Cheetahs return to India:  ଭୋପାଳ: ନାମିବିଆରୁ ୮ ଚିତାବାଘଙ୍କୁ ନେଇ ଆଜି ଭାରତ ପହଞ୍ଚିଛି ସ୍ୱତନ୍ତ୍ର କାର୍ଗୋ ବିମାନ। ଏହି ବାଘଙ୍କୁ ଧରି ଆସିଥିବା ଏହି ବିମାନ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଥିବା ଭାରତୀୟ ବାୟୁସେନା ବିମାନ ବନ୍ଦରରେ ଅବତରଣ କରିସାରିଛି। ଏହା ସହିତ ଦୀର୍ଘ ୭୦ ବର୍ଷ ଧରି ରହିଥିବା ଅପେକ୍ଷାର ଅନ୍ତ ଘଟିଛି। ଭାରତରୁ ବିଲୁପ୍ତ ହୋଇ ସାରିଥିବା ଚିତା ବାଘ ପୁଣି ଦେଶର ଜଙ୍ଗଲରେ ଦୌଡ଼ିବେ। ସକାଳ ପ୍ରାୟ ୮ଟା ବେଳେ ସ୍ୱତନ୍ତ୍ର ବିମାନ ଗ୍ୱାଲିୟରରେ ଥିବା ବାୟୁସେନା ବେସ୍‌ରେ ପହଞ୍ଚିଛି। ଏହା ସହିତ ସେମାନଙ୍କୁ ଚିନୁକ ହେଲିକପ୍ଟର ସହାୟତା କୁନୋ ଅଭୟାରଣ୍ୟକୁ ନିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଚିତାଗୁଡ଼ିକୁ ଜଙ୍ଗଲ ମଧ୍ୟକୁ ଛାଡ଼ିବେ। ବିଦେଶରୁ ଆସିଥିବା ୮ଟି ଚିତା ମଧ୍ୟରୁ ୫ଟି ମାଈ ଓ ୩ଟି ଅଣ୍ଡିରା। ୧୯୫୨ ମସିହା ଠାରୁ ଭାରତୀୟ ଜଙ୍ଗଲରେ ଚିତାଙ୍କୁ ଦେଖିବାକୁ ମିଳୁ ନଥିଲା। ଏଥିପାଇଁ ଭାରତର ସରକାର ପ୍ରକଳ୍ପ ଚିତା ଅନୁସାରେ ଆଫ୍ରିକାରୁ ବାଘ ଆଣିବାକୁ ଉଦ୍ୟମ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ଆସିଥିବା ବେଳେ ଆସନ୍ତା ୫ ବର୍ଷରେ ମୋଟ ୫୦ ବାଘ ଭାରତ ଆସିବେ ବୋଲି ସରକାର କହିଛନ୍ତି।


ଅନ୍ୟପକ୍ଷରେ ଚିତା ବାଘ ପାଇଁ ଶେଓପୁର ଉତ୍ସବ ମୁଖର ହୋଇ ଉଠିଛି। ସ୍ଥିତି ଏପରି ହୋଇଛି ଯେ ଏକଦା ଅପପୁଷ୍ଟି ପାଇଁ ଜଣାଶୁଣା ହେଉଥିବା ଏହି ଜିଲ୍ଲାରେ ଲୋକମାନେ ଜମି କିଣିବାକୁ ଲମ୍ବା ଧାଡ଼ି ଲଗାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ଏଠାରେ ଜମିର ଦାମ ହଠାତ ବୃଦ୍ଧି ପାଇଯାଇଛି। ଏହି ଗାଁରେ ଜମି ଦର ୨ରୁ ୩ ଗୁଣା ବୃଦ୍ଧି ପାଇ ଥିବା ନେଇ ଜଣାପଡ଼ିଛି।


କୁନୋ ନ୍ୟାଶନାଲ ପାର୍କର ମୁଖ୍ୟ ଗେଟ୍‌ ଟିକଟୋଲି ଗାଁରେ ରହିଛି। ଏହାକୁ ଲାଗି ମୋରଭାନ ଗାଁ। ଏବେ ଚିତା ଆସିବାକୁ ଥିବାରୁ ଏହି ଦୁଇ ଗାଁ ବିଶ୍ୱ ମ୍ୟାପ୍‌ରେ ନିଜର ସ୍ଥାନ ହାସଲ କରିଛନ୍ତି। ଦୁଇଟି ଯାକ ଗାଁ କେବଳ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିପାରି ନାହିଁ ବରଂ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି। ଏଥିପାଇଁ ଲୋକମାନେ ବିଭିନ୍ନ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି। କେହି ଲଜିଂ ବ୍ୟବସାୟ କରିଛନ୍ତି ତ ଆଉ କିଛି ରିଅଲ ଇଷ୍ଟେଟର ବ୍ୟବସାୟ ଆରମ୍ଭ କରିଛନ୍ତି।


ଉକ୍ତ ଅଞ୍ଚଳରେ ଗ୍ରୋସରୀ ଦୋକାନ କରିଥିବା ରାମେଶ୍ୱର ଗୁରଜର କହିଛନ୍ତି କି ବର୍ତ୍ତମାନ ଜମିର ଦର ଦୁଇଗୁଣା ବୃଦ୍ଧି ପାଇଛି। ଲୋକମାନେ ଏଠାରେ ଜମି କିଣିବାକୁ ଲମ୍ବା ଲାଇନ ଲଗାଉଛନ୍ତି। ସ୍ଥାନୀୟ ଚାଷୀ ପ୍ରକାଶ ଜାତବଙ୍କର ୮ ବିଘା ଜମି ରହିଛି। ସେ କହିଛନ୍ତି କିଛି ବାହାର ରାଜ୍ୟର ଲୋକ ଜଣେ ବନ୍ଧୁଙ୍କ ଜରିଆରେ ଜମି କିଣିବାକୁ ମୋତେ ଯୋଗାଯୋଗ କରିଥିଲେ। କିନ୍ତୁ ମୁଁ ମୋର ପୈତୃକ ଜମି ବିକିବାକୁ ମନା କରି ଦେଇଛି।


ସେହିପରି ପେଟ୍ରୋଲ ପମ୍ପ ବ୍ୟବସାୟ କରୁଥିବା ମନୋଜ ଦାଇପୁରିଆ କହିଛନ୍ତି, ପୂର୍ବରୁ ଏଠାରେ ଗୋଟିଏ ବିଘା ଜମିର ଦାମ ୯ରୁ ୧୦ ଲକ୍ଷ ଥିଲା। ହେଲେ ଏବେ ଏହା ୧୯ରୁ ୨୦ ଲକ୍ଷରେ ପହଞ୍ଚିଲାଣି। ଆମେ ସମସ୍ତେ ପର୍ଯ୍ୟଟକଙ୍କ ଆଗମନକୁ ଅପେକ୍ଷା କରିଛୁ। ଆମ ଲୋକମାନେ ନିଯୁକ୍ତି ଓ ଅପପୁଷ୍ଟି ଉପରେ ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।


ସୂଚନାଯୋଗ୍ୟ ଶେଓପୁର ହେଉଛି ଗୋଟିଏ ଅପପୁଷ୍ଟି ଜିଲ୍ଲା। ଏଠାରେ ୧୯,୨୩୪ ଜଣ ପିଲା ଗୁରୁତର କୁପୋଷଣର ଶିକାର ହୋଇଛନ୍ତି। କରହାଲରେ ଏହି ସଂଖ୍ୟା ୧୮,୯୪୪, ଶେଓପୁରକଲାନରେ ୧୧,୯୭୦, ଶେଓପୁର ସିଟିରେ ୯,୨୯୭, ବିଜୟପୁର ୧ରେ ୧୪,୭୧୦, ବିଜୟପୁର ୨ରେ ୧୫,୭୧୨ ଜଣ ଛୋଟ ପିଲା କୁପୋଷଣର ଶିକାର ହୋଇଛନ୍ତି।


ଅଧିକ ପଢନ୍ତୁ: ଦିନେ ଦେଶରେ ୧୨ ହଜାରରୁ ଅଧିକ ଥିଲେ ଚିତାବାଘ: ଆକବରଙ୍କ ନିକଟରେ ଥିଲେ ହଜାରେ ବାଘ, ପୋଷା ହେଉଥିଲେ ଚିତା


ଅଧିକ ପଢନ୍ତୁ: ଆସିଲେ ୮ ଚିତା, ୧୯୪୭ ପରେ ଦେଶରୁ ଲିଭିଯାଇଥିଲା ଚିହ୍ନବର୍ଣ୍ଣ