Data Breach of Railway Passenger: ରେଳଯାତ୍ରୀଙ୍କ ତଥ୍ୟ ସୁରକ୍ଷାକୁ ନେଇ ସମ୍ବେଦନଶୀଳ ଖବର। ଯାହା ଭାରତୀୟ ରେଳବାଇ ଲାଗି ଏବେ ଚିନ୍ତା ବଢାଇ ଦେଇଛି। ନିକଟରେ ସାଇବର ହ୍ୟାକର ରେଳ ଟିକେଟ ବୁକ୍ କରିଥିବା ୩ କୋଟି ଯାତ୍ରୀଙ୍କ ତଥ୍ୟ ଚୋରି କରିଛନ୍ତି। ଯେଉଁଥିରେ ଯାତ୍ରୀଙ୍କ ଇମେଲ୍, ମୋବାଇଲ୍ ନମ୍ବର, ଠିକଣା, ବୟସ ଏବଂ ଲିଙ୍ଗ ସହିତ ଅନେକ ବ୍ୟକ୍ତିଗତ ତଥ୍ୟ ସୂଚନା ଅନ୍ତର୍ଭୂକ୍ତ ରହିଛି। ବର୍ତ୍ତମାନ ଏହି ତଥ୍ୟ ଡାର୍କୱେବ ମାଧ୍ୟମରେ ବିକ୍ରି ହେଉଛି। ଯାତ୍ରୀଙ୍କ ତଥ୍ୟ ଚୋରି ହେବା ଘଟଣାରେ ଭାରତୀୟ ରେଳବାଇ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। କିନ୍ତୁ ଦିଲ୍ଲୀ ଏମ୍ସ ମେଡିକାଲ ପରେ ରେଳବାଇ ସାଇବର ସୁରକ୍ଷା କ୍ଷେତ୍ରରେ ଏହି ଘଟଣା ଏକ ବଡ ଉଲ୍ଲଂଘନ ବୋଲି କୁହାଯାଉଛି। 


COMMERCIAL BREAK
SCROLL TO CONTINUE READING

ମନିକଣ୍ଟ୍ରୋଲ ନାମକ ଏକ ୱେବସାଇଟ ଅନୁସାରେ ରେଳଯାତ୍ରୀଙ୍କ ତଥ୍ୟ ଚୋରି ହେବା ଘଟଣା (Railway Passenger Data Breach) ଗତ ୨୭ ଡିସେମ୍ବରରେ ଘଟିଥିଲା। ଏହି ରିପୋର୍ଟ ଅନୁଯାୟୀ, ଏକ ହ୍ୟାକର ଫୋରମ୍ ଏହି ଘଟଣା ଘଟାଇଛି। ଯଦିଓ ସେହି ହ୍ୟାକର୍ ଫୋରମ ପ୍ରକୃତ ପରିଚୟ ପ୍ରକାଶ କରାଯାଇ ହେଲେ ଏହା 'Shadowhacker' ନାମରେ ଜଣାଶୁଣା। ବର୍ତ୍ତମାନ ସେହି ହ୍ୟାକର୍ ଫୋରମ୍ ୩ କୋଟି ଯାତ୍ରୀଙ୍କ ସହ ଜଡ଼ିତ ତଥ୍ୟକୁ ଡାର୍କ ୱେବ ଜରିଆରେ ବିକ୍ରି କରୁଛି।


ଏହି ହ୍ୟାକର୍ ଫୋରମ କହିବା କଥା ସେମାନଙ୍କ ପାଖରେ ରେଳ ଟିକେଟ୍ ବୁକ୍ (Railway Ticket Booking) କରିଥିବା ୩ କୋଟି ଯାତ୍ରୀଙ୍କ ଇମେଲ୍, ମୋବାଇଲ୍ ନମ୍ବର ସମେତ ଅନେକ ବ୍ୟକ୍ତିଗତ ସୂଚନା ଉପଲବ୍ଧ ରହିଛି। କେବଳ ଏତିକି ନୁହେଁ, ହ୍ୟାକର ଦାବି କରିଛନ୍ତି ଯେ ସେମାନେ ଅନେକ ସରକାରୀ ବିଭାଗର ଅଫିସିଆଲ ଇମେଲ ଆକାଉଣ୍ଟ ମଧ୍ୟ ଚୋରି କରି ନେଇଛନ୍ତି। ଏହି ସରକାରୀ ଇମେଲ ଆକାଉଣ୍ଟ ବିକ୍ରୟ ପାଇଁ ଡାର୍କ ୱେବ ଠାରେ ରଖାଯାଇଛି।


ଏହି ସାଇବର ହ୍ୟାକର କିପରି ଏହି କାର୍ଯ୍ୟ କଲେ ଏବଂ ରେଲୱେ ସର୍ଭର ଭେଦ କରି କିପରି ସେମାନେ ଏହା ମଧ୍ୟରେ ପ୍ରବେଶ କଲେ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। ବିଭାଗରେ ହୋଇଥିବା ଏହି ତଥ୍ୟ ଉଲ୍ଲଂଘନ ଘଟଣାରେ ଭାରତୀୟ ରେଳବାଇ ମଧ୍ୟ ନୀରବ ରହିଛି। ବର୍ତ୍ତମାନ ରେଳବାଇ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।


ସାଇବର ହ୍ୟାକର କେବଳ ରେଳଯାତ୍ରୀଙ୍କ ତଥ୍ୟ ଚୋରି କରିନାହାଁନ୍ତି ବରଂ ସେମାନେ ରେଲୱେ ୱେବସାଇଟ ସହ ମଧ୍ୟ ହେରଫେର କରିଥିବା ଦାବି କରିଛନ୍ତି। ଭାରତୀୟ ରେଳବାଇ ୱେବସାଇଟ କିମ୍ବା ଏହା ଦ୍ୱାରା ପରିଚାଳିତ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (Indian Railway Catering and Tourism Corporation) ଆଇଆରସିଟିସି ବୁକିଂ ପୋର୍ଟାଲ (IRCTC Ticket Booking Portal) ହ୍ୟାକ୍ ହୋଇଛି ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।


ଏପରି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ ଯେତେବେଳେ ସାଇବର ହ୍ୟାକର ଏପରି ଭାବେ ଭାରତୀୟ ରେଳବାଇ ଡାଟା ଚୋରି କରିବାକୁ ଉଦ୍ୟମ କରିଛନ୍ତି। ଏହା ପୂର୍ବରୁ ଗତ ୨୦୨୦ ବର୍ଷରେ ହ୍ୟାକର ମଧ୍ୟ ସମାନ ଘଟଣା ଘଟାଇ ୯୦  ଜଣ ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଇଥିଲେ। ଯେଉଁଥିରେ ଯାତ୍ରୀଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର ଏବଂ ଇମେଲ୍ ଭଳି ଜରୁରୀ ସୂଚନା ଅନ୍ତର୍ଭୂକ୍ତ ରହିଥିଲା। ଏହାର ୨ ବର୍ଷ ପରେ ବର୍ତ୍ତମାନ ହ୍ୟାକର ୩ କୋଟି ଯାତ୍ରୀଙ୍କ ତଥ୍ୟ କଥିତ ରୂପେ ଚୋରି କରି ନେଇଛନ୍ତି।