Shinzo Abe Shot Dead: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶୁକ୍ରବାର ସକାଳେ ନାରା ସହରର ସଡକରେ ସମ୍ବୋଧନ କରୁଥିବା ବେଳେ ଆବେଙ୍କୁ ଗୁଳିମାଡ ହୋଇଥିଲା। ଗୁରୁତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା AFP ନ୍ୟୁଜ୍ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ଜାପାନର ପବ୍ଲିକ ବ୍ରଡକାଷ୍ଟର NHK ଅନୁଯାୟୀ, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରକ୍ତସ୍ରାବ ହୋଇଥିବା ଦେଖାଯାଇଥିଲା ଏବଂ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ 'ଗୁଳି ଫୁଟିବା ଭଳି ଶବ୍ଦ ଶୁଣିଥିଲେ।' ସ୍ଥାନୀୟ ଅଗ୍ନିଶମ ବିଭାଗ କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ ହୃଦଘାତ ବା ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରୁଥିବା ଭିଳି ଜଣାପଡିଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶ୍ୱନେତା ଗୁରୁତର ସିଞ୍ଜୋ ଆବେଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।


Also Read: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ Shinzo Abeଙ୍କୁ ଗୁଳିମାଡ


ପୋଲିସ କହିଛି ଯେ, ସେମାନେ ଜଣେ ୪୧ ବର୍ଷିୟ ପୂର୍ବତନ ଜାପାନ ସୈନ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଜାପାନ ଟାଇମ୍ସ ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ସାଢେ ୧୧ଟାରେ ନାରାର ଏକ ରାସ୍ତାରେ ଭାଷଣ ଦେଉଥିବା ବେଳେ ଆବେଙ୍କୁ ପଛରୁ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ। ଆସନ୍ତା ରବିବାର ଜାପାନ ସଂସଦର ଉପର ସଦନରେ ନିର୍ବାଚନ ହେବ। ଏହି ଉପଲକ୍ଷେ ସିଞ୍ଜୋ ଆବେ କ୍ୟାମ୍ପେନ କରୁଥିଲେ।


 



୬୭ ବର୍ଷିୟ ସିଞ୍ଜୋ ଆବେ, ଜାପାନର ଦୀର୍ଘତମ ପ୍ରଧାନମନ୍ତ୍ରୀ। ସେ ପ୍ରଥମ ଥର ୨୦୦୬ ମସିହା ସେପ୍ଟେମ୍ବରରୁ ୨୦୦୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ୨୦୧୨ରୁ ୨୦୧୪ (ଦ୍ୱିତୀୟ ଥର), ୨୦୧୪ରୁ ୨୦୧୭ (ତୃତୀୟ ଥର), ୨୦୧୭ରୁ ୨୦୨୦ (ଚତୁର୍ଥ ଥର) ଯାଏ ଜାପାନର ପ୍ରଧାନମନ୍ତ୍ରୀ ଥିଲେ। ଗତ ଦୁଇ ବର୍ଷ ଧରି ଅସୁସ୍ଥତା ଲାଗି ରହୁଥିବାରୁ ନିକଟରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ।