Indian Air Force: ସଦ୍ୟ ଅରୁଣାଚଳ ପ୍ରଦେଶ ତୱାଙ୍ଗସ୍ଥିତ ୟାଙ୍ଗସେ ଅଞ୍ଚଳରେ ପ୍ରବେଶ କରି ପୁନର୍ବାର ସୀମାରେ ଭାରତକୁ ଉତ୍ତେଜିତ କରିବାକୁ ଚେଷ୍ଟା କରିଛି ଚୀନ। ଏହି ବିବାଦ ପୂର୍ବରୁ ଅରୁଣାଚଳ ପ୍ରଦେଶସ୍ଥିତ ପ୍ରକୃତ ନିୟନ୍ତ୍ରଣ ସୀମାରେଖା ପାର କରି ଚୀନ ଡ୍ରୋନ୍ ଅତ୍ୟଧିକ ଆକ୍ରମଣାତ୍ମକ ରୂପରେ ଭାରତୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରିଥିଲା। ହୋଲି ଦୀପ ଏବଂ ପରିକ୍ରମା ଅଞ୍ଚଳସ୍ଥିତ ୟାଙ୍ଗସେ ଠାରେ ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ଚୀନ୍ ସେନା ଅତ୍ୟଧିକ ଆକ୍ରମଣାତ୍ମକ ଆଚରଣ କରୁଛି। ଯେଉଁଠାରେ ଚୀନ ସୈନ୍ୟବାହିନୀ ଭାରତୀୟ ସେନାର ଉପସ୍ଥିତିକୁ ବିରୋଧ କରିଆସୁଛି। ବିଗତ କିଛି ସପ୍ତାହ ମଧ୍ୟରେ ସୀମାରେ ଏପରି ଦୁଇ ତିନୋଟି ଘଟଣା ଘଟିସାରିଛି ଯେତେବେଳେ ଚୀନ ଡ୍ରୋନ୍ ସହିତ ମୁକାବିଲା କରିବା ପାଇଁ ଭାରତୀୟ ବାୟୁସେନାକୁ ଯୁଦ୍ଧ ବିମାନ ଉଡ଼ାଇବାକୁ ପଡିଥିଲା।


COMMERCIAL BREAK
SCROLL TO CONTINUE READING

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଚୀନ ପ୍ରକୃତ ନିୟନ୍ତ୍ରଣ ସୀମାରେଖା ପାର କରି ଭାରତୀୟ କ୍ଷେତ୍ର ଆଡକୁ ଅଗ୍ରସର ହେଉଛି। ବାୟୁମାର୍ଗରେ ବଢୁଥିବା ବିପଦର ମୁକାବିଲା କରିବାକୁ ଅଣ୍ଟାଭିଡ଼ିଛି ଭାରତ। ଏନେଇ ସୀମାରେ ଭାରତୀୟ ବାୟୁସେନାର ସୁଖୋଇ 30MKI ଯୁଦ୍ଧବିମାନ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଅଞ୍ଚଳରେ ଚୀନୀ ଡ୍ରୋନ ଉପରେ ସତର୍କ ନଜର ରଖିଛି। ଏହି ଅଞ୍ଚଳରେ କେବେ ଚୀନ ବିମାନକୁ ଭାରତୀୟ ବାୟୁ ସୀମାରେଖା କ୍ଷେତ୍ର ଉଲଂଘନ କରିବାକୁ ଦିଆଯିବ ନାହିଁ।


ଯଦି ଚୀନ ପ୍ରକୃତ ନିୟନ୍ତ୍ରଣ ସୀମାରେଖା ସହ ସମାନ୍ତର ଭାବେ ଉଡାଣ ଭରେ, ତାହେଲେ ଭାରତ ପକ୍ଷର କୌଣସି ଅସୁବିଧା ନାହିଁ। ଯଦି ଚୀନୀ ବିମାନ କିମ୍ବା ଡ୍ରୋନ ଭାରତୀୟ କ୍ଷେତ୍ର ଆଡକୁ ଉଡ଼ାଣ ଭରିବାକୁ ପ୍ରୟାସ କରେ ତାହାଲେ ଏପରି ବାୟୁସୀମା ଉଲଂଘନକୁ ରୋକିବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 


ଦେଶର ପୂର୍ବୋତ୍ତର ଭାଗରେ ତେଜପୁର ଏବଂ ଛାବୁଆ ସହିତ ଅନ୍ୟ ବାୟୁସେନା ଘାଟିରେ ସୁଖୋଇ 30MKI ଯୁଦ୍ଧବିମାନ ସ୍କ୍ରାଡ୍ରନ ସହିତ ଭାରତୀୟ ବାୟୁସେନା ଏହାର ଉପସ୍ଥିତିକୁ ମଜବୁତ କରିଛି। ପଶ୍ଚିମବଙ୍ଗ ହାଶିମାରା ଠାରେ ରାଫେଲ ଯୁଦ୍ଧ ବିମାନ ନିୟୋଜିତ କରିଛି ବାୟୁସେନା। କେବଳ ଆସାମ ସେକ୍ଟର ଠାରେ କାର୍ଯ୍ୟ କରୁଥିବା S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ସହିତ ଭାରତୀୟ ବାୟୁସେନା ଏହାର ବାୟୁ ପ୍ରତିରକ୍ଷା ଉପସ୍ଥିତିକୁ ମଜବୁତ କରିଛି। ଏହି ଏୟାର ଡିଫେନ୍ସ, ସିଷ୍ଟମ ଏହି ଅଞ୍ଚଳରେ ବାୟୁମାର୍ଗରେ ଆସିବାକୁ ଥିବା ଯେ କୌଣସି ବିପଦର ମୁକାବିଲା କରିପାରେ। 


ଚଳିତ ବର୍ଷ ଆରମ୍ଭରେ ଲଦାଖ ସେକ୍ଟର ଠାରେ ଚୀନ ବାୟୁସେନା ସୀମା ଉଲ୍ଲଂଘନ ପରେ ଏୟାର ଓଭରଫ୍ଲାଇଟ୍ ଭଳି ଘଟଣାକୁ ରୋକିବା ପାଇଁ ଚୀନ୍ ଏବଂ ଭାରତ ପକ୍ଷ ଅନେକ ପଦକ୍ଷେପ ନେବା ଉପରେ ସହମତ ହୋଇଥିଲେ। ଏହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ପରେ ଭାରତୀୟ ଦଳ ଚୀନ ପକ୍ଷ ସହ ହୋଇଥିବା ସାମରିକ ଆଲୋଚନାରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏନେଇ ନିଷ୍ପତ୍ତି ନିଆଯାଇଥିଲା ଯେ ଉଭୟ ପକ୍ଷର ଯୁଦ୍ଧ ବିମାନ ଏହି ଅଞ୍ଚଳକୁ ଚିହ୍ନିତ କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା ପଛରେ ରହିବ।