ଜାରି ରହିବା କାଠୁଆ ଜାଡ, ୨୬ ପର୍ଯ୍ୟନ୍ତ ନାହିଁ ନିସ୍ତାର
ରାଜ୍ୟରେ ଥଣ୍ଡା ଜାରି ରହିଥିବାରୁ ରାତି ସମୟରେ ଘରେ ରହିବା ସହ କୌଣସି ଖୋଲା ଯାନରେ ୟାତାୟତ ନକରିବାକୁ ପରାମର୍ଶ ଦିଆଯାଇଛି।
ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଥଣ୍ଡାରୁ ତାହ୍ରି ନାହିଁ ଏଥିନେଇ ୨୬ ତାରିଖ ପର୍ଯ୍ୟନ୍ତ ଜାରି ହୋଇଛି ଚେତାବନୀ। ରାଜ୍ୟରେ ଜାରି ରହିଛି ଶୀତ ଲହରି (Cold Wave)। ଆଭ୍ୟନ୍ତରୀଣ ଓଡିଶାରେ ଶୀତ ପ୍ରକୋପ ଅଧିକ ଥିବା ବେଳେ ଉପକୂଳ ଓଡିଶାରେ ସ୍ବାଭାବିକ ଠାରୁ କମ୍ ରହିଛି ତାପମାତ୍ରା।
ଆସନ୍ତାକାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ସୁନ୍ଦରଗଡ, ନୂଆପଡା, ବରଗଡ, ନବରଙ୍ଗପୁର, ମୟୂରଭଞ୍ଜ ଆଦି ୧୧ଟି ଜିଲ୍ଲାରେ ଶୀତ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏସବୁ ଜିଲ୍ଲାରେ ମାତ୍ରାଧିକ ଥଣ୍ଡା, କୋହଲା ପବନ ପ୍ରଭାବରେ ଜନଜୀବନ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ଏଥିଲାଗି ବିଶେଷ କରି ରାତି ସମୟରେ ଘରେ ରହିବା ସହ କୌଣସି ଖୋଲା ଯାନରେ ୟାତାୟତ ନକରିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨୬ ତାରିଖ ଶନିବାର ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଉପକୂଳ ଓଡିଶାରେ ସ୍ବଭାବିକ ଠାରୁ କମ୍ ରହିବ।
Also Read: Cold Wave Alert: ହାଡଭଙ୍ଗା ଜାଡରେ ଥରି ଉଠିବ ଓଡିଶା
ସେପଟେ ବୁଧବାର ଅନୁଗୁଳ ଠାରେ ତୀବ୍ର ଶୀତ ଲହରୀ ଅନୁଭୂତ ହୋଇଥିବା ବେଳେ ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, କନ୍ଧମାଳରେ ଶୀତଲହରୀ ପରିଲକ୍ଷିତ ହୋଇଛି। ଏହା ସହ ୧୨ଟି ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି। ଫୁଲବାଣୀରେ ସର୍ବନିମ୍ନ ୪ ଡିଗ୍ରୀ, ଦାରିଙ୍ଗବାଡିରେ ୫, ଅନୁଗୁଳରେ ୫.୬, କୋରାପୁଟରେ ୭, ସୁନ୍ଦରଗଡରେ ୭, ଝାରସୁଗୁଡାରେ ୭.୮, ଭବାନୀପାଟଣାରେ ୮, କେନ୍ଦୁଝରରେ ୮.୮, ବାରିପଦାରେ ୯ , ବୌଦ୍ଧରେ ୯ ଡିଗ୍ରୀ, ବଲାଙ୍ଗୀରରେ ୯.୨, ସୋନପୁରରେ ୯.୪ ଡିଗ୍ରୀ କଟକରେ ୧୧ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୨.୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।