତି। ଏମାନେ ଏଣିକି କୌଣସି ବି ଧମକ ପାଇଲେ ଆଉ ସମ୍ପୃକ୍ତ ବିମାନ ବନ୍ଦରରକୁ ଆସି ଏକାଠି ବସି ସମସ୍ୟାକୁ ସମାଧାନ କରିବାର ଆବଶ୍ୟକତା ନାହିଁ।
ଯେଉଁ ଧମକ ବାର୍ତ୍ତା ଆସୁଛି ତାହାକୁ ନିର୍ଦ୍ଧାରିତ ବା ଅଣ ନିର୍ଦ୍ଧାରିତ ତାହାକୁ ଆକଳନ କରାଯାଇଥାଏ। ବିମାନ ସ୍ଥିତି, ବୋମା ବିବରଣୀ, ବାର୍ତ୍ତା ପଠାଇଥିବା ବ୍ୟବକ୍ତି ବା ସଂସ୍ଥା, ତାହାର ଅବସ୍ଥିତି ଏବଂ କେଉଁ ପ୍ରକାର ଯନ୍ତ୍ରରୁ ବାର୍ତ୍ତା ପଠାଯାଇଛି ତାହାକୁ ପ୍ରଥମେ ଯାଞ୍ଚ କରାଯାଇ ଧମକକୁ ବର୍ଗୀକରଣ କରାଯାଇଥାଏ। ଯେତେବଳେ ତାହା ନିର୍ଦ୍ଧାରିତ ବା ସ୍ପେସିଫିକ୍ ବର୍ଗରେ ଆସେ ତେବେ ଥମେ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇ ସେମାନଙ୍କୁ ନିରାପଦ ସ୍ଥାନକୁ ନିଆଯାଇ ଥାଏ। କିନ୍ତୁ ଅଣ ନିର୍ଦ୍ଧାରିତ ଧମକରେ ଯାତ୍ରୀଙ୍କୁ ବାହାର କରାଯିବା ପୂର୍ବରୁ ବିମାନକୁ ଯାଞ୍ଚ କରାଯାଇଥାଏ।