ନୂଆଦିଲ୍ଲୀ: ରବିବାର ରାତିରେ ବାତ୍ୟା ରେମାଲ୍ ଲ୍ୟାଣ୍ଡଫଲ୍ କରିଛି। ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ରେମାଲ ପଶ୍ଚିମବଙ୍ଗ ଓ ବାଂଲାଦେଶର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁଛି। ଏହି ଝଡ଼ ପ୍ରଭାବରେ ବାଂଲାଦେଶରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ପଶ୍ଚିମବଙ୍ଗରେ ୬ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ୩୦ ହଜାର ବାସଗୃହ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ବାତ୍ୟା ଦୁର୍ବଳ ହେବାପରେ କଲିକତା ବିମାନବନ୍ଦରରେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି। ବାଂଲାଦେଶର ବ୍ୟାପକ ଅଞ୍ଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି। ଏଥିଯୋଗୁ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। କୋଲକାତାର ବିବିବାଗାନରେ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ମୌସୁନି ଦ୍ବୀପରେ ଗଛ ପଡ଼ିଯିବାରୁ ଜଣେ ୮୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି।


COMMERCIAL BREAK
SCROLL TO CONTINUE READING

ବାଂଲାଦେଶର ଖୁଲ୍‌ନା, ଚିଟ୍ଟାଗଙ୍ଗ ଓ ବରିସାଲ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷତି ଘଟିଛି ବୋଲି ବରିସାଲ ପ୍ରଶାସକ ସୌକତ୍‌ ଅଲ୍ଲୀ ସୂଚନା ଦେଇଛନ୍ତି। ଏହି ୩ଟି ଜିଲ୍ଲାରେ ସମୁଦାୟ ୧ଲକ୍ଷ ୩୩ହଜାର ବାସଗୃହ କ୍ଷତିଗ୍ରସ୍ତ ହୋଇଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍‌ ପୁନଃ ସଂଯୋଗ ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ବାଂଲାଦେଶ ରୁରାଲ ଇଲେକ୍ଟ୍ରିଫିକେସନ୍ ବୋର୍ଡ ମୁଖ୍ୟଯନ୍ତ୍ରୀ ବିଶ୍ବନାଥ ସିକ୍‌ଦାର ଗଣମାଧ୍ୟମକୁ ଜଣାଇଛନ୍ତି। ବାତ୍ୟା ରେମାଲର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି। ପଶ୍ଚିମବଙ୍ଗର ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା ଏବଂ ପୂର୍ବ ମେଦିନପୁର ଜିଲ୍ଲାରେ ଚାଳଘର ଗୁଡ଼ିକର ଛପର ଉଡ଼ିଯାଇଛି। କୋଲକାତା ନିକଟସ୍ଥ ତଳୁଆ ଅଞ୍ଚଳରେ ଥିବା ଘରଗୁଡ଼ିକ ପାଣିଘେରରେ ରହିଛି।


ସୋମବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି‌ ଯେ ରେମାଲ୍ ଦୁର୍ବଳ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବା ସହିତ ଏହା ରାଜ୍ୟରେ ବ୍ୟାପକ କ୍ଷତି କରିଛି ବୋଲି କହିଛନ୍ତି। ନିର୍ବାଚନ ଆଚରଣବିଧି ଉଠିବା ପରେ ତୁରନ୍ତ କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ନେଇ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୩୫ କିଲୋମିଟର ଥିଲା।  ଏହା ମୁଖ୍ୟତଃ ପଶ୍ଚିମବଙ୍ଗର ଦକ୍ଷିଣ ଉପକୂଳ ଅଞ୍ଚଳରେ ଅଧିକ କ୍ଷତି ଘଟାଇଛି। ୨ ଲକ୍ଷ ୭ ହଜାର ଲୋକଙ୍କୁ ୧ହଜାର ୪୩୮ଟି ନିରାପଦ ଆଶ୍ରୟସ୍ଥଳକୁ ନିଆଯାଇଛି। 
ସମୁଦ୍ର ଏବେ ମଧ୍ୟ ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ଅନୁମତି ପ୍ରଦାନ କରାଯାଇନାହିଁ। ବିରାଟକାୟ ବୃକ୍ଷ ରାସ୍ତା ଉପରେ ଉପୁଡି ପଡିଥିବାରୁ ଗମନା ଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଉପୁଜିଛି। ତେବେ ସେହି ସ୍ଥାନକୁ ରିଲିଫ୍‌ ଓ ଉଦ୍ଧାରକାରୀ ଦଳ ପଠାଯାଇଥିବା କୁହାଯାଇଛି।


ସେହିପରି ସୋମବାର ଓ ମଙ୍ଗଳବାର ଆସାମ ସମେତ ଉତ୍ତର ପୂର୍ବାଞ୍ଚଳର ଅନ୍ୟ ରାଜ୍ୟରେ ବ୍ୟାପକ ବର୍ଷା ହେବ ବୋଳି ପାଣିପାଗ ବିଭାଗ କହିଛି। ବାତ୍ୟା ପାଇଁ ଆସାମର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ରେଡ୍‌ ଆଲର୍ଟ ଏବଂ ୧୧ଟି ଜିଲ୍ଲାରେ ଅରେଞ୍ଜ୍‌ ଆଲର୍ଟ ଜାରି କରାଯାଇଛି।