Russian Crude Oil News: ଭାରତରୁ ୟୁରୋପ ଅଭିମୁଖେ ପଠାଯାଉଛି ଋଷୀୟ ତୈଳ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ୟୁକ୍ରେନ ବିରୋଧରେ ରଣାଙ୍ଗନରେ ଅବତୀର୍ଣ୍ଣ  ହେବା ପରେ ଯୁକ୍ତାରାଷ୍ଟ୍ର ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ଦେଶ ଋଷୀୟ ତୈଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯାହାର ପ୍ରଭାବ ସମଗ୍ର ବିଶ୍ୱରେ ଅନୁଭୂତ ହୋଇଛି। ଋଷୀୟ ତୈଳ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଅନେକ ଦେଶରେ ଶକ୍ତି ସଂକଟ ଭଳି ସମସ୍ୟା ଉପୁଜିଛି। ଯେଉଁଥିରୁ ୟୁରୋପ ମହାଦେଶ ମଧ୍ୟ ବାଦ ପଡ଼ିନାହିଁ। 


COMMERCIAL BREAK
SCROLL TO CONTINUE READING

ୟୁକ୍ରେନ ଯୁଦ୍ଧ ପର ଠାରୁ ପାରମ୍ପରିକ ସହଯୋଗୀ ଋଷିଆ ପାଖରୁ ଭାରତ ପକ୍ଷରୁ କରାଯାଉଥିବା ଅଶୋଧିତ ତୈଳ ଆମଦାନୀ ବହୁଗୁଣିତ ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଋଷିଆ ପାଖରୁ ଅଶୋଧିତ ତୈଳର ଏକ ରେକର୍ଡ ପରିମାଣ ଆମଦାନୀ କରାଯାଇଛି। ବର୍ତ୍ତମାନ ଜାହାଜର ଟ୍ରାକିଂ ତଥ୍ୟକୁ ଆଧାର କରି ଦାବି କରାଯାଉଛି ଯେ ଭାରତୀୟ ତୈଳ ବିଶୋଧନଗାର ଋଷୀୟ ଅଶୋଧିତ ତୈଳ ପ୍ରକ୍ରିୟାକରଣ କରି ୟୁରୋପ ମହାଦେଶକୁ ରପ୍ତାନୀ କରିଛନ୍ତି। ଯେଉଁଥିରେ ଡିଜେଲ ଏବଂ ଜେଟ ଇନ୍ଧନ ଭଳି ଜୀବାଶ୍ମ ଇନ୍ଧନର ପରିମାଣ ସର୍ବାଧିକ ରହିଥିବା ଜଣାପଡ଼ିଛି। ଋଷୀୟ ତୈଳ ଉପରେ ଲାଗାଯାଇଥିବା ପ୍ରତିବନ୍ଧକ କାରଣରୁ ଋଷିଆ ସିଧାସଳଖ ୟୁରୋପୀୟ ଦେଶକୁ ଏହାର ତୈଳ ରପ୍ତାନି କରିବାରେ ସକ୍ଷମ ନୁହେଁ। ଏହି ରିପୋର୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଶସ୍ତା ଋଷୀୟ ଅଶୋଧିତ ତୈଳ ଭାରତୀୟ ତୈଳ ବିଶୋଧନାଗାରର ପହଞ୍ଚିବ ଦ୍ୱାରା ଉତ୍ପାଦନ ଏବଂ ଲାଭ ପରିମାଣ ବୃଦ୍ଧି ପାଇଛି। ଯାହା ଭାରତୀୟ ତୈଳ ବିଶୋଧନାଗାରକୁ ୟୁରୋପ ମହାଦେଶରେ ବିଶୋଧିତ ଉତ୍ପାଦ ରପ୍ତାନି କରିବାକୁ ଏବଂ ବଜାରର ଏକ ବଡ଼ ଅଂଶ ହାସଲ କରିବାକୁ ସକ୍ଷମ କରିଛି।


ୟୁକ୍ରେନ ଉପରେ ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣ ପୂର୍ବରୁ ୟୁରୋପ ସାଧାରଣତଃ ଦିନକୁ ହାରାହାରି ୧ ଲକ୍ଷ ୫୪ ହଜାର ବ୍ୟାରେଲ ପରିମାଣର ଡିଜେଲ ଏବଂ ଜେଟ ଇନ୍ଧନ ଆମଦାନୀ କରୁଥିଲା। ଜାହାଜ ଟ୍ରାକିଂ ଡାଟା ସେୟାରିଂ କମ୍ପାନୀ କେପଲର ତଥ୍ୟ ଦର୍ଶାଇଛି ଯେ ୫ ଫେବୃଆରୀରୁ ଋଷୀୟ ତୈଳ ଉତ୍ପାଦ ଆମଦାନୀ ଉପରେ ୟୁରୋପୀୟ ସଂଘ ପ୍ରତିବନ୍ଧକ ଲଗାଇବା ପରେ ତୈଳ ଯୋଗାଣ ପରିମାଣ ୨ ଲକ୍ଷ ବ୍ୟାରେଲକୁ ବୃଦ୍ଧି ପାଇଛି। ଏ ସମ୍ପର୍କିତ ତଥ୍ୟ ଅନୁସାରେ ଗତ ମାର୍ଚ୍ଚ ପର୍ଯ୍ୟନ୍ତ ଭାରତରୁ ଆମଦାନୀ କରାଯାଉଥିବା ଋଷୀୟ ଅଶୋଧିତ ତୈଳର ପରିମାଣ ବୃଦ୍ଧି ପାଇଛି। ଏହି ରିପୋର୍ଟ ଅନୁସାରେ  ବିଗତ ଆର୍ଥିକ ବର୍ଷରେ ଭାରତ ସର୍ବୋଚ୍ଚ ତୈଳ ଯୋଗାଣକାରୀ ଭାବରେ ଉଭା ହୋଇଛି। ହେଲେ ଏହା ପୂର୍ବରୁ ଭାରତ ଇରାକ ପାଖରୁ ଅଧିକାଂଶ ଅଶୋଧିତ ତୈଳ ଆମଦାନୀ କରୁଥିଲା।


କେପଲର ଏବଂ ଭର୍ଟେକ୍ସ ତଥ୍ୟ ଅନୁଯାୟୀ, ୟୁକ୍ରେନ ଯୁଦ୍ଧ ପୂର୍ବରୁ ଭାରତୀୟ ତୈଳ ବିଶୋଧନାଗାର ପରିବହନ ଖର୍ଚ୍ଚ ହେତୁ କ୍ୱଚିତ ପରିମାଣରେ ଋଷୀୟ ପାଖରୁ ଅଶୋଧିତ ତୈଳ କ୍ରୟ କରୁଥିଲେ। ସେମାନେ ଗତ ବର୍ଷରୁ ଚଳିତ ବର୍ଷ ମଧ୍ୟରେ ଋଷିଆ ପାଖରୁ ୯ ଲକ୍ଷ ୭୦ ହଜାରରୁ ୯ ଲକ୍ଷ ୮୧ ହଜାର ବ୍ୟାରେଲ ପରିମାଣର ଅଶୋଧିତ ତୈଳ ଆମଦାନୀ କରିଥିଲେ। ଯେତେବେଳେ ଏହି ସମୟ ମଧ୍ୟରେ ଭାରତର ମୋଟ ଅଶୋଧିତ ତୈଳ ଆମଦାନୀ ୪୫ ଲକ୍ଷରୁ ୪୬ ଲକ୍ଷ ବ୍ୟାରେଲ ପରିମାଣରେ ପହଞ୍ଚିଛି ଯାହାର ଅର୍ଥ ହେଉଛି ମୋଟ ଅଶୋଧିତ ତୈଳ ଆମଦାନୀ ମଧ୍ୟରୁ ଭାରତ ଏକ ପଞ୍ଚମାଂଶ ଋଷିଆ ପାଖରୁ କିଣିଛି। ତଥ୍ୟ ଏହା ମଧ୍ୟ ପ୍ରକାଶ କରିଛି ଯେ ୨୦୨୧-୨୨ ବର୍ଷ ମଧ୍ୟରେ ଇରାକ ପାଖରୁ ଭାରତ ପକ୍ଷରୁ ଆମଦାନୀ ହେଉଥିବା ଅଶୋଧିତ ତୈଳ ପରିମାଣ ୧୦ ଲକ୍ଷରୁ ୯ ଲକ୍ଷ ୩୬ ହଜରାରୁ ୯ ଲକ୍ଷ ୬୧ ହଜାର ବ୍ୟାରଲେ ପର୍ଯ୍ୟନ୍ତ ହ୍ରାସ ପାଇଛି।


ଭାରତ ଋଷିଆ ପାଖରୁ ସର୍ବାଧିକ ପରିମାଣର ୟୁରାଲ ଗ୍ରେଡ୍ ଅଶୋଧିତ ତୈଳ ଆମଦାନୀ କରିଛି। ଏହା ସହିତ କିଛି ବିଶୋଧନାଗାର ଋଷିଆର ଦୂର ପୂର୍ବ ଏବଂ ଆର୍କଟିକ୍ ଗ୍ରେଡ୍ ଯେପରିକି ସୋକୋଲ୍, ଆର୍କୋ, ନୋଭି ପୋର୍ଟ ଏବଂ ଇଏସପିଓ ବ୍ଲେଣ୍ଡ ଠାରୁ ହାଲୁକା ଗ୍ରେଡ୍ ଅଶୋଧିତ ତୈଳ ଆମଦାନୀ କରିଛି। ଋଷିଆର ବୃହତ୍ତମ ତୈଳ ଉତ୍ପାଦନକାରୀ ରୋଜନେଫ୍ଟ ଏବଂ ଭାରତର ବୃହତ୍ତମ ବିଶୋଧନାଗାର କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ମଧ୍ୟ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହା ଅଧୀନରେ ଭାରତୀୟ କମ୍ପାନୀ ଆସନ୍ତା କିଛି ବର୍ଷ ପାଇଁ ଋଷିଆ ପାଖରୁ ଅଶୋଧିତ ତୈଳ ଆମଦାନୀ କରିବେ।