Budget 2024(ଭୁବନେଶ୍ୱର) : ପ୍ରତି ବର୍ଷ କେନ୍ଦ୍ର ସରକାରଙ୍କ ଶିକ୍ଷା ବଜେଟ୍‍ ଅଂଶ କମିବାରେ ଲାଗିଛି। ବିଗତ ବର୍ଷଗୁଡ଼ିକୁ ତୁଳନା କଲେ ଏହା ୨୦ ବର୍ଷରେ ସର୍ବନିମ୍ନ ହୋଇଛି। ବିଭିନ୍ନ ସ୍ତରରେ ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ସବୁଠାରୁ ପ୍ରମୁଖ ପ୍ରସଙ୍ଗ ସାମ୍ନାକୁ ଆସୁଛି କେନ୍ଦ୍ର ସରକାର ନୂଆ ଶିଧକ୍ଷାନୀତି  ଲାଗୁ କରିବେ କିପରି? ପୁଣି ଯେଉଁ ଦେଶରେ  ବର୍ଷକୁ ବର୍ଷ ଉଚ୍ଚ ଶିକ୍ଷା ପାଇଁ ମେଧାବୀ ଛାତ୍ର ବିଦେଶ ଯାଉଛନ୍ତି ତାହାକୁ ରୋକିବେ କିପିରି? 


COMMERCIAL BREAK
SCROLL TO CONTINUE READING

ଲୋକସଭାରେ ପ୍ରଶ୍ନୋତ୍ତର କାଳ ହେଉ ବା ବଜେଟ୍‍ ଆଲୋଚନା, ସବୁ ସମୟରେ କେନ୍ଦ୍ର ସରକାରଙ୍କ ଏପରି ବଜେଟ୍‍ କମାଇବା ପ୍ରସଙ୍ଗକୁ ନେଇ  ବିରୋଧୀ ଦଳ  ସରକାରଙ୍କୁ ଘେରିଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ମୋଦୀ ସରକାରଙ୍କ ତୃତୀୟ ପାଳିରେ ଶିକ୍ଷା ପାଇଁ ସମୁଦାୟ ବଜେଟ୍‍ର ୨.୫ ପ୍ରତିଶତ ଆବଣ୍ଟନ କରାଯାଇଛି। ଯଦି ଏହାକୁ ପୂର୍ବ ବର୍ଷଗୁଡ଼ିକ ସହ ତୁଳନା କରିବା ତେବେ ଜଣାଯାଏ ଯେ, ୨୦୧୧-୧୨ ଆର୍ଥିକ ବଜେଟରେ ଏହା ସର୍ବାଧିକ ୫.୦୪ ପ୍ରତିଶତ ଥିଲା। ପୁଣି ଗତ ୨୦ ବର୍ଷର ହିସାବକୁ ଦେଖିଲେ, ୨୦୦୯-୧୦ ଆର୍ଥିକ ବର୍ଷରେ ଏହି ବଜେଟ୍‍ ଅଂଶ ସମୁଦାୟ ବଜେଟର ୪.୩୬ ପ୍ରତିଶତ ଥିବାବେଳେ ୨୦୧୦-୧୧ରେ ୪.୫%, ୨୦୧୨-୧୩ରେ ୪.୯୭%, ୨୦୧୩-୧୪ରେ ୪.୭୭ ପ୍ରତିଶତ ଥିଲା।


 ୟୁପିଏଠାରୁ କ୍ଷମତା ନେବା ପରେ ମୋଦୀ ସରକାର ୨୦୧୪-୧୫ ଆର୍ଥିକ ବର୍ଷ ଲାଗି ବଜେଟ୍‍ ଉପସ୍ଥାପନ କରିଥିଲେ।  ଏବର୍ଷ ବଜେଟ୍‍ ପରିମାଣ ମୋଟ୍‍ ବଜେଟର ୪,୬୧% ରହିଥିଲା। ଏହାପରେ ଧୀରେ ଧୀରେ ଏହି ଅଂଶକୁ ହ୍ରାସ କରାଯାଇଥିଲା। ୨୦୧୫-୧୬ରେ ମୋଟ ବଜେଟ୍‍ ପରିମାଣର ୩.୮୯ ପ୍ରତିଶତ ଶିକ୍ଷା ପାଇଁ ଆବଣ୍ଟିତ ହେଉଥିବାବେଳେ, ୨୦୧୬-୧୭ରେ ୩.୬୬%, ୨୦୧୭-୧୮ରେ ୩.୭୧%, ୨୦୧୭-୧୮ରେ ୩.୭୧%, ୨୦୧୮-୧୯ରେ ୩.୪୮% ରହିଥିଲା। 


ଏହାପରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳି ଆରମ୍ଭ ହୋଇଥିଲା। ୨୦୧୯-୨୦ରେ ମୋଦୀ ସରକାର ଶିକ୍ଷା ପାଇଁ ମୋଟ ବଜେଟର ୩.୪୦ ପ୍ରତିଶତ ଆବଣ୍ଟନ କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରେ ୩.୨୬%, ୨୦୨୧-୨୨ରେ ୨.୬୮%, ୨୦୨୨-୨୩ରେ ୨.୬୪%, ଏବଂ ୨୦୨୩-୨୪ରେ ୨.୫୧ ପ୍ରତିଶତ ଥିଲା। 


ବଜେଟରେ ଏପରି ହ୍ରାସ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂଆ ଶିକ୍ଷାନୀତି ଏହି କମ୍‍ ଆବଣ୍ଟନ ଦ୍ୱାରା ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯଦିଓ ଏହି ଶିକ୍ଷାନୀତି ବିଶ୍ୱସ୍ତରରେ ପ୍ରଦାନ କରାଯାଉଥିବା ଶିକ୍ଷାକୁ ଆଧାର କରି ପ୍ରସ୍ତୁତ ହୋଇଛି କିନ୍ତୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରଫେସରଙ୍କ ଅଭାବ, ଭିତ୍ତିଭୂମି, ପରୀକ୍ଷାଗାର ଅଭାବ ଏହାକୁ ଆଶଙ୍କା ଭିତରକୁ ଠେଲି ଦେଇଛି। ଏହିକ୍ରମରେ ନୂଆ ଶିକ୍ଷାନୀତି ପାଇଁ ଅଧିକ ବଜେଟ ଆବଶ୍ୟକତା ରହିଛି। ଏହାକୁ ନେଇ ଅନେକ ସମୟରେ ବୁଦ୍ଧିଜୀବୀ ଓ ସାଂସଦମାନେ ମଧ୍ୟ ଦାବି କରିଛନ୍ତି। 


ଏପରିକି ଭାରତରେ ଉପଯୁକ୍ତ ଶିକ୍ଷା ଭିତ୍ତିଭୂମି ଅଭାବରୁ ମେଧାବୀ ଛାତ୍ର ବାହାର ବିଶ୍ୱବିଦ୍ୟାଳୟକୁ ପାଠ ପଢ଼ିବା ଲାଗି ଚାଲି ଯାଉଥିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଲୋକସଭାରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଅନୁସାରେ, ୨୦୧୬ ମସିହାରେ ଦେଶରୁ ୩ଲକ୍ଷ ୬୯ ହଜାର ୮୭୬ ଜଣ ଛାତ୍ରଛାତ୍ରୀ ବିଦେଶକୁ ପାଠ ପଢ଼ିବା ଲାଗି ଯାଇଥିଲେ। ଏହି ସଂଖ୍ୟା ୨୦୨୩ରେ ପାଖାପାଖି ଅଢ଼େଇ ଗୁଣ ବୃଦ୍ଧି ପାଇ ୮ଲକ୍ଷ ୯୪ ହଜାର ୭୮୩ରେ ପହଞ୍ଚିଥିଲା। ୨୦ ଜୁଲାଇ ସୁଦ୍ଧା ଚଳିତ ବର୍ଷ ପ୍ରାୟ ୩ଲକ୍ଷ ୬୦ ହଜାର ୫୮୮ ଜଣ ଛାତ୍ରଛାତ୍ରୀ ବିଦେଶୀ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ଲାଗି ଯାଇଥିବା ଜଣାପଡ଼ିଛି। 


ଶିକ୍ଷାମନ୍ତ୍ରୀ ଏହାକୁ ଜ୍ଞାନଭିତ୍ତିକ ଅର୍ଥନୀତିର ଅଂଶ ବୋଲି କହୁଥିଲେ ମଧ୍ୟ ବିଦେଶକୁ  ଆମ ଦେଶର ପ୍ରତିଭା ଯାଇ ସେଠାରେ କର୍ମ ନିଯୁକ୍ତି ପାଇବା ଦେଶରୁ ପ୍ରତିଭା ପଳାୟନ ଭଳି ହେଉଛି ବୋଲି ଅଭିଯୋଗ ହୋଇଛି। ଏଣୁ ସରକାରଙ୍କୁ ଏ ଦିଗରେ ଧ୍ୟାନ ଦେବା ତଥା ଭାରତରେ ବିଦେଶୀ ବିଶ୍ୱବିଦ୍ୟାଳୟ ମାନଙ୍କ ଏଜେନ୍ସୀକୁ ବନ୍ଦ କରିବା ପାଇଁ ଲୋକସଭାରେ ଦାବି ହୋଇଛି।  


ହେଲେ ସରକାରୀ ଯୁକ୍ତି ଅନୁସାରେ ସମୁଦାୟ ଆର୍ଥିକ ଆବଣ୍ଟନକୁ ଦେଖିଲେ ଏହା କ୍ରମଶଃ ବଢ଼ି ଚାଲିଛି। ୟୁପିଏ ସରକାର ସର୍ବାଧିକ ୨୦୧୩-୧୪ ଆର୍ଥତକ ବର୍ଷରେ ୭୯ ହଜାର ୪୫୧ କୋଟି ଟଙ୍କା ଶିକ୍ଷା ବିଭାଗ ପାଇଁ ଆବଣ୍ଟନ କରାଯାଇଥିଲା। ଏହା ଏବେ ଚଳିତ ବର୍ଷ ଲାଗି ୧ ଲକ୍ଷ ୨୦ ହଜାର ୬୨୮ କୋଟି ଟଙ୍କାରେ ପହଞ୍ଚିଛି। ଆଗକୁ ନୂଆ ଶିକ୍ଷାନୀତିର ବ୍ୟାପକ କାର୍ଯ୍ୟକାରୀତା ଦ୍ୱାରା ଦେଶରେ ଶିକ୍ଷା ପାଇଁ ବିଦେଶରୁ ଶିକ୍ଷାର୍ଥୀଙ୍କ ଆଗମନ ବଢ଼ିବ ତଥା ଜ୍ଞାନଭିତ୍ତିକ ବିଶ୍ୱ ଅର୍ଥନୀତିକ ବ୍ୟବସ୍ଥାରେ ଭାରତର ଭୂମିକା ଅଗ୍ରଣୀ ହେବ ବୋଲି ସରକାର ଆଶା ରଖିଛନ୍ତି।