Dollar vs Rupee: ଗତ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଡଲାର ତୁଳନାରେ ଟଙ୍କା ବିନିମୟ  (Exchange Rate) ମୂଲ୍ୟ । ଟଙ୍କା ଦୁର୍ବଳ ହେବା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି । ପ୍ରଥମଟି ହେଉଛି ଆମେରିକାର ଫେଡେରାଲ ରିଜର୍ଭ (Federal Reserve) ଦ୍ୱାରା ସୁଧ ହାରରେ ବୃଦ୍ଧି ଏବଂ ଦ୍ୱିତୀୟଟି ହେଉଛି ସାରା ବିଶ୍ୱରେ ମୁଦ୍ରାସ୍ଫୀତି ବୃଦ୍ଧି ବା ପୁଞ୍ଜିବଜାରରେ ଅବନତି ଆଶଙ୍କା।


COMMERCIAL BREAK
SCROLL TO CONTINUE READING

ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ଦିନ ଟଙ୍କା ଦୁର୍ବଳ ହୋଇ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଶୁକ୍ରବାର କାରବାର ଆରମ୍ଭରେ ଟଙ୍କା ୩୯ ପଇସା ହ୍ରାସ ପାଇ ୮୧.୮୧ରେ ପହଞ୍ଚିଥିଲା । ବର୍ତ୍ତମାନ ଡଲାର ତୁଳନାରେ ଟଙ୍କା ୮୧.୧୨ ସ୍ତରରେ ରହିଛି। ଏହାପୂର୍ବରୁ ଗୁରୁବାର କାରବାରରେ ଟଙ୍କା ୮୩ ପଇସା ହ୍ରାସ ପାଇ ୮୦.୭୯ରେ ବନ୍ଦ ହୋଇଥିଲା। ଶୁକ୍ରବାର ମଧ୍ୟ ପୁଞ୍ଚିବଜାରରେ ଫେଡ ନିଷ୍ପତ୍ତିର ପ୍ରଭାବ ଦେଖାଯାଇଥିଲା  ଓ ଟଙ୍କା ବିନିମୟ ମୂଲ୍ୟ ୩୯ ପଇସା ହ୍ରାସ ପାଇ ୮୧.୧୮ ସ୍ତରରେ ପହଞ୍ଚିଥିଲା। ଗୋଟିଏ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ଟଙ୍କା ବିନିମୟ ମୂଲ୍ୟରେ ଏହା ସବୁଠାରୁ ବଡ଼ ହ୍ରାସ ଥିଲା।  ଏବେ ଜାଣିନିଅନ୍ତୁ, ନିକଟ ଅତୀତରେ, କେଉଁ କାରଣରୁ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ପାଉଛି? ଡଲାର ତୁଳନାରେ ବର୍ତ୍ତମାନ ଦୁର୍ବଳ ହୋଇଥିବା ଟଙ୍କା ୮୧ ସ୍ତରରେ ପହଞ୍ଚିବାର କାରଣ କ’ଣ?


ଆଗାମୀ ସମୟରେ ଆହୁରି ହ୍ରାସ ପାଇବ କି ବିନିମୟ ମୂଲ୍ୟ?


ବଜାର ବିଶେଷଜ୍ଞଙ୍କ ଅନୁସାରେ ଗତ ୨ ଦିନ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ହେବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ପ୍ରଥମଟି ହେଉଛି ଆମେରିକାର ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାରରେ ବୃଦ୍ଧି ।  ଫେଡ୍ ର ଏହି ନିଷ୍ପତ୍ତି କାରଣରୁ  ଡଲାର ସୂଚକାଙ୍କ (US Dollar Index) ପୂର୍ବାପେକ୍ଷା ମଜଭୁତ ହୋଇଛି । ବିଦେଶୀ ମୁଦ୍ରା କାରବାର ସଂସ୍ଥା ଫୋରେକ୍ସ ଟ୍ରେଡର (Forex Traders) ଏହି କାରଣରୁ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ପାଇଥିବା ସ୍ପଷ୍ଟ  କରିଛି । 


ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ (Federal Reserve) ସୁଧ ହାର ବୃଦ୍ଧି କରିଥିବାରୁ ସାରା ବିଶ୍ୱର ମୁଦ୍ରା ପୂର୍ବାପେକ୍ଷା ଦୁର୍ବଳ ହୋଇଛି । ଆଗାମୀ ସମୟରେ ଟଙ୍କା ବିନିମୟ ମୂଲ୍ୟ ଆହୁରି ହ୍ରାସ ପାଇବା ଆଶଙ୍କା ରହିଛି । ପୁଞ୍ଜିବଜାରରେ ଟଙ୍କା ଦୁର୍ବଳ ହେବାର ଦ୍ୱିତୀୟ କାରଣ ହେଉଛି ସାରା ବିଶ୍ୱରେ ମୁଦ୍ରାସ୍ଫୀତି ବୃଦ୍ଧି।  ଏହି କାରଣରୁ ଅନେକ ଦେଶରେ ମାନ୍ଦାବସ୍ଥା ଦେଖାଦେଇଛି । ଏହି କାରଣରୁ ଟଙ୍କା ଦୁର୍ବଳ ହେବାରେ ଲାଗିଛି । 


ବିନିମୟ ମୂଲ୍ୟ ହ୍ରାସ ପାଉଥିବାରୁ କିଛି ପଦକ୍ଷେପ ନେବ କି RBI ?
 
ଡଲାର ଇଣ୍ଡେକ୍ସ (US Dollar Index) ପୂର୍ବାପେକ୍ଷା ଦୃଢ଼ ହେବା ପରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଅଢେଇ ପ୍ରତିଶତ ଯାଏ ହ୍ରାସ ପାଇବା ଆଶଙ୍କା ଥିଲା କିନ୍ତୁ ଏହା ଦେଢ଼େ ପ୍ରତିଶତ ମଧ୍ୟରେ ରହଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ହ୍ରାସ ପାଉଥିବା ଟଙ୍କା ବିନିମୟ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, କେଉଁ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଡଲାର ସୂଚକାଙ୍କର ପ୍ରଭାବରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇଥିବାରୁ RBI କୌଣସି ବିକଳ୍ପ ଚିନ୍ତା କରିପାରେ । କାରଣ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ପୂର୍ବରୁ କେବେ ବି ୮୦ ଛୁଇଁ ନଥିଲା । ଏହାବି ହୋଇପାରେ କେଉଁ ସ୍ତର ଯାଏ ହ୍ରାସ ପାଇ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ସ୍ଥିର ରହିବ, ତାହା ଦେଖିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କୌଣସି ଦୃଢ଼ ପଦକ୍ଷେପ ନେଇପାରେ । 



RBI ନିକଟରେ ରହିଛି କେଉଁ ବିକଳ୍ପ? 


ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ କେଉଁ ସ୍ତରରେ ପହଞ୍ଚିଲେ RBI ବିକଳ୍ପ ପଦକ୍ଷେପ ଗ୍ରହଣ କରିବ ? ଏହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ନିଶ୍ଚିତ ବିନିମୟ ମୂଲ୍ୟକୁ ୮୦ରୁ କମ୍ ସ୍ତରରେ ରଖିବାକୁ ଉଦ୍ୟମ କରିବ । ପୁଞ୍ଜିବଜାରର ସାମ୍ପ୍ରତିକ ସ୍ଥିତିକୁ ଦେଖି ବିନିମୟ ମୁଦ୍ରା ସ୍ତର ୮୧.୫୦ ରୁ ୮୨ ସ୍ତର ଛୁଇଁପାରେ ବୋଲି ପୁଞ୍ଜିବଜାର ବିଶେଷଜ୍ଞ ଆକଳନ କରୁଛନ୍ତି । ଯଦି ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟକୁ ମଜଭୁତ୍ କରିବା ପାଇଁ RBI ପଦକ୍ଷେପ ଗ୍ରହଣ କରେ, ତେବେ ଏହାର ପ୍ରଭାବ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ପଡ଼ିପାରେ । ଗୋଟିଏ ପଟେ ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଓ ଅନ୍ୟପଟେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ନିୟନ୍ତ୍ରଣ, ଏବେ RBI ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ଯଦିଓ ଜୁଲାଇ ମାସରେ ପ୍ରଥମ ଥର ପାଇଁ ଟଙ୍କା ବିନିମୟ ମୂଲ୍ୟ ୮୦ ସ୍ତରରେ ପହଞ୍ଚିଥିଲା।


 


ଏହାବି ପଢ଼ନ୍ତୁ: ଦମଦାର୍ ରିଚାର୍ଜ ପ୍ଲାନ୍! ୧୫୧ ଟଙ୍କାରେ ୩ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ Disney+ Hotstar, ଡାଟା ମଧ୍ୟ ଫ୍ରି


ଫେଡ୍ ର ନିଷ୍ପତ୍ତି ସାରା ଦୁନିଆର ପୁଞ୍ଜିବଜାର ପାଇଁ ଚିନ୍ତା ବଢ଼ାଇଛି । ଆମେରିକାରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଫେଡେରାଲ ରିଜର୍ଭ ଚଳିତ ବର୍ଷ କ୍ରମାଗତ ତୃତୀୟ ଥର ପାଇଁ ସୁଧ ହାରରେ ବୃଦ୍ଧି ଘୋଷଣା କରିଛି। ଫେଡ୍ ଚେୟାରମ୍ୟାନ୍ ଜେରୋମ ପାୱେଲ ସୁଧ ହାରରେ ୦.୭୫% ବୃଦ୍ଧି ଘୋଷଣା କରିଛନ୍ତି। ଆମେରିକାର ଫେଡ ମଧ୍ୟ ଆଗାମୀ ସମୟରେ ଅଧିକ କଠୋର ନିଷ୍ପତ୍ତି ନେବାକୁ ସୂଚିତ କରିଛି। ଭବିଷ୍ୟତରେ ଯଦି ଫେଡ୍ ଦ୍ୱାରା ସୁଧ ହାର ଅଧିକ ବୃଦ୍ଧି ହୁଏ, ତେବେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଆହୁରି ହ୍ରାସ ପାଇବା ଆଶଙ୍କା ରହିଛି ।