ନୂଆଦିଲ୍ଲୀ: ସବୁବେଳେ କିଛି ନା କିଛି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସୁଥିବା ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା (Filmmaker Ram Gopal Varma) ପୁଣିଥରେ ବିବାଦରେ ଫସିଛନ୍ତି । ସେ ବେଳେବେଳେ ଏମିତି କିଛି ଟ୍ୱିଟ୍ କରିଥାନ୍ତି ଯାହା ତାଙ୍କୁ ଅନେକ ସମୟରେ ଅସୁବିଧାରେ ପକାଇବା ସହିତ ନୂଆ ବିବାଦ ସୃଷ୍ଟି କରିଥାଏ । ତେବେ ସଦ୍ୟଭାବରେ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ 'ମହାଭାରତ' ସମ୍ପର୍କୀୟ ଏକ ବିବାଦୀୟ ଟୁଇଟ୍ ପାଇଁ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି । ସେ ତାଙ୍କ ଟ୍ୱିଟ୍ ରେ ଏହା ଲେଖିଛନ୍ତି ଯେ,"ଯଦି ଦ୍ରୌପଦୀ ରାଷ୍ଟ୍ରପତି ହୁଅନ୍ତି,ତେବେ ପାଣ୍ଡବ କିଏ ? ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌରବ କିଏ  ? " । ଏହି ଟ୍ୱିଟ୍ କୁ ନେଇ ଅନେକ ବିବାଦ ଏବେ ମୁଣ୍ଡ ଟେକିଛି । ତେଲେଙ୍ଗାନା ବିଜେପି ନେତା ଗୁଦୁର ନାରାୟଣ ରେଡ୍ଡୀ(Telangana BJP leader Gudur Narayana Reddy) ଶ୍ରୀ ବର୍ମାଙ୍କ ବିରୋଧରେ ଅନୁସୁଚିତ ଜାତି/ଜନଜାତି ସମ୍ପ୍ରଦାୟ(SC/ST community)କୁ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି ।  ସେ କହିଛନ୍ତି, “ପୋଲିସ ଆମକୁ ପ୍ରତିଶୃତି ଦେଇଛି ଯେ ସେମାନେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଅନ୍ୟପଟେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା (Filmmaker Ram Gopal Varma)ତୁରନ୍ତ ଏକ ସ୍ପଷ୍ଟୀକରଣ ମଧ୍ୟ ଜାରି କରିଛନ୍ତି: "ମହାଭାରତରେ ଦ୍ରୌପଦୀ ମୋର ପସନ୍ଦର ଚରିତ୍ର, କିନ୍ତୁ ଏହି ନାମ ଏପରି ବିରଳ ହୋଇଥିବାରୁ ମୁଁ ସଂପୃକ୍ତ ଚରିତ୍ରଗୁଡ଼ିକୁ ମନେ ରଖିଛି ଏବଂଏହାକୁ ନେଇ ମୋର ଏହି ଅଭିବ୍ୟକ୍ତି। ତେବେ କାହାର ଭାବନାକୁ ଆଘାତ ଦେବା ପାଇଁ ମୋର ଟ୍ୱିଟ୍ ଆଦୌ ଉଦ୍ଦିଷ୍ଟ ନଥିଲା " ।


COMMERCIAL BREAK
SCROLL TO CONTINUE READING

ତେଲେଙ୍ଗାନାର ଅନ୍ୟ ଜଣେ ବିଜେପି ବିଧାୟକ ମଧ୍ୟ ରାମ ଗୋପାଳ ବର୍ମାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ,ମଦ୍ୟପ ଅବସ୍ଥାରେ ନିର୍ଦ୍ଦେଶକ ଏଭଳି ଟ୍ୱିଟ୍ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ମା ସର୍ବଦା ଏପରି ବିବାଦୀୟ ମନ୍ତବ୍ୟ ଦେଇ ଖବର ର ଶିରୋନାମାରେ ରହିବାକୁ ଚେଷ୍ଟା କରିଥାନ୍ତି ।  ଅଭିନେତା ଅଜୟ ଦେବଗନ (Ajay Devgan) ଏବଂ କନ୍ନଡ ଫିଲ୍ମ ଅଭିନେତା ସୁଦୀପ ସଞ୍ଜୀବ(Kannada actor Sudeep Sanjeev ) ଙ୍କ ମଧ୍ୟରେ ହିନ୍ଦୀ ଭାଷାକୁ ନେଇ ଚାଲିଥିବା  ଟ୍ୱିଟର ୱାର ଭିତରେ ସୁଦିପଙ୍କୁ ସମର୍ଥନ କରି ଉତ୍ତର ଭାରତୀୟ କଳାକାର,  ଦକ୍ଷିଣ ଭାରତୀୟ କଳାକାରଙ୍କ ଉପରେ ଇର୍ଷା କରନ୍ତି ବୋଲି କହି ଚର୍ଚ୍ଚାରେ ରହିଥିଲେ ରାମଗୋପାଲ । କେତେବେଳେ ମଦ୍ୟପାନ କରି ଗାଡ଼ି ଚଲାଇବା ଘଟଣା ହେଉ କିମ୍ୱା ଜନ୍ମଦିନ ପୂର୍ବରୁ ସାପ କାମୁଡିବା ଘଟଣାରେ ଭାଇଜାନ ସଲମାନ ଖାନଙ୍କୁ ଉପହାସ କରୁଛନ୍ତି ତ ଆଉ କେତେବେଳେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ପ୍ରଭାସ ଏବଂ ଅଭିନେତା ନାଗା ଚୈତନ୍ୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ "ବିବାହକୁ ନୁହେଁ ଛାଡପତ୍ରକୁ ସେଲିବ୍ରେଟ୍ କରାଯିବା ଉଚିତ, ବିବାହ ହେଉଛି ଏକ ମୃତ୍ୟୁ ଏବଂ ଛାଡପତ୍ର ପୁନର୍ଜନ୍ମ" ବୋଲି କହି ଚର୍ଚ୍ଚାରେ ରହିଥାନ୍ତି ।


ଅନ୍ୟପକ୍ଷରେ ଯଦି ଦେଖିବା ରାମଗୋପାଲ ବର୍ମା ତାଙ୍କ ଫିଲ୍ମରେ ଅଭିନୟରେ ସୁଯୋଗ ଦେଇଥିଲେ ଓଡ଼ିଆ ଅଭିନେତ୍ରୀ  ଅପସରା ରାଣୀ(Apsara Rani) ଙ୍କୁ । ଯାହାଫଳରେ ବଡ଼ ପରଦାରେ କମାଲ୍‌ ଦେଖାଇବାକୁ ସୁଯୋଗ ପାଇଥିଲେ ଅପସରା । ତେବେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଲ ବର୍ମା ଖାସ୍ ଚଳଚ୍ଚିତ୍ର ପାଇଁ ଅପସରାଙ୍କ ନାଁ କୁ ଅଙ୍କିତା ମହାରଣା(Ankita Maharana)ରୁ ଅପସରା ରାଣୀକୁ ପରିବର୍ତ୍ତନ କରିଥିଲେ । ତେବେ ରାମଗୋପାଲଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଖତ୍‌ରା ଡେଞ୍ଜରିଅସ୍‌ (Khatra Dangerous)ରେ ଦେଖିବାକୁ ମିଳିଥିଲା ଓଡିଆ ଝିଅ ଅପସରା ରାଣୀଙ୍କୁ । ଏଥିରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ ଅପସରା । ଏହି ଚଳଚ୍ଚିତ୍ରଟି ଦେଶର ପ୍ରଥମ ଲେସବିୟାନ୍ (ସମଲିଙ୍ଗୀ ମହିଳା) କ୍ରାଇମ ଆକ୍ସନ୍ ଡ୍ରାମା ଫିଲ୍ମ ବୋଲି କହାଯାଉଛି ।  ଲେସବିୟାନ୍ ରୋମାନ୍ସ ପ୍ରଦର୍ଶନ କରୁଥିବା ଏହି ଚଳଚ୍ଚିତ୍ରରେ ଅନେକ ରୋମାଣ୍ଟିକ୍ ସିନ୍‌ ଭରି ରହିଥିଲା । ଫିଲ୍ମରେ ଇଣ୍ଟିମେସି ଏବଂ ଆଡଲ୍ଟ କଣ୍ଟେଣ୍ଟ ହେତୁ ଏହାକୁ ଏ ସାର୍ଟିଫିକେଟ୍ ମିଳିଥିଲା । ଏହି ଚଳଚ୍ଚିତ୍ରରେ ଦୁଇ ଝିଅଙ୍କ ସମଲିଙ୍ଗୀ ସଂପର୍କ ଓ ବିବାହର କାହାଣୀ ଚିତ୍ରିତ ହୋଇଛି, ଯେଉଁମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି । ଏହା ଏକ ଆଡଲ୍ଟ ଚଳଚ୍ଚିତ୍ର ହୋଇଥିବାରୁ , ଯେଉଁଥିରେ ଚୁମ୍ବନ ଦୃଶ୍ୟଠାରୁ ଆରମ୍ଭ କରି ବେଡ ରୁମ ରୋମାନ୍ସ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସିନ୍‌ ଦେଖିବାକୁ ମିଳିଥିଲା ।