Hathras Stampede: ଉତ୍ତର ପ୍ରଦେଶର ହାଥରସରେ ଘଟିଥିବା ଦଳାଚକଟା ଘଟଣାରେ ମଙ୍ଗଳବାର ଏସ୍‌ଆଇଟି ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି। ସତସଙ୍ଗ ଆୟୋଜନ କରିଥିବା କମିଟି ଓ ଅଫିସରଙ୍କ କାର୍ଯ୍ୟକୁ ନେଇ ଅଙ୍ଗୁଳି ଉଠିଛି।  


COMMERCIAL BREAK
SCROLL TO CONTINUE READING

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ଦାଖଲ କରି ତଦନ୍ତକାରୀ ଟିମ୍(SIT) କହିଛନ୍ତି ଯେ, ଅଧିକାରୀମାନେ ସଠିକ୍ ଭାବେ ଯାଞ୍ଚ ନ କରି ସଭା ପାଇଁ ଅନୁମତି ଦେଇଥିବାରୁ ଏତେ ବଡ଼ ଏକ ଅଘଟଣ ଘଟିଗଲା।


ଉତ୍ତର ପ୍ରଦେଶର ହାଥରସରେ ଭୋଲେ ବାବାଙ୍କ ସତସଙ୍ଗ ପାଇଁ ଜିଲ୍ଲା ଅଧିକାରୀ  ଅନୁମତି ଦେଇଥିଲେ। କିନ୍ତୁ ସେ ଏ ବାବଦରେ ସଠିକ୍ ଯାଞ୍ଚ କରି ନଥିଲେ କି ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇନଥିଲେ ବୋଲି ତଦନ୍ତକାରୀ ଟିମ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ଦେଇଛନ୍ତି। ପୁଲିସ ସମେତ ଆୟୋଜକ ଏବଂ ସ୍ଥାନୀୟ ଅଧିକାରୀମାନେ ଅବହେଳା କରିବା ସହ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାରେ ବିଫଳ ହୋଇଥିଲେ। ସେମାନେ ଏହି ସତସଙ୍ଗ ସଭାକୁ ଗମ୍ଭୀର ଭାବେ ନେଇନଥିଲେ ଏବଂ ପ୍ରୋଟୋକଲର ଅଭାବ କାରଣରୁ ସ୍ଥାନୀୟ ପୁଲିସ ସେମାନଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ସଠିକ୍ ସୂଚନା ଦେଇ ପାରିନଥିଲେ।


ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ସତସଙ୍ଗ ସରିବା ପରେ ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦଳଚକଟା ହୋଇଥିଲା। ଏହି ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଏସବୁ ବ୍ୟତୀତ, ସଭାରେ ପ୍ରସ୍ଥାନ ପାଇଁ ସେପରି କୌଣସି ବନ୍ଦୋବସ୍ତ ବି ନଥିଲା।