ଦୂରଦର୍ଶନ କଥା ପଡ଼ିଲେ ଆଖି ଆଗକୁ ପ୍ରଥମେ ଶକ୍ତିମାନ ଓ ପରେ ମହାଭାରତ ଏବଂ ରଙ୍ଗୋଲି ସାମ୍ନାକୁ ଆସେ । ରବିବାର ଦିନ ଶକ୍ତିମାନ ଦେଖିବାକୁ ବ୍ୟାକୁଳ ଭାବେ ଅପେକ୍ଷା କରିଥିବା ସେଇ ଦିନଗୁଡ଼ାକ ଆଜି ବି ମନେ ପଡ଼ିଲେ ସ୍ମୃତି ସତେଜ ହୋଇପଡ଼େ । ଯେଉଁଦିନ କରେଣ୍ଟ କଟି ଯାଇଥିବ, ସେଦିନ ଶୋଧି ଶୋଧି ଲାଇନ ବାଲାଙ୍କୁ ଦିନ ଯାଏ । ଶଳାଙ୍କ ପାଇଁ ଆଜି ଶକ୍ତିମାନଟା ମିସ୍ ହୋଇଗଲା, ଆହୁରି ଅନେକ କିଛି । 


COMMERCIAL BREAK
SCROLL TO CONTINUE READING

ସେହିପରି ସକାଳୁ ଉଠି ହାତରେ ଗରମ୍ ଚା' କପ୍ ଟେ ଧରି ରଙ୍ଗୋଲି ଦେଖିବାର ମଜା ନିଆରା ଥିଲା । ଚିରସବୁଜ ଗୀତର ପସରା ସାଙ୍ଗକୁ ସକାଳ ସମୟଟା ବେଶ୍ ଫୂର୍ତ୍ତି ଲାଗୁଥିଲା । ଚିତ୍ରହାର, ସଦା ବାହାର…ଏବେବି ମନେ ପଡ଼ିଲେ ମନ ହାଲକା ଲାଗେ । ସେହିପରି ବାପାଙ୍କ ଠାରୁ ଗାଳି ଖାଇ ରାତିରେ ଫିଲ୍ମ ଦେଖିବା ନିଶା ମଧ୍ୟ ନିଆରା ଥିଲା । ଇଏ କେବଳ ମୋ ସ୍ମୃତି ନୁହେଁ, ଡିସ୍ ଟିଭି କି ଟାଟା ସ୍କାଇ ନଆସିବା ପୂର୍ବରୁ ଦେଶର ପ୍ରତ୍ୟେକଟି ବ୍ୟକ୍ତି ସାଙ୍ଗେ ଦୂରଦର୍ଶନର ସ୍ମୃତି ଜଡ଼ିତ ଥିବ । 



 
ଆଜିକୁ ଠିକ୍ ୬୧ ବର୍ଷ ତଳେ ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖରେ ଜନ୍ମ ନିଏ ଦୂରଦର୍ଶନ । ଦିଲ୍ଲୀର ଏକ ଛୋଟିଆ ଟ୍ରାନ୍ସମିଟର ଓ ଗୋଟେ ଉଠା ଷ୍ଟୁଡ଼ିଓରୁ ଆରମ୍ଭ ହୋଇଥିଲା ଦୂରଦର୍ଶନ । ୧୯୬୫ ମସିହା ପରେ ଦୂରଦର୍ଶନ ରେଗୁଲାର ଚାଲିବା ଆରମ୍ଭ କରିଥିଲା ଽ ଅଲ୍ ଇଣ୍ଡିଆ ରେଡିଓ ସହ ମିଶି ଦୂରଦର୍ଶନ ଛୋଟମୋଟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହି ସମୟରେ ଦୂରଦର୍ଶନରେ ମାତ୍ର ୫ ମିନିଟର ବୁଲେଟିନ୍ ଆରମ୍ଭ ହୋଇଥିଲା । 


ପ୍ରତିମା ପୁରୀ ଥିଲେ ଦୂରଦର୍ଶନର ପ୍ରଥମ ନ୍ୟୁଜ୍ ରିଡର୍ ବା ଖବର ଉପସ୍ଥାପିକା । ଏହାପରେ ୧୯୬୭ ମସିହା ଜାନୁୟାରୀ ୨୬ ତାରିଖରେ ଦୂରଦର୍ଶନରେ ପ୍ରଥମେ କୃଷି ଦର୍ଶନ ନାମକ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ୧୯୭୨ ମସିହା ବେଳକୁ ଦୂରଦର୍ଶନ ତତ୍କାଳୀନ ବମ୍ବେ ପ୍ରଦେଶ (ବର୍ତ୍ତମାନର ମୁମ୍ୱାଇ) ଏବଂ ଅମୃତସରକୁ ପ୍ରସାରଣ ଲମ୍ୱାଇ ଦେଇଥିଲା । ୧୯୭୫ ମସିହା ପର୍ଯ୍ୟନ୍ତ ଦେଶର ମାତ୍ର ୭ଟି ସହରର ଲୋକେ ଏହାକୁ ଦେଖୁଥିଲେ। 



ଏହାପରେ ୧୯୭୬ ମସିହା ଏପ୍ରିଲ ୧ ତାରିଖରେ ଅଲ୍ ଇଣ୍ଡିଆ ରେଡିଓରୁ ଅଲଗା ହୋଇଥିଲା । ୧୯୮୨ରେ ଦୂରଦର୍ଶନ ନ୍ୟାସନାଲ ବ୍ରୋଡକାଷ୍ଟର୍ ଭାବେ ନାମିତ ହୋଇଥିଲା । ସେହି ବର୍ଷ କଲର୍ ଟିଭି ବା ରଙ୍ଗୀନ ଟିଭି ନୂଆ କରି ଆସିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ୱାଧୀନତା ଦିବସର ଅଭିଭାଷଣ ଏଥିରେ ଲାଇଭ୍ ହୋଇଥିଲା । ସେହି ବର୍ଷ ନୂଆଦିଲ୍ଲୀ ଆୟୋଜନ କରିଥିଲା ଏସିଆନ୍ ଗେମ୍ସ । ୨୦୦୩ ମସିହା ନଭେମ୍ବର ୩ରେ ଆରମ୍ଭ ହୋଇଥିଲା ଦୂରଦର୍ଶନ (ନ୍ୟୁଜ୍) । ଏହି ଚ୍ୟାନେଲ୍ ୨୪ ଘଣ୍ଟିଆ ଖବର ପ୍ରସାରଣ କରି ଆସୁଛି । ସେହିପରି ୨୦୧୨ରେ ସମର୍ ଅଲମ୍ପିକ୍ ର ଉଦଘାଟନୀ ଓ ଉଦଯାପନୀ ଉତ୍ସବ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । 



 


୨୦୧୪ରେ ଦୂରଦର୍ଶନ ଏକ ନୂଆ ଥିମ୍ ନେଇ ଆଉ ଥରେ ଲଞ୍ଚ୍ ହୋଇଥିଲା । ନଭେମ୍ୱର ୧୭ ତାରିଖରେ 'ଦେଶ୍ କା ଅପନା ଚ୍ୟାନେଲ୍' ଥିମ୍ ନେଇ ଗୋଲାପି ଓ ବାଇଗଣୀ ରଙ୍ଗରେ ଏହା ପ୍ରସାରିତ ହେଲା । ଏହାକୁ ଦୂରଦର୍ଶନର ଡିଜି ବିଜୟଲକ୍ଷ୍ମୀ ଛାବ୍ରା ଘୋଷଣା କରିଥିଲେ। 



ଏବେ ୩୪ଟି ଚ୍ୟାନେଲକୁ ବଢି ସାରିଛି ଦୂରଦର୍ଶନର ପରିସୀମା । ପାଖାପାଖି ୪୬ଟି ନିୟମିତ ଷ୍ଟୁଡ଼ିଓରୁ କାର୍ଯ୍ୟକ୍ରମ ସୁଟିଂ ହେଉଛି ଓ ପ୍ରସାରିତ ହେଉଛି । ୩୪ଟି ଚ୍ୟାନେଲ୍ ମଧ୍ୟରୁ ଦୁଇଟି ହେଉଛି ଜାତୀୟ । ଦୂରଦର୍ଶନ (ନ୍ୟାସନାଲ) ଏବଂ ଦୂରଦର୍ଶନ (ଗ୍ରାମାଞ୍ଚଳ) ଭାବେ ଏହା ପ୍ରସାରିତ ହେଉଛି । ସେହିପରି ଖେଳ ପାଇଁ ଦୂରଦର୍ଶନ (ସ୍ପୋର୍ଟସ୍) ଅଛି । ସାରା ଭାରତରେ ଯେତେବେଳେ ଲକଡାଉନ୍ ଲାଗୁ ହୋଇଥିଲା, ସେହି ସମୟରେ ଦୂରଦର୍ଶନରେ ରାମାୟଣର ପୁନଃ ପ୍ରସାରିତ ହୋଇଥିଲା । ଆଉ ପୁଣି ଥରେ ଏହା ଲୋକପ୍ରିୟତାର ପ୍ରମାଣ ଦେଇଥିଲା ।



 


ରାମାୟଣ (Ramayan), ମହାଭାରତ (Mahabharat), ଶ୍ରୀକୃଷ୍ଣ (Sri Krishna) ଭଳି ସିରୟଲ ପୁଣି ଶକ୍ତିମାନ (Shaktiman), ଜୁନିୟରଜୀ (Junior G),ଚନ୍ଦ୍ରକାନ୍ତା (Chandrakanta), ଆଁଖେ (Aankhein) ଭଳି ଲୋକପ୍ରିୟ ଧାରାବାହିକ ଗୁଡ଼ିକ ସାମ୍ନାକୁ ଆଣି ପାରିଥିବା ସେହି ଚ୍ୟାନେଲ ହେଉଛି ଦୂରଦର୍ଶନ। ୬୧ ବର୍ଷର ଏହି ଲମ୍ୱା ସଫର୍ ଭିତରେ ଆଜି ବି ସବୁ ଚ୍ୟାନେଲ ଭିତରେ ଦୂରଦର୍ଶନ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି।