Persecution of Uyghur Muslims: ଆରମ୍ଭ ହୋଇଯାଇଛି ଇସଲାମୀୟ ଧାର୍ମିକ ମାସ ରମଜାନ। ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ମୁସଲମାନ ରୋଜା ରଖିବାର ପରମ୍ପରା ରହିଛି। ହେଲେ ଚୀନ ଭଳି କମ୍ୟୁନିଷ୍ଟ ଶାସିତ ନାସ୍ତିକ ଦେଶରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ। ଯେଉଁଠି ଉଇଘୁରୁ ମୁସଲମାନଙ୍କୁ ରମଜାନ ସମୟରେ ଉପବାସ ରଖବା ଉପରେ କଟକଣା ଲଗାଯାଇଛି। ରମଜାନ ବେଳେ ରଖାଯାଉଥିବା ରୋଜା ଉପରେ ସତର୍କ ନଜର ରଖିବା ପାଇଁ ଚୀନୀ ଗୁପ୍ତଚର ନିୟୋଜିତ ହୋଇଛନ୍ତି।  


COMMERCIAL BREAK
SCROLL TO CONTINUE READING

ପବିତ୍ର ରମଜାନ ମାସରେ ଉଇଗୁରୁ ମୁସଲମାନଙ୍କୁ ରୋଜା ଠାରୁ ଦୂରେଇ ରଖିବା ପାଇଁ ଚୀନ୍ ପୋଲିସ ଗୁପ୍ତଚରଙ୍କ ସାହାଯ୍ୟ ନେଉଛି। ରେଡିଓ ଫ୍ରି ଏସିଆ ପୂର୍ବ, ଜିନଜିଆଙ୍ଗ ପ୍ରଦେଶ ଉଇଘୁରୁ ସ୍ୱୟଂଶାସିତ ଅଞ୍ଚଳର ଜଣେ ପୋଲିସ୍ ଅଧିକାରୀଙ୍କ ସୂତ୍ରରୁ କହିଛି ଯେ ଗୁପ୍ତଚର ଯାହାକୁ ଚୀନ୍ ଅଧିକାରୀ କାନ ବୋଲି କହିଥାନ୍ତି ସେମାନଙ୍କୁ ସାଧାରଣ ନାଗରିକ, ପୋଲିସ୍ ଏବଂ ପଡ଼ୋଶୀ କମିଟି ପାଖରୁ ନିଆଯାଇଥାଏ। ରେଡିଓ ଫ୍ରି ଏସିଆ ସହିତ କଥାବାର୍ତ୍ତା କରି ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି ଯେ ଆମର ଅନେକ ଗୁପ୍ତ ଏଜେଣ୍ଟ ଅଛନ୍ତି। ରିପୋର୍ଟ ଅନୁଯାୟୀ ଉଇଘୁରୁ ସଂସ୍କୃତି, ଭାଷା ଏବଂ ଧର୍ମକୁ ଦମନ କରିବାକୁ ଉଦ୍ୟମ ମଧ୍ୟରେ ଚୀନ୍ ଗତ ୨୦୧୭ ବର୍ଷରେ ରମଜାନ ସମୟରେ ଜିନଜିଆଙ୍ଗ ପ୍ରଦେଶରେ ବସବାସ କରୁଥିବା ମୁସଲିମଙ୍କ ରମଜାନ ରୋଜା ରଖିବା ଉପରେ ପ୍ରତିବନ୍ଧକ ଲଗାଇଥିଲା। 


ଚୀନ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ୨୦୨୧ ଏବଂ ୨୦୨୨ ବର୍ଷରେ ଆଂଶିକ ରୂପରେ କୋହଳ କରାଯାଇଥିଲା। କେବଳ ୬୫ ବର୍ଷରୁ ଅଧିକ ବୟସର ମୁସଲିମଙ୍କୁ ରମଜାନ ରୋଜା ସମୟରେ ଉପବାସ କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ରମଜାନ ବେଳେ ପୋଲିସ ଘରେ ଉପରେ ସତର୍କ ନଜର ରଖିବା ସହ ଏବଂ ରାସ୍ତାରେ ପାଟ୍ରୋଲିଂ ମଧ୍ୟ ହ୍ରାସ କରିଥିଲା। ରେଡିଓ ଫ୍ରି ଏସିଆ ତୁରପନ ସିଟି ପୋଲିସ ଷ୍ଟେସନ ରାଜନୈତିକ ଅଧିକାରୀଙ୍କ ସୂତ୍ରରୁ କହିଛି ଯେ ଚଳିତ ବର୍ଷ ଚୀନ୍ ସରକାର ବୟସ, ଲିଙ୍ଗ କିମ୍ବା ବୃତ୍ତି ନିର୍ବିଶେଷରେ ଉପବାସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।


ରମଜାନ ମାସର ପ୍ରଥମ ସପ୍ତାହରେ, ଚୀନ୍ କର୍ତ୍ତୃପକ୍ଷ ୫୬ ଜଣ ଉଇଘୁରୁ ବାସିନ୍ଦା ଏବଂ ପୂର୍ବତନ ବନ୍ଦୀଙ୍କୁ ଡକାଇ ସେମାନଙ୍କ କାର୍ଯ୍ୟକଳାପ ବିଷୟରେ ଜେରା କରିଥିଲେ। ସେମାନଙ୍କ ମଧ୍ୟରୁ ୫୪ ଜଣ ଉପବାସ କରି ଆଇନ ଉଲ୍ଲଂଘନ କରିଥିବା କୁହାଯାଉଛି। ରେଡିଓ ଫ୍ରି ଏସିଆ ତୁରପାନ ସିଟି ବଜାର ପୋଲିସ ଷ୍ଟେସନ ଅଧିକାରୀ ସୂତ୍ରରୁ ଏ ସମ୍ପର୍କିତ ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ ନିୟମ ଉଂଲଘନ କରିଥିବା ସେହି ଲୋକଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ପୋଲିସ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। 


ରେଡିଓ ଫ୍ରି ଏସିଆ ଅଧିକାରୀଙ୍କ ସୂତ୍ରରୁ କହିଛି ଯେ ତୁରପାନ ପୋଲିସ ଷ୍ଟେସନ ପ୍ରତ୍ୟେକ ଗ୍ରାମରେ ଦୁଇ କିମ୍ବା ତିନି ଜଣ ଗୁପ୍ତଚରଙ୍କୁ ନିଯୁକ୍ତ କରିଛି। ଯିଏ ରମଜାନ ସମୟରେ ଉପବାସ ରଖିବା ପାଇଁ ପୋଲିସ ହେପାଜତକୁ ଯାଇଥିବା ଲୋକ ଏବଂ ଜେଲଦଣ୍ଡ ଭୋଗିବା ପରେ ମୁକ୍ତ ହୋଇଥିବା ଲୋକଙ୍କ ଉପରେ ନଜର ରଖିବେ। ତୁରପାନ ଅଞ୍ଚଳର ପୋଲିସ ଅଧିକାରୀ କହିଛନ୍ତି ଯେ, ଆମର ଗୁପ୍ତଚର ତିନୋଟି କ୍ଷେତ୍ରରୁ ଆସିଥାନ୍ତି। ସେମାନେ ହେଉଛନ୍ତି ସାଧାରଣ ବାସିନ୍ଦା, ପୋଲିସ ଏବଂ ସ୍ଥାନୀୟ କମିଟି ସଦସ୍ୟ।  ଯେଉମାନେ ଉଇଘୁର ମୁସଲିମଙ୍କ ଉପରେ ସତର୍କ ନଜର ରଖିପାରିବେ। ପୋଲିସ ଅଧିକାରୀ ଆହୁରି କହିଛନ୍ତି ମୋର କର୍ମକ୍ଷେତ୍ରରେ ପ୍ରାୟ ୭୦-୮୦ ଉଇଗୁରୁ ପୋଲିସ କର୍ମଚାରୀ ଅଛନ୍ତି। ଯେଉଁମାନେ ସିଧାସଳଖ ଗୁପ୍ତଚର କାର୍ଯ୍ୟରେ ନିୟୋଜିତ ଅଛନ୍ତି କିମ୍ବା ଏହି କାର୍ଯ୍ୟର ନେତୃତ୍ୱ ନେଇଥାନ୍ତି।