କିମିଆ କରିଛି ବିରିୟାନୀ; ଗୋଟିଏ ପ୍ଲେଟ ପାଇଁ ଦେଢ କିଲୋମିଟର ଲାଇନ୍
ଲକଡାଉନ ଯୋଗୁଁ ଘରେ ରହି ରହି ବିରକ୍ତ ହୋଇଗଲାଣି ମଣିଷ । କୋରୋନା କଟକଣା ଯୋଗୁଁ ଦୀର୍ଘ ସମୟ ହେବ ବାହାର ଖାଦ୍ୟ ଖାଇନଥିଲା । ଆଉ କଟକଣା କୋହଳ ହେବା ମାତ୍ରେ ମନ ଖୋଜେ ବିରିୟାନୀ ।
ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓକୁ ଦେଖିଲେ ଲାଗୁଛି ଯେମିତି ସେଠାରେ ସରକାର ମାଗଣାରେ କିଛି ବଣ୍ଟୁଛନ୍ତି । ବଣ୍ଟା ହେଉଥିଲା ସତ, କିନ୍ତୁ ତାହା ସରକାରୀ ସାମଗ୍ରୀ ନୁହଁ ବିରିୟାନୀ । ଆଉ ଏହି ବିରିୟାନୀ ଖାଇବାକୁ ଲୋକଙ୍କ ଲାଗିଥିଲା ପ୍ରାୟ ଦେଢ କିଲୋମିଟର ଲାଇନ ।
ଭାଇରାଲ ଭିଡିଓଟି ହେଉଛି କର୍ଣ୍ଣାଟକ ହୋସକୋଟର ଅଞ୍ଚଳର । କୋରୋନା ଧୀରେଧୀରେ କଟକଣା କହୋଳ ହେବାସହ ହୋଟେଲ ଓ ରେସ୍ତୋରାଁମାନ ଖୋଲିବା ଆରମ୍ଭ ହୋଇଯାଇଛି । ଏଥିମଧ୍ୟରେ ଖୋଲିଛି ହୋସକୋଟର ପ୍ରସିଦ୍ଧ ଆନନ୍ଦମ ବିରିୟାନୀ ସେଣ୍ଟର । ଆଉ ଆନନ୍ଦ ଦମ ବିରିୟାନୀର ଆନନ୍ଦ ନେବାକୁ ଲୋକେ ସକାଳ ୪ଟାରୁ ଲାଇନ ଲଗାଇଛନ୍ତି ।
ଦୀର୍ଘ ୨ ଦଶନ୍ଧିରୁ ଆନନ୍ଦମ ବିରିୟାନୀ ସେଣ୍ଟର ଚିଲିଛି । ଆଉ ଦିନକୁ ଦିନ ଏହାର ଲୋକପ୍ରିୟତା ଆକାଶ ଛୁଆଁ ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଭାଇରାଲ ଭିଡିଓରେ ଦିଖିବାକୁ ମିଳିଛି । ତେବେ ଏହା କେବଳ ଦିନକର ନୁହିଁ ସବୁଦିନିଆ ସ୍ଥିତି । ଦୂର ଦୂରାନ୍ତରୁ ଆନନ୍ଦ ଦମ ବିରିୟାନୀ ଖାଇବାକୁ ଲୋକେ ହୋସକଟ ଆସନ୍ତି ।
ଦୋକାନ ମାଲିକ କହିଛନ୍ତି, ଆମେ ପ୍ରାୟ ୨୨ ବର୍ଷ ପୂର୍ବେ ଏହି ଷ୍ଟଲ୍ ଖୋଲିଥିଲୁ । ପ୍ରଥମେ ଦିନକୁ କେବଳ ୨ କିଲୋ ମାଂସର ବିରିୟାନୀ ବିକ୍ରି କରିବାକୁ ଆମକୁ ଦିନ ତମାମ ସମୟ ଲାଗୁଥିଲା । କିନ୍ତୁ ଏବେ ଦିନକୁ ୨୦୦ କିଲୋ ବି ନିଅଣ୍ଟ ହେଉଛି । ଅନ୍ୟ ଦିନରେ ପ୍ରାୟ ୫୦୦ କିଲୋ ବିରିୟାନୀ ବିକୁ କିନ୍ତୁ ଶନିବାର ଓ ରବିବାର ଏହାର ତିନି ଗୁଣା ବିକ୍ରି ହୁଏ ।
ବିଶେଷ କରି ମଟନ ଦମ ବିରିୟାନୀ ପାଇଁ ଏହି ଦୋକାନଟି ପ୍ରସିଦ୍ଧ । ଏଠାରେ ଗୋଟିଏ ଫୁଲ ପ୍ଲେଟ ବିରିୟାନୀର ମୂଲ୍ୟ ୨୩୦ ଓ ହାଫ୍ ପ୍ଲେଟର ମୂଲ୍ୟ ୧୭୦ ଟଙ୍କା । ବିରିୟାନୀ ବ୍ୟତୀତ ଏଠାରେ ଅନେକ ସାଇଡ ଡିସ ମଧ୍ୟ ମିଳିଥାଏ । ମାଲିକଙ୍କ କହିବାନୁସାରେ ସେମାନେ ଭୋର ୩ଟା ବେଳୁ ରୋଷେଇ ଆରମ୍ଭ କରନ୍ତି । ଆଉ ୫ଟା ପୂର୍ବରୁ ଦୋକାନ ବାହାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥାଏ ।
ବିରିୟାନୀ କିଣିଥିବା ଜଣେ ଗ୍ରାହକ କହିଛନ୍ତି, ମୁଁ ସକାଳ ୪ଟାରେ ଏଠାକୁ ଆସିଥିଲି । କିନ୍ତୁ ସକାଳ ସାଢେ ୬ଟାରେ ମୋର ଅର୍ଡର ପାଇଲି । କାରଣ ବିରିୟାନି ପାଇଁ ପ୍ରାୟ ଦେଢ କିଲୋମିଟର ଲମ୍ବା ଧାଡି ଅଛି । ଏହି ଦୋକାନରେ ଥିବା ଖାଦ୍ୟ ଅତ୍ୟନ୍ତ ସ୍ୱାଦିଷ୍ଟ, ତେଣୁ ଏହା ଅପେକ୍ଷା କରିବା ଉଚିତ୍ ।
ଏହି ଦୋକାନର ବିଶେଷତ୍ୱ ହେଲା, ଏହାର ଲୋକପ୍ରିୟତା ସହ ଅର୍ଡର ବଢିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଘରୋଇ ସଂସ୍ଥା ବା ବ୍ରାଣ୍ଡ କିଣିବାକୁ ଚେଷ୍ଟା କରିନାହିଁ । ଯାହା ଆନନ୍ଦ ବିରିୟାନୀକୁ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ଦୋକାନ ମାଲିକ କହିଛନ୍ତି ।