North-East Flood: ଦେଶର ଉତ୍ତରପୂର୍ବ ଅଞ୍ଚଳରେ ଦେଖିବାକୁ ମିଳିଛି ବନ୍ୟା ବିତ୍ପତ୍ତି । ବର୍ଷା ଏବଂ ଭୂସ୍ଖଳନ ପ୍ରଭାବରେ ଛଟପଟ ହେଉଛି ଜନଜୀବନ ।ଆସାମ, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ ଏବଂ ଅରୁଣାଚଳପ୍ରଦେଶ ସମେତ ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକରେ ଲଗାଣ ବର୍ଷା ଏବଂ ଭୁସ୍ଖଳନ ଯୋଗୁଁ  ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଗତ କିଛିଦିନ ଧରି ଲଗାଣ ବର୍ଷା ଜାରୀ ରହିବା ଫଳରେ ଆସାମ ଏବଂ ମେଘାଳୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହେବା ସହିତ ଜଳବନ୍ଦୀ ହୋଇ ଜୀବନ କାଟୁଛନ୍ତି । ବିଭିନ୍ନ ସ୍ଥାନରେ ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।


COMMERCIAL BREAK
SCROLL TO CONTINUE READING

ଅରୁଣାଚଳପ୍ରଦେଶ ରେ ମୁଶଳଧାରାରେ ବର୍ଷାଯୋଗୁଁ ଅନ୍ୟରାଜ୍ୟକୁ ସଂଯୋଗ କରୁଥିବା ଏନ୍ଏଚ୍-୧୫ କୁ ବନ୍ଦ କରାଯାଇଛି । ବର୍ଷା ଏବଂ ଭୁସ୍ଖଳନ ଫଳରେ ଏହି ରାସ୍ତାକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବାବେଳେ ଲକ୍ଷ୍ମୀପୁର,ଧେମାଳି ଏବଂ ଇଟାନଗର ମୁଖ୍ୟସ୍ରୋତରୁ ସମ୍ପୂର୍ଣ୍ଣଭାବେ ବିଚ୍ଛିନ୍ନ ହୋଇଯାଇଛି । ବର୍ଷାଫଳରେ ୧୨୭ଟି ଗାଁ ପ୍ରଭାବିତ ହୋଇଥିବାବେଳେ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇଛନ୍ତି । ମେଘାଳୟରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । କେଉଁଠି ପୋଲ ଭୁଷୁଡି ଯାଇଥିବାବେଳେ ଆଉ କେଉଁଠି ଘରଦ୍ୱାର ବନ୍ୟାପାଣିରେ ବୁଡ଼ି ରହିଛି । ଚେରାପୁଞ୍ଜିର ସୋହରା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ମୈସୁରାମରେ ୧୦୦୩.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତୃତୀୟଥର ପାଇଁ ମେଘାଳୟରେ ଏତେ ଅଧିକ ପରିମାଣର ବର୍ଷା ହୋଇଥିବା କୁହାଯାଉଛି । 


ଅନ୍ୟପଟେ ଥରେ ନୁହେଁ ଚଳିତ ବର୍ଷ ଦୁଇ ଦୁଇ ଥର ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ର ସାମ୍ନା କଲେଣି ଆସାମ ବାସୀ । ପୂର୍ବୋତ୍ତର ରାଜ୍ୟ ଆସାମରେ ପୁଣି ଥରେ ୩ରୁ ୪ ଦିନ ହେଲା ବର୍ଷା ଲାଗି ବନ୍ୟା ଆସିଥିବାରୁ ଏବେ ଜଳ ବନ୍ଦୀରେ ରାଜ୍ୟର ୨୮ଟି  ଜିଲ୍ଲାର ୨୯୩୦ଟି ଗାଁ । ଯାହାଫଳରେ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ  ପ୍ରଭାବିତ ହୋଇଛନ୍ତି । ଯାତାୟତ ଠପ୍ ହେବା ସହ ଶହ ଶହ ଟ୍ରକ ୧୫ ନଂ ଜାତୀୟ ରାଜପଥ ରେ ଛିଡା ହୋଇ ରହିଛି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏବେସୁଦ୍ଧା ୫୪ ଜଣ ଜୀବନ ହରାଇଛନ୍ତି । ହୋଜାଇ, ନଲବରି, ବଜଲି, ଧୁବ୍ରି, କାମରୂପ, କୋକ୍ରାଝର ଏବଂ ସୋନିତପୁର ଆଦି ଜିଲ୍ଲାରୁ ଏହି ମୃତ୍ୟୁସଂଖ୍ୟା ରେକର୍ଡ ହୋଇଛି ।  ବନ୍ୟା ପ୍ରଭାବିତ ଜିଲ୍ଲାର ପ୍ରାୟ ୪୩୩୩୮,୩୯ ହେକ୍ଟର ଚାଷ ଜମିରେ ପାଣି ମାଡି ଯାଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବେକି, ପୁଥିମାରି, ବ୍ରହ୍ମପୁତ୍ର, ଭରାଲି, କୋପିଲି ପ୍ରମୁଖ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।


ବନ୍ୟା ମୁକାବିଲା ଲାଗି ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ମୁତୟନ ହୋଇଛନ୍ତି ଏନଡିଆରଏଫ(NDRF) ଓ ଏସଡିଆରଏଫ(SDRF) ଟିମ୍ । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତରିତ କରାଯିବା ସହ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଖାପାଖି ୧,୦୮,୧୦୪ ବନ୍ୟା ବିପନ୍ନଙ୍କୁ ୩୭୩ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। 


ଆସାମ ରାଜ୍ୟର କାମରୂପ ଜିଲ୍ଲାର ସ୍ଥିତି ବିଗିଡିବାରେ ଲାଗିଛି। ଏହି ଅଞ୍ଚଳର ପ୍ରାୟ ୭୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସାଧାରଣ ପ୍ରଶାସନ ସହଯୋଗରେ ଭାରତୀୟ ସେନା ରିଲିଫ୍ ଅପରେସନରେ ସାମିଲ ହୋଇଛନ୍ତି। ଅନ୍ୟପଟେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ବଲିଉଡରୁ ସହାୟତାର ହାତ ଲମ୍ବିଛି। ବଲିଉଡ ଅଭିନେତା ଅର୍ଜୁନ କପୁର(Arjun Kapoor) ଏବଂ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ(Rohit Setty) ଆସାମ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ (Assam CM Relief Fund) କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।


ଏହା ବି ପଢ଼ନ୍ତୁ: 'ଅଗ୍ନିପଥ' ଯୋଜନାରେ ହେଲା ବଡ଼ ପରିବର୍ତ୍ତନ; ଆଶାୟୀ ପ୍ରାର୍ଥୀଙ୍କୁ ଏହି ରିହାତି ଦେଲେ ସରକାର