କୋରୋନା ସଂକଟ ବେଳେ ଭାରତୀୟ ରେଳବାଇର ନୂଆ ରେକର୍ଡ
ଦେଶରେ କୋରୋନା ସଂକଟ ବେଳେ ଭାରତୀୟ ରେଳବାଇ ଏକ ନୂଆ ରେକର୍ଡ କରିଛି |
ନୂଆଦିଲ୍ଲୀ: ଦେଶରେ ଏବେ କୋରୋନା ସଂକଟ ଜାରି ରହିଥିବା ବେଳେ, ଭାରତୀୟ ରେଳବାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି | ବିଳମ୍ୱିତ ସେବା ପାଇଁ ଅପବାଦ ମୁଣ୍ଡାଇଥିବା ପାଇଁ ରେଳବାଇ ବିଗତ କିଛି ବର୍ଷ ହେବ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି | ଗତ କିଛି ମାସ ମଧ୍ୟରେ ରେଳବାଇ ସମୟାନୁବର୍ତ୍ତୀତା ଉପରେ ଗୁରୁତ୍ୱ ଦେଇଛି | ଏହା ସହିତ ଟ୍ରେନ ସେବା ବିଳମ୍ବିତ ହେବାର ଘଣ୍ଟା ମଧ୍ୟ ହ୍ରାସ ପାଇଛି |
ଦେଶର ଜୀବନ ରେଖା ଭାବେ ପରିଚିତ ଭାରତୀୟ ରେଳବାଇ | ଦେଶରେ କରୋନା ସଂକଟ ଚାଲିଥିବା ବେଳେ, ଏହି ମହାମାରୀର ମୁକାବିଲା ପାଇଁ ଜାରି ହୋଇଥିବା ଲକ ଡାଉନ କାରଣରୁ ଫସି ରହିଥିବା ଶ୍ରମିକ ଏବଂ ସାଧାରଣ ନାଗରିକଙ୍କ ପାଇଁ ସେବା ଆରମ୍ଭ କରିଥିଲା ରେଳବାଇ |
ହେଲେ ସାମ୍ପ୍ରତିକ ସ୍ଥିତିରେ ଏକ ନୂତନ ସଫଳତା ହାସଲ କରିଛି ଭାରତୀୟ ରେଳବାଇ | ଚଳିତ ବର୍ଷ ଜୁଲାଇ ପହିଲାରୁ ଚଳାଚଳ କରିଥିବା ସମସ୍ତ ଟ୍ରେନ୍ ଠିକ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା | ଯାହା ଏକ ବଡ଼ ସଫଳତା | ଏନେଇ ମିଳିଥିବା ସୂଚନା ଅନୁସାରେ ବର୍ଷ ୨୦୨୦ ଜୁଲାଇ ୧ ତାରିଖରୁ ୨୦୧ ଟ୍ରେନ୍ ଚଳାଚଳ କରିଥିଲା | ଏହି ସମୟ ମଧ୍ୟରେ ଟ୍ରେନ୍ ନିର୍ଦ୍ଧାରିତ ସମୟରେ ଆବଶ୍ୟକ ସ୍ଥାନରେ ପହଞ୍ଚିଥିଲା | ମୋଟ ଉପରେ ଦେଖିବାକୁ ଗଲେ ରେଳବାଇ ସମୟ ଦୃଷ୍ଟିରୁ ୧୦୦% ସଫଳତା ହାସଲ କରିଛି |
ଏନେଇ ବିଶେଷଜ୍ଞଙ୍କ କହିବା କଥା, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଇତିହାସରେ ରେଳବାଇ ଏହି ସଫଳତା ହାସଲ କରିପାରି ନାହିଁ | ଗତ ଜୁନ ୨୩ ତାରିଖରେ ରେଳବାଇର ପ୍ରାୟ ସମସ୍ତ ଟ୍ରେନ୍ ଠିକ୍ ସମୟରେ ଯାତ୍ରା ଆରମ୍ଭ କରିଥିଲା | ହେଲେ ସେହି ସମୟ ମଧ୍ୟରେ ୯୯.୫୪% ଟ୍ରେନ ଠିକ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ସକ୍ଷମ ହୋଇଥିଲା |
ଧାର୍ଯ୍ୟ ସମୟ ଅନୁସାରେ ପହଞ୍ଚିବା କିମ୍ବା ଯାତ୍ରା ଆରମ୍ଭ କରିବାକୁ ନେଇ ଭାରତୀୟ ରେଳବାଇ ଅପବାଦ ମୁଣ୍ଡାଇଛି | ଅଧିକାଂଶ ଟ୍ରେନ୍ ବିଳମ୍ବ ହେବା ସାଧାରଣ କଥା | ହେଲେ ଗତ କିଛି ବର୍ଷ ମଧ୍ୟରେ ରେଳ ବିଭାଗ ବିଳମ୍ବକୁ ହ୍ରାସ କରିବା ପାଇଁ ଉଦ୍ୟମ କରିଛି | ଗତ କିଛି ମାସରେ ରେଳବାଇ ଏହାର ସମୟସାରଣୀଙ୍କୁ ନେଇ ବେଶ ସତର୍କ ରହିଛି | ଟ୍ରେନ ବିଳମ୍ବିତ ହେବାର ଘଣ୍ଟା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇଛି |