ହାଡ଼ଭଙ୍ଗା ଜାଡରେ ଥରିବା ଆରମ୍ଭ ହୋଇଛି କନ୍ଧମାଳ। ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି।
Trending Photos
ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଥଣ୍ଡାରେ ଥରହର ହୋଇଉଠିଛି ରାଜ୍ୟ। ଆଉ କ୍ରମାଗତ ଭାବେ ଖସୁଛି ପାରଦ। ଆଭ୍ୟନ୍ତରୀଣ-ଉପକୂଳ ଓଡିଶାରେ (Odisha) ଏବେ ଜାରି ରହିଛି ଶୀତ। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚଳିତ ଶୀତ ଋତୁରେ ପ୍ରଥମ ଥର ଶୀତ ଲହରୀ (Cold Wave) ଚାଲିଥିବାର କୁହାଯାଇଛି। ରବିବାର ଠାରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଆକଳନ ଅନୁଯାଇ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ।
ସେପଟେ ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ସଞ୍ଜ ନଇଁଲେ ମାଡିଆସୁଛି ଥଣ୍ଡା କୋହଲା ପବନ। ସକାଳ ହେଲେ କମ୍ବଳ ଭିତରୁ ବାହାରିବାକୁ ମନ ହେଉନି ଆଉ ପାଣିକୁ ଦେଖିଲେ ଝଟକା ଲାଗୁଛି। କାଠୁଆ ଜାଡରେ ଥରୁଛି ରାଜ୍ୟ ଆଉ ଥଣ୍ଡା ପବନ ଫଳରେ ହଠାତ ପାରଦ ତଳମୁହାଁ ହୋଇଛି। ସୋମବାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି। ଫୁଲବାଣୀରେ ୪, ଝାରସୁଗୁଡା ୫, ଦାରିଙ୍ଗବାଡି ୬, ଅନୁଗୁଳ ୬.୬, କୋରାପୁଟ ୭, ଭବାନୀପାଟଣା ୭.୮, ବଲାଙ୍ଗୀର ୮.୮, ବୌଦ୍ଧ ୯, କେନ୍ଦୁଝର ୯.୩, ଏବଂ ସୋନପୁର ୯.୪, କଟକରେ ୧୧ ଏବଂ ଭୁବନେଶ୍ୱର ୧୨.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, ଅନୁଗୋଳ, ଝାରସୁଗୁଡା ସୁନ୍ଦରଗଡ ଜିଲ୍ଲାରେ ଭୀଷଣ ଶୀତ ଲହରି ନେଇ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଏବଂ ଦେଓଗଡ, ନୂଆପଡା, ଢେଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, କଟକ, କଳାହାଣ୍ଡି, ବରଗଡ ଆଦି ୧୨ଟି ଜିଲ୍ଲା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଏପରି ସ୍ଥିତି ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।
Also Read: ଖସିଲା ପାରଦ, କମ୍ପାଇଲା ଶୀତ
ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଉପକୂଳ ଓଡିଶାରେ ସ୍ବାଭାବିକ ଠାରୁ ୩-୪ ଡିଗ୍ରୀ ତଳେ ପାରଦ ରହିବ ବୋଲି କେନ୍ଦ୍ର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେପଟେ ହାଡ଼ଭଙ୍ଗା ଜାଡରେ ଥରିବା ଆରମ୍ଭ ହୋଇଛି କନ୍ଧମାଳ। ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ (Daringibadi Snow Fall) ହୋଇଛି। ଏହା ସହ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ୩ ବର୍ଷରେ ରେକର୍ଡ ଭାଙ୍ଗିଛି ଶୀତ। ପ୍ରବଳ ଶୀତ ଆଉ ତୁଷାରପାତର ମଜା ନେଇଛନ୍ତି ଦାରିଙ୍ଗବାଡି ଆସିଥିବା ପର୍ଯ୍ୟଟକ।
ସତର୍କ ସୂଚନା ଜାରି କରାଯାଇଥିବା ଅଞ୍ଚଳରେ ଥଣ୍ଡା ପାଗ ସହ କୋହଲା ପବନ ବହିବା ଦ୍ବାରା ଜନଜୀବନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ରାତି ସମୟରେ ଘରେ ରହିବା ସହ ଖୋଲା ଯାନରେ ଯାତାୟତ କରିବାକୁ ବାରଣ କରାଯାଇଛି। ଏପରି ସ୍ଥିତିକୁ ନେଇ ସଜାଗ ରହିବା ଲାଗି ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି।