US Hindu Population and Temple: ଇଂରାଜୀ ଭାଷାଭାଷୀ ଦେଶରେ ବୃଦ୍ଧି ପାଉଛି ହିନ୍ଦୁ ଧର୍ମର ପ୍ରଭାବ। ବିଗତ କିଛି ବର୍ଷ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ୍ ଭଳି ଦେଶରେ ହିନ୍ଦୁ ଅନୁଗାମୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ କେବଳ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରେ ୨୨ ଲକ୍ଷରୁ ଅଧିକ ହିନ୍ଦୁ ବସବାସ କରୁଛନ୍ତି। ଏହା ସହିତ ହିନ୍ଦୁ ଧର୍ମାନୁଷ୍ଠାନ ସଂଖ୍ୟା ମଧ୍ୟ ୧ ହଜାରକୁ ବୃଦ୍ଧି ପାଇଥିବାର ଜଣାପଡ଼ିଛି। ପ୍ରାୟ ୨୦ ବର୍ଷ ପୂର୍ବେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶରେ ୪୩୫ ହିନ୍ଦୁ ମନ୍ଦିର ରହିଥିଲା।


COMMERCIAL BREAK
SCROLL TO CONTINUE READING

ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ଅନୁସାରେ, ଜନସଂଖ୍ୟା ଅନୁଯାୟୀ ବିଶ୍ୱର ତୃତୀୟ ବୃହତ୍ତମ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ବଢୁଥିବା ଉପସ୍ଥିତି କେବଳ ଜନସଂଖ୍ୟାଗତ ପରିବର୍ତ୍ତନ ମଧ୍ୟରେ ସୀମିତ ହୋଇନାହିଁ। ବରଂ ସେଠାରେ ହିନ୍ଦୁ ସମ୍ପ୍ରଦାୟ ରାଜନୈତିକ ସ୍ତରରେ ସକ୍ରିୟ ହେବାରେ ଲାଗିଛି। ହିନ୍ଦୁ ଧର୍ମାବଲମ୍ବୀ ବହୁ ବଡ଼ ବଡ଼ ଆମେରିକୀୟ କମ୍ପାନୀ ଅଥବା ସଂସ୍ଥାନରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏହା ବ୍ୟତୀତ ଯୋଗ ଏବଂ ଧ୍ୟାନର ଲୋକପ୍ରିୟତା ମଧ୍ୟ ନିକଟ ଅତୀତରେ ବୃଦ୍ଧି ପାଇଛି। ବର୍ତ୍ତମାନ ପ୍ରାୟ ସାଢେ ୩ କୋଟିରୁ ଉର୍ଦ୍ଧ୍ୱ ଆମେରିକୀୟ ନାଗରିକ ଯୋଗ କରୁଛନ୍ତି। ସେହିପରି ପ୍ରାୟ ୧.୮ କୋଟି ଆମେରିକୀୟ ଧ୍ୟାନ କରୁଛନ୍ତି।


ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତୀୟ ସଂସ୍କୃତିର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରାୟ ୨୦ ବର୍ଷ ପୂର୍ବେ ଦେଶରେ ପ୍ରାୟ ୪୩୫ ହିନ୍ଦୁ ମନ୍ଦିର ରହିଥିଲା। ଯାହାର ସଂଖ୍ୟା ବର୍ତ୍ତମାନ ୧ ହଜାର ପାର କରିସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ବର୍ଷର ଅନେକ ସାଧୁସନ୍ଥ ଯୁକ୍ତରାଷ୍ଟ୍ର ଆମେରିକର ନାଗରିକଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିଲେ। ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ହିନ୍ଦୁ ମନ୍ଦିର ପରିଦର୍ଶନ କରିବାର ଉତ୍ସାହ ବଢିଛି। ଏପରିକି ଅନେକ ବଡ଼ ବଡ଼ ହିନ୍ଦୁ ମନ୍ଦିର ନିର୍ମାଣ କରାଯାଉଛି। ଆମେରିକାରେ ବସବାସ କରୁଥିବା ହିନ୍ଦୁ ଧର୍ମାବଲମ୍ବୀଙ୍କ ସଂଖ୍ୟା ବୃଦ୍ଧି ହେତୁ ମନ୍ଦିର ସଂଖ୍ୟା ବୃଦ୍ଧି ହେବାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଯଦିଓ ଅନ୍ୟ ଧର୍ମର ଲୋକ ହିନ୍ଦୁ ମନ୍ଦିରରେ ପ୍ରାର୍ଥନା କରିବାକୁ ଆସିଥାନ୍ତି।


Also Read: Hindu in America: କାହିଁକି ନିଜର ଧାର୍ମିକ ପରିଚୟ ଉପରେ ଜୋର ଦେଉଛନ୍ତି ଆମେରିକୀୟ ହିନ୍ଦୁ?


ୱାର୍ଲ୍ଡ ମିଟରସ୍ ଇନଫୋ ୱେବସାଇଟ (Worldometers Info Website) ତଥ୍ୟ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟା ହେଉଛି ୩୩.୬ କୋଟି। ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟାରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ସଂଖ୍ୟା ହେଉଛି ସର୍ବାଧିକ। ପ୍ରାୟ ୬୦ ପ୍ରତିଶତରୁ ଅଧିକ ଆମେରିକୀୟ ହେଉଛନ୍ତି ଖ୍ରୀଷ୍ଟିଆନ। ଯଦି ଏହି ଦେଶରେ ଶିକ୍ଷିତ ଲୋକଙ୍କ କଥା ବିଚାରକୁ ନିଆଯାଏ, ତାହେଲେ ହିନ୍ଦୁ ସମ୍ପ୍ରଦାୟ ହେଉଛି ସବୁଠାରୁ ଶିକ୍ଷିତ। ସାଧାରଣତଃ ଜଣେ ହିନ୍ଦୁ ଛାତ୍ର ୧୫.୭ ବର୍ଷ ଧରି ଅଧ୍ୟୟନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ହିନ୍ଦୁଙ୍କ ପରେ ଇହୁଦୀ ସମ୍ପ୍ରଦାୟ ଅଧ୍ୟୟନ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।


ଗତ ୨୦୦୭ ବର୍ଷ ଆମେରିକାର ମୋଟ ଜନସଂଖ୍ୟାର ୦.୪% ହିନ୍ଦୁ ଥିଲେ। ବର୍ତ୍ତମାନ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ୍ ରିପୋର୍ଟ ଅନୁସାରେ ଆସନ୍ତା ୨୦୨୫ ପର୍ଯ୍ୟନ୍ତ ଆମେରିକାରେ ହିନ୍ଦୁଙ୍କ ଜନସଂଖ୍ୟା ୨୮ ଲକ୍ଷକୁ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଯଦି ବୈଶ୍ୱିକ ହିନ୍ଦୁ ଧର୍ମାବଲମ୍ବୀଙ୍କ ଜନସଂଖ୍ୟା ବିଷୟରେ କୁହାଯାଏ, ତାହେଲେ ସମଗ୍ର ବିଶ୍ୱରେ ହିନ୍ଦୁ ଜନସଂଖ୍ୟା ୧୧୧ କୋଟିରୁ ଅଧିକ। ଯେଉଁଥିରେ କେବଳ ଭାରତ ଭଳି ଦେଶରେ ୧୦୦ କୋଟିରୁ ଅଧିକ ହିନ୍ଦୁ ବସାବାସ କରିଥାନ୍ତି। ଜନସଂଖ୍ୟା ଦୃଷ୍ଟିକୋଣରୁ ହିନ୍ଦୁ ସମ୍ପ୍ରଦାୟ ବିଶ୍ୱ ଜନସଂଖ୍ୟାରେ ତୃତୀୟ ସ୍ଥାନରେ ରହିଛି।