Republic Day Parade Tickets Revenue: ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୬ ଜାନୁଆରୀରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ କର୍ତ୍ତବ୍ୟପଥ ଠାରେ ପାଳିତ ହୋଇଥିଲା ୭୪ତମ ସାଧାରଣତନ୍ତ୍ର ଦିବସ। ପ୍ୟାରେଡ ଏବଂ ବିଟିଂ ରିଟ୍ରିଟ୍ ସମାରୋହ କେନ୍ଦ୍ର ସରକାରଙ୍କ ପାଇଁ ଏକ ଲାଭଜନକ ଚୁକ୍ତି ବୋଲି ପ୍ରମାଣିତ ହୋଇଛି। ବହୁ ସଂଖ୍ୟାରେ ଲୋକ ଏହି ସମାରୋହ ଦେଖିବାକୁ ଆସିଥିଲେ। ଯାହାର ଟିକେଟ୍ ବିକ୍ରି କରି କେନ୍ଦ୍ର ସରକାର ୨୮.୩୬ ଲକ୍ଷ ଟଙ୍କାର ରାଜସ୍ୱ କମାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ପ୍ୟାରେଡ ଏବଂ ବିଟିଂ ରିଟ୍ରିଟ୍ ସମାରୋହ ଲାଗି ଟିକେଟ ବିକ୍ରି କରି କେନ୍ଦ୍ର ସରକାର କେତେ ଟଙ୍କାର ରାଜସ୍ୱ ପାଇଛନ୍ତି ସେ ସମ୍ପର୍କରେ ଲୋକସଭାକୁ ଅବଗତ କରାଇଛନ୍ତି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ। ଗତ ସପ୍ତାହରେ ଲୋକସଭାରେ ଜବାବ ରଖି କେନ୍ଦ୍ରମନ୍ତ୍ରୀ  କହିଛନ୍ତି ଟିକେଟ୍ ବିକ୍ରି ପରେ ବାତିଲ ହୋଇଥିବା ଟିକେଟ୍ ଫେରସ୍ତ ପ୍ରକ୍ରିୟା ଚାଲିଛି। ଲୋକସଭାରେ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ପ୍ୟାରେଡ ଏବଂ ବିଟିଂ ରିଟ୍ରିଟ କାର୍ଯ୍ୟକ୍ରମ ଲାଗି ବିକ୍ରି ହୋଇଥିବା ଟିକେଟ୍ ସମ୍ପର୍କରେ ସୂଚନା ମଗାଯାଇଥିଲା। ଯାହାର ଉତ୍ତର ରଖି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ୨୮ ଲକ୍ଷ ୩୬ ହଜାର ୯୮୦ ଟଙ୍କା ମୂଲ୍ୟର ଟିକେଟ୍ ବିକ୍ରି କରାଯାଇଛି। ଟିକେଟ୍ ବିକ୍ରି ପରେ ବିଭିନ୍ନ କାରଣରୁ ବାତିଲ ହୋଇଯାଇଥିବା ଟିକେଟ୍ ମୂଲ୍ୟର ଫେରସ୍ତ ପ୍ରକ୍ରିୟା ଚାଲିଛି। ଯାହା ଯଥାଶୀଘ୍ର ଶେଷ ହେବ। 


ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଗତ ୨୦୧୮ ବର୍ଷର  ସାଧାରଣତନ୍ତ୍ର ଦିବସରେ ଟିକେଟ୍ ବିକ୍ରିରୁ ୩୪.୩ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ କରାଯାଇଥିଲା। ସେହିପରି ୨୦୧୯ ବର୍ଷରେ ୩୪.୩୪ ଲକ୍ଷ ଟଙ୍କାର ରାଜସ୍ୱ ମିଳିଥିଲା। ଅନ୍ୟପଟେ ୨୦୨୦ ବର୍ଷରେ ୩୪.୭୨ ଲକ୍ଷ ଟଙ୍କାର ଟିକେଟ ବିକ୍ରି ହୋଇଥିଲା। ହେଲେ କୋରୋନା ମହାମାରୀ ପରେ ଆୟ ଗତ ୨୦୨୧ ବର୍ଷରେ ୧୦.୧୨ ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା। ଗତ ବର୍ଷ ଟିକେଟ ବିକ୍ରିରୁ ମାତ୍ର ୧ ଲକ୍ଷ ୧୪ ହଜାର ୫୦୦ ଟଙ୍କା ଆୟ କରାଯାଇଥିଲା। ଦୁଇ ବର୍ଷ ପରେ ପୁଣି ଥରେ ୨୦୨୩ ବର୍ଷରେ ଜନସାଧାରଣ ସାଧାରଣତନ୍ତ୍ର ଦିବସ ଅବସରରେ  ଆୟୋଜିତ ହୋଇଥିବା ପ୍ୟାରେଡ ଏବଂ ବିଟିଂ ରିଟ୍ରିଟ୍ ସମାରୋହ ଦେଖିବା ଲାଗି ଆସିଥିଲେ। 


ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ତାଙ୍କ ଉତ୍ତରରେ କହିଛନ୍ତି ଯେ ଗତ ୨୦୧୮-୧୯ ବର୍ଷ ପାଇଁ ସମସ୍ତ ପ୍ରକାରର ଆନୁଷ୍ଠାନିକ କାର୍ଯ୍ୟକ୍ରମ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଏହାର ସେରିମୋନିଆଲ୍ ଡିଭିଜନ ପାଇଁ ୧.୫୩ କୋଟି ଟଙ୍କାର ବଜେଟ୍ ଆବଣ୍ଟିତ କରିଥିଲା। ଆନୁଷ୍ଠାନିକ କାର୍ଯ୍ୟକ୍ରମ ଲାଗି ୨୦୨୧୯-୨୦ ବର୍ଷ ପାଇଁ ଯଥାକ୍ରମେ ୧.୨୯ କୋଟି ଏବଂ ୧.୩୨ କୋଟି ଏବଂ ୧.୩୨ କୋଟି ଟଙ୍କାର ବଜେଟ୍ ଆବଣ୍ଟିତ ହୋଇଥିଲା। ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ଲାଗି ଟିକେଟ ବିଭିନ୍ନ ବର୍ଗରେ ବିକ୍ରି ହୋଇଥିଲା। ଯାହାର ମୂଲ୍ୟ ଯଥାକ୍ରମେ ୨୦, ୫୦, ୧୦୦, ୫୦୦ ଟଙ୍କା ରହିଥିଲା।