ସେପ୍ଟେମ୍ୱରରେ UAEରେ ହେବ ଆଇପିଏଲ !
ସରକାରଙ୍କଠାରୁ ସବୁଜ ସଙ୍କେତ ପାଇବା ପରେ ଚଳିତ ବର୍ଷର ଆଇପିଏଲ୍ କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରାଯିବ ।
ନୂଆଦିଲ୍ଲୀ: ଶେଷରେ ଆଇସିସି ଟି-20 ବିଶ୍ୱକପକୁ ସ୍ଥଗିତ ରଖିଛି । ଏପରି ସ୍ଥିତିରେ ଆଇପିଏଲ ୨୦୨୦ର ଆୟୋଜନ କରିବାର ରାସ୍ତା ମଧ୍ୟ ଖୋଲି ଯାଇଛି । ଟି-୨୦ ବିଶ୍ୱକପକୁ ସ୍ଥଗିତ ହେବାର ଗୋଟିଏ ଦିନ ପରେ ଆଇପିଏଲ ପରିଚାଳନା ପରିଷଦର ଅଧ୍ୟକ୍ଷ ବ୍ରିଜେଶ ପଟେଲ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଚଳିତ ବର୍ଷ ଆଇପିଏଲର ଆୟୋଜନ ଦୁବାଇରେ ହେବ । ବ୍ରିଜେଶ ପଟେଲ ଏନଡିଟିଭିକୁ ନିଶ୍ଚିତ କରିଛନ୍ତି ଯେ ଆଇପିଏଲ ଚଳିତ ବର୍ଷ ଦୁବାଇରେ ହେବ ଏବଂ ଏଥିପାଇଁ କେବଳ ସରକାରଙ୍କ ସବୁଜ ସଙ୍କେତର ଅପେକ୍ଷା ରହିଛି । ଆଇପିଏଲ୍ ଅଧ୍ୟକ୍ଷ କହିଛନ୍ତି ଯେ, ଦୁବାଇରେ ଆଇପିଏଲ୍ ଆୟୋଜନ ପାଇଁ ସରକାରଙ୍କଠାରୁ ଅନୁମତି ନିଆଯାଇଛି । ଅନ୍ୟପକ୍ଷେ ସେପ୍ଟେମ୍ୱରରେ ଆଇପିଏଲ ଆରମ୍ଭ ହୋଇପାରେ ।
ସରକାରଙ୍କଠାରୁ ସବୁଜ ସଙ୍କେତ ପାଇବା ପରେ ଚଳିତ ବର୍ଷର ଆଇପିଏଲ୍ କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରାଯିବ । ପଟେଲ ଏହା ମଧ୍ୟ କହିଛନ୍ତି ଯେ, ଆଇପିଏଲରେ ୬୦ଟି ମ୍ୟାଚ୍ ଖେଳାଯିବ । କାର୍ଯ୍ୟସୂଚୀରେ କୌଣସି ପ୍ରକାରେ କମି ହେବ ନାହିଁ । ସେପ୍ଟେମ୍ବରରେ ଆଇପିଏଲର ଆୟୋଜନ ହେବ । ଆଇପିଏଲର ଆୟୋଜନ ପାଇଁ ଶ୍ରୀଲଙ୍କା ବିସିସିଆଇକୁ ମଧ୍ୟ ପ୍ରସ୍ତାବ ଦେଇଥିଲା ।
ଏଠାରେ କହି ରଖୁଛୁ ଯେ, ବିସିସିଆଇ ଆସନ୍ତା ୭ରୁ ୮ ଦିନ ମଧ୍ୟରେ ଆଇପିଏଲ ୨୦୨୦ର କାର୍ଯ୍ୟସୂଚୀ ଘୋଷଣା କରିବ । ଏଭଳି ପରିସ୍ଥିତିରେ ଭାରତୀୟ କ୍ରିକେଟରମାନେ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୁରେଶ ରାଇନା ଏବଂ ଋଷଭ ପନ୍ତ ପରି କ୍ରିକେଟର ଘର ବାହାରି ଅଭ୍ୟାସ ଆରମ୍ଭ କରିଛନ୍ତି । ଥରେ ଆଇପିଏଲ୍ ଆୟୋଜନ ହେବା ପରେ ପୁଣି ପ୍ରଶଂସକମାନେ ଧୋନିଙ୍କୁ କ୍ରିକେଟ୍ ପଡ଼ିଆରେ ଖେଳୁଥିବା ଦେଖିବାକୁ ପାଇବେ । ୨୦୧୯ ବିଶ୍ୱକପ୍ ସେମିଫାଇନାଲ ପରେ ଧୋନି କ୍ରିକେଟ୍ ପଡ଼ିଆଠାରୁ ଦୂରରେ ଅଛନ୍ତି ।