ଶକ୍ତିଶାଳୀ ଭୂକମ୍ପରେ ଥରହର ଚୀନ, ଭୟଭୀତ ହୋଇପଡିଲେ ଲୋକେ
ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି ଚୀନ ।
ବେଜିଂ: ପ୍ରଥମେ କୋରୋନା ଭାଇରସ, ଏହା ପରେ ଦେଶର ବିଭିନ୍ନ ଭାଗରେ ହୋଇଥିବା ବନ୍ୟା କାରଣରୁ ଚୀନକୁ ସହିବାକୁ ପଡିଛି ପ୍ରକୃତିର ଦାଉ । ଆଉ ଏବେ ଶକ୍ତଶାଳୀ ଭୂମିକମ୍ପରେ ଥରିଉଠିଛି ଦେଶ । ଜୁଲାଇ ୨୨-୨୩ ମଧ୍ୟରାତ୍ରୀ ସମୟ ପ୍ରାୟ ୧ଟା ୩୭ ମିନିଟରେ ଦକ୍ଷିଣ ତିବ୍ଦତରେ ହୋଇଥିବା ଏକ ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି ଚୀନ ।
ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଏହି ଅଞ୍ଚଳରୁ ୩୮୦ ମାଇଲ ଦୂର କାଠମାଣ୍ଡୁ ନିକଟରେ ରହିଛି । ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ନେଇ କିଛି ଜଣା ପଡିନାହିଁ । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚୀନରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରହିଛି ।
ଏହା ବ୍ୟତୀତ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ଉପଦ୍ୱୀପରେ ୭.୮ ତୀବ୍ରତା ବିଶିଷ୍ଟ ଏକ ଜବରଦସ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହା ଦ୍ୱାର ସୁନାମୀ ଆସିପାରେ ବୋଲି ଚେତାବନୀ ଦିଆଯାଇଥିଲା । ହେଲେ ପରେ ଏହି ପୂର୍ବାନୁମାନକୁ ରଦ୍ଦ କରାଯାଇଥିଲା । ଏନେଇ ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ କୁହାଯାଇଥିଲା ମଙ୍ଗଳବାର ସ୍ଥାନୀୟ ସମୟ ଅନୁସାରେ ରାତି ୧୧ଟା ୧୨ମିନିଟରେ ଏହି ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ।
ଆଲାସ୍କା ଉପଦ୍ୱୀପରୁ ୯୬ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଦିଗରେ ଭୂପୃଷ୍ଠରୁ ୯.୬ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଏହି ଭୂକମ୍ପର ଝଟକା ଅନୁଭୂତ ହେବା ପରେ ସମ୍ପୂର୍ଣ୍ଣ ଆଲାସ୍କା ସମେତ ଏଲେୟୁଟେନ ଅଞ୍ଚଳରେ ସୁନାମୀ ଆସିପାରେ ବୋଲି ଚେତାବାନୀ ଜାରି କରାଯାଇଥିଲା । ଯାହାକୁ ପରେ ରଦ୍ଦ କରି ଦିଆଯାଇଥିଲା । ଆଲାସ୍କାରେ ହୋଇଥିବା ଭୂମିକମ୍ପର ପ୍ରଭାବ ୪୦୦ ମାଇଲ ଦୂର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ଏହା ଫଳରେ ଘରେ ଥିବା ଆସବାବପତ୍ର ଥରି ଉଠିଥିଲା ।