Trending Photos
Odisha News: ଭୁବନେଶ୍ୱର: ରାଜ୍ୟରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ଉପରେ ରୋକ ଲଗାଇବାକୁ ସରକାର ଅଣ୍ଟା ଭିଡିଛନ୍ତି। ଗତ ୧ ତାରିଖରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ପ୍ରାୟ ବନ ବିଭାଗ ଦେଇଥିବା ତଥ୍ୟରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ବିଗତ ପ୍ରାୟ ଏକ ମାସ ମଧ୍ୟରେ ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିବା ବେଳେ ପାଖାପାଖି ୨୩୭୫ ଏକର ଜମିରେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ବନବିଭାଗ। ଏହା ସହିତ ୨୭ ଲକ୍ଷରୁ ଊର୍ଦ୍ଧ୍ୱ ଗଛକୁ ନଷ୍ଟ କରିଥିବା ନେଇ ତଥ୍ୟରେ ପ୍ରକାଶ ପାଇଛି।
ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ କରି ୨୪ ତାରିଖ ମଧ୍ୟରେ ବନବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି ଚଢାଉ ମଧ୍ୟରେ କେଉଁଠାରେ ଗଞ୍ଜେଇ ଗଛକୁ ନଷ୍ଟ କରିଥିଲା ତ ଆଉ କେଉଁଠି ଗଞ୍ଜେଇକୁ ଜବତ କରିଥିଲା। ତେବେ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଚଢାଉ ସମୟରେ ବୌଦ୍ଧରୁ ସର୍ବାଧିକ ଏକରର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ବୌଦ୍ଧରେ ୯୫୯ ଏକର ଜମିରେ ପ୍ରାୟ ୯,୭୯,୭୬୩ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଏହା ସହିତ ୧୪ଟି ମାମଲା ରୁଜୁ କରିଛି ବନ ବିଭାଗ। ଏହା ପରେ କନ୍ଧମାଳରେ ୯୨୦ ଏକର ଜମିରେ ୯,୭୭,୧୦୦ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୧୪ଟି ମାମଲ ରୁଜୁ କରିଛି।
ସେହିପରି ରାୟଗଡ଼ା ଜିଲ୍ଲାରେ ୬୯ ଏକର ଜମିରେ ୨,୧୮,୦୦୦ ଗଛ ନଷ୍ଟ କରାଯାଇଛି। ମାଲକାନଗିରିରେ ୧୬୧ ଏକର ଜମିରେ ୨,୩୮,୦୦୦ ଗଛ, କୋରାପୁଟରେ ୧୫୩ ଏକର ଜମିରେ ୧,୯୫,୧୦୦ ଗଛ ଓ ଗଜପତିରେ ୧୧୩ ଏକର ଜମିତରେ ୧,୮୪,୦୦୦ ଗଛ ନଷ୍ଟ କରାଯାଇଛି। ଏହା ସହିତ ରାୟଗଡ଼ାରେ ୫ଟି, ମାଲକାନଗିରିରେ ୧୪ଟି, କୋରାପୁଟରେ ୬ଟି, ଗଜପତିରେ ୨ ମାମଲା ରୁଜୁ କରାୟାଇଛି।
ସେହିପରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟ ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ଚଢାଉ କରାଯାଇ ଗଞ୍ଜେଇ ଜବତ କରାଯାଇଛି। ଉପରେ ପ୍ରଦତ୍ତ ସମୟସୀମା ମଧ୍ୟରେ ମୋଟ ୫୩୦୦ କେଜି ଗଞ୍ଜେଇ ଜବତ ହେବା ସହିତ ମୋଟ ୫୪ଟି ମାମଲା ରୁଜୁ କରାଯାଇଛି। ଏହି ମାମଲା ରୁଜୁ ହେବା ସହିତ ମୋଟ ୧୦୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଭୁବନେଶ୍ୱରରୁ ମୋଟ ୮୩ କିଲୋ ୬୫୦ ଗ୍ରାମ ଗଞ୍ଜେଇ ଜବତ ହେବା ସହିତ ୧୨ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ମାଲକାନଗିରିରେ ୫୩୦ କେଜି ଗଞ୍ଜେଇ ଜବତ ହେବା ସହିତ ୮ ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେହିପରି କୋରାପୁଟରେ ୧୧୭୦.୩୦୭ କେଜି ଗଞ୍ଜେଇ, ବୌଦ୍ଧରେ ୧୦୪.୪୫୦ କେଜି ଗଞ୍ଜେଇ, କନ୍ଧମାଳରେ ୧୦୮୬.୫୮୦ କେଜି ଗଞ୍ଜେଇ , ଗଜପତିରେ ୮୪୧.୮୦୦ କେଜି ଗଞ୍ଜେଇ, ମୟୂରଭଞ୍ଜରେ ୧୬୬.୬୦ କେଜି ଗଞ୍ଜେଇ, ଏସଟିଏଫ ୧୦୦୩ କେଜି ଗଞ୍ଜେଇ ଜବତ, ବାଲେଶ୍ୱରରୁ ୧.୦୩୦ କେଜି ଗଞ୍ଜେଇ, ବରଗଡ଼ରୁ ୨୩.୫୭୦ କେଜି, ବଲାଙ୍ଗୀରରୁ ୪୩.୦୭୦ କେଜି ଗଞ୍ଜେଇ, ରାଉରକେଲାରୁ ୫୯.୦୬୫ କେଜି, ସୋନପୁରରୁ ୨୬.୭୨୦ କେଜି ଗଞ୍ଜେଇ, ନୟାଗଡ଼ରୁ ୫୮.୩୦୦ ଗ୍ରାମ ଗଞ୍ଜେଇ, ରାଉରକେଲା ଏସଆରପି ୨୫ କେଜି ଗଞ୍ଜେଇ, ଗଞ୍ଜାମରୁ ୫ କେଜି ଗଞ୍ଜେଇ ଓ ସମ୍ବଲପୁରରୁ ୪୨ କେଜି ଗଞ୍ଜେଇ ଜବତ ହୋଇଛି।
ସେହିପରି ଗଞ୍ଜେଇ ଜବତ ହେବା ସହିତ ବିଭିନ୍ନ ସ୍ଥାନରୁ ସ୍ଥାନୀୟ ପୋଲିସ ଓ ବନବିଭାଗ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଗିରଫ କରିଥିଲା। ମିଳିଥିବା ତଥ୍ୟ ଅନୁଯାୟୀ ମାଲକାନଗିରିରେ ୪ଟି ମାମଲା ରୁଜୁ ହେବା ସହିତ ୮ ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି କୋରାପୁଟରେ ୫ଟି ମାମଲା ରୁଜୁ ହେବା ସହିତ ୯ ଜଣଙ୍କୁ, ବୌଦ୍ଧରେ ୫ଟି ମାମଲା ରୁଜୁ ହେବା ସହିତ ୫ଜଣଙ୍କୁ, କନ୍ଧମାଳରେ ୭ଟି ମାମଲା ରୁଜୁ ହେବା ସହିତ ୧୪ ଜଣଙ୍କୁ ଗିରଫ, ଗଜପତିରେ ୪ଟି ମାମଲା ରୁଜୁ ହେବା ସହିତ ୭ ଜଣଙ୍କୁ ଗିରଫ, ମୟୂରଭଞ୍ଜରେ ୩ଟି ମାମଲା ରୁଜୁ ହେବା ସହିତ ୫ ଜଣଙ୍କୁ ଗିରଫ, ଏସଟିଏଫରେ ଗୋଟିଏ ମାମଲା ରୁଜୁ ହେବା ସହିତ ୬ ଜଣଙ୍କୁ ଗିରଫ, ବାଲେଶ୍ୱରରେ ଜଣଙ୍କୁ ଗିରଫ, ବରଗଡ଼ରେ ୩ଟି ମାମଲା ରୁଜୁ ହେବା ସହିତ ୬ ଜଣଙ୍କୁ ଗିରଫ, ବଲାଙ୍ଗିରରେ ୨ଟି ମାମଲା ରୁଜୁ ହେବା ସହିତ ୨ ଜଣଙ୍କୁ ଗିରଫ, ଭୁବନେଶ୍ୱର ୟୁପିଡିରେ ୫ଟି ମାମଲା ରୁଜୁ ହେବା ସହିତ ୧୨ ଜଣଙ୍କୁ ଗିରଫ, ରାଉରକେଲାରେ ୪ଟି ମାମଲା ରୁଜୁ ହେବା ସହିତ ୪ ଜଣଙ୍କୁ ଗିରଫ, ସୋନପୁରରେ ୪ଟି ମାମଲା ରୁଜୁ ହେବା ସହିତ ୭ ଜଣଙ୍କୁ ଗିରଫ, ରାଉରକେଲା ଏସଆରପି ଗୋଟିଏ ମାମଲା ରୁଜୁ ହେବା ସହିତ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଗଞ୍ଜାମ ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଥିଲା ବେଳେ ଯଥାକ୍ରମେ ୨ ଓ ୭ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ରହିଛି।