jammu kashmir: ନୂଆଦିଲ୍ଲୀ: ସାଂପ୍ରତିକ ସମୟରେ ଜାମ୍ମୁ କାଶ୍ମୀରରେ ହଠାତ୍ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି ଯୋଗୁଁ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ଜାମ୍ମୁ କାଶ୍ମୀରରେ ବୈଢୁଥିବା ଆତଙ୍କବାଦୀ ଘଟଣାକୁ କେନ୍ଦ୍ର କରି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ନୂଆଦିଲ୍ଲୀର ସାଉଥ ବ୍ଲକରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।


COMMERCIAL BREAK
SCROLL TO CONTINUE READING

ତେବେ ଏହି ବୈଠକ ଏଭଳି ସମୟରେ ହୋଇଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେପଟେ ଗୋଟିଏ ମାସ ମଧ୍ୟରେ ଜମ୍ମୁ କାଶ୍ମୀରର ଘାଟି ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହି ବୈଠକ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ରଖୁଛି। ବିଗତ କିଛି ଦିନ ମଧ୍ୟରେ ଏକାଧିକ ଭାରତୀୟ ଯବାନ ଘାଟିରେ ସହିଦ ହୋଇଥିବାର ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ସ୍ୱାଧିନତା ଦିବସ ପୂର୍ବରୁ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରେ ହାଇ ଆଲର୍ଟ ଜାରି କରିଛନ୍ତି। ବୈଠକରେ ଡୋଡାରେ ଚାଲିଥିବା ଅଭିଯାନକୁ ନେଇ ଚର୍ଚ୍ଚା ହୋଇଥିବା। ଜମ୍ମୁର ଡୋଡା ଅଞ୍ଚଳରେ ଅଭିଯାନକୁ ନେଇ ଜଣେ କ୍ୟାପ୍ଟେନ ସହିଦ ହୋଇଛନ୍ତି। ଏହା ସହିତ ୪ ଆତଙ୍କବାଦୀଙ୍କୁ ମାରି ଦିଆଯାଇଛି। 


ଜମ୍ମୁରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏଠାରେ ଆତଙ୍କୀ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୧୦ ଅଗଷ୍ଟରେ ଅନନ୍ତନାଗରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ଦୁଇ ଜଣ ଯବାନ ଓ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ଅଞ୍ଚଳରେ କଠୁଆରେ ସେନାଙ୍କ ଗାଡି ଉପରକୁ ଆତଙ୍କୀ ଆକ୍ରମଣ ହୋଇଥିଲା। ଡୋଡା ଓ ଉଦ୍ଧମପୁରରେ ଏବଂ କୁପୱାଡ଼ାରେ ମଚ୍ଛଲ ସେକ୍ଟରରେ ଏଲଓସି ଉପରେ ପାକିସ୍ତାନ ବର୍ଡର ଆକ୍ସନ ଟିମ ଦ୍ୱାରା କରାଯାଇଥିବା ଆକ୍ରମଣକୁ ଭାରତୀୟ ଯବାନ ପଣ୍ଡ କରିଦେଇଥିବା ଦେଖିବାକୁ ମିଳିଥିଲା। 


ଗୃହ ମନ୍ତ୍ରଣାଳୟ ଅନୁସାରେ ଏହି ବର୍ଷ ଜୁଲାଇ ୨୧ ସୁଦ୍ଧା ୧୧ଟି ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କିତ ଘଟଣା ଏବଂ ୨୪ ଆତଙ୍କବାଦୀ ବିରୋଧୀ ଅଭିଯାନରେ ନାଗରିକ ଏବଂ ସୁରକ୍ଷା କର୍ମୀଙ୍କ ସହିତ ୨୮ ଜଣଙ୍କ ପ୍ରାଣହାନୀ ଘଟିଛି।  ବିଗତ ଦୁଇ ମାସରେ ଲଗାତାର ଆତଙ୍କୀ ଆକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ବିଶେଷ କରି ପିର୍ ପଞ୍ଜାଲର ଦକ୍ଷିଣାଞ୍ଚଳରେ ଏହା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଗତ ୩ ବର୍ଷକୁ ଦୃଷ୍ଟିରେ ଦେଖିଲେ ଚଳିତ ବର୍ଷ ଘାଟିରେ ଦୁଇଗୁଣା ବୃଦ୍ଧି ପାଇଛି। ସେପଟେ ଆଗାମୀ କିଛି ଦିନ ପରେ ଜମ୍ମୁ କାଶ୍ମୀରରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାଯାଇଛି।