ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ୧୯୯୨ ମସିହା ଡିସେମ୍ୱର ୬ ତାରିଖରେ ଭାରତ ଇତିହାସରେ ଯାହା ଲେଖା ହୋଇଥିଲା, ତାହା ସମସ୍ତଙ୍କୁ ଜଣା। ପବିତ୍ର ରାମ ଜନ୍ମଭୂମି ଅଯୋଧ୍ୟାରେ ଥିବା ବାବ୍ରି ମସଜିଦ ଭାଙ୍ଗିବା ଘଟଣା ସେହି ସମୟର ସବୁଠୁ ବଡ଼ ବିବାଦ । ଜାତିର ବିସ୍ତାର ପାଇଁ ମୋଗଲ ସମ୍ରାଟ ବାବର ମସଜିଦ ନିର୍ମାଣ କରିବାକୁ ମନ୍ଦିର ଭାଙ୍ଗିଥିବା ଇତିହାସ କୁହେ । ବାବରଙ୍କ ସମୟରେ ଏଠାରେ ମସଜିଦ ନିର୍ମାଣ କରାଯାଇଥିବାରୁ ଏହାକୁ ବାବ୍ରି ମସଜିଦ ବୋଲି କୁହାଯାଏ । ଏହାପରେ ଧୀରେ ଧୀରେ ବିବାଦ ଘେରକୁ ଟାଣି ହୋଇଥିଲା ଏହି ପବିତ୍ର ସ୍ଥାନ । ସାମ୍ପ୍ରଦାୟିକ ଦଙ୍ଗା ଭିତରେ ବାରମ୍ୱାର ପେଶି ହେଉଥିଲା ଅଯୋଧ୍ୟା ମାଟି । ବ୍ରିଟିଶ ଶାସନ ସମୟରେ ୧୮୫୩ରେ ଏହି ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ହେବା ପରେ ୧୮୫୯ରେ ବ୍ରିଟିଶ ଶାସକ ଏହି ସ୍ଥାନରେ ବାଡ଼ ପକାଇ ଦେଇଥିଲେ । ଏହାପରେ ସେହି ପ୍ରାଙ୍ଗଣ ଭିତର ଭାଗରେ ମୁସଲମାନଙ୍କୁ ଓ ବାହାରେ ହିନ୍ଦୁଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ମିଳିଥିଲା । ଏହାପରେ ଏହି ପବିତ୍ର ମାଟି ପାଲଟିଗଲା ବିବାଦୀୟ ସ୍ଥାନ। 


COMMERCIAL BREAK
SCROLL TO CONTINUE READING

୧୯୯୦ ଦଶକରେ ଏହି ମାମଲା ଚେର ଧରିବାରେ ଲାଗିଥିଲା । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା ଆଉ ବିବାଦ ଉତ୍ତରପ୍ରଦେଶ ସୀମାକୁ ଲଙ୍ଘି ଦେଶର ଅନ୍ୟ ରାଜ୍ୟକୁ ବ୍ୟାପିଲା । ଏହି ସମୟରେ ହିଁ ରାଜନୀତିରେ ଲଗାତାର ନୂଆ ପ୍ରୟୋଗମାନ ହେବାରେ ଲାଗିଲା । କେବେ ସମୀକରଣ ବନୁଥିଲା ତ ଆଉ କେବେ ବିଗିଡ଼ୁଥିଲା । ଶେଷରେ ଫଳ ଏହା ହୋଇଥିଲା, ରାଜନୈତିକ ଦଳଗୁଡ଼ିକ ଏ ବିବାଦକୁ ରାଜନୀତିର ଜରିଆ ବନାଇଦେଲେ । ଆଉ ପରବର୍ତ୍ତୀ ସମୟରେ ଏହା ଆଜେଣ୍ଡାରେ ସାମିଲ ହୋଇଗଲା, ଯାହାର ସ୍ୱରୁପ ବାବ୍ରି ମସଜିଦ ଧ୍ୱଂସ । କିନ୍ତୁ, ଏହି ବିବାଦକୁ ଦେଶର ସର୍ବୋଚ୍ଚ କୋର୍ଟ ୨୦୧୯ ମସିହା ନଭେମ୍ୱର ୬ ତାରିଖରେ ବିବାଦମୁକ୍ତ କରିଥିଲେ। ଏହାପରେ ନୂଆ ଅଯୋଧ୍ୟାର ରୂପରେଖ ତିଆରି ହେଲା, କାର୍ଯ୍ୟକାରୀ ବି ହେଲା। ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ଖସଡ଼ା ପ୍ରସ୍ତୁତ ହେଲା । 



ସାରାଦେଶ କୋରୋନା କବଳରେ କବଳିତ ଥିବାବେଳେ ସରକାର ଏଠାରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ। ଦେଶର ବିଭିନ୍ନ କୋଣ ଅନୁକୋଣରୁ ମାଟି ଆଣି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱୟଂ ପୂଜାରେ ବସି ଶୁଭାରମ୍ଭ କରିଥିଲେ। ସାରା ଦେଶରେ ଯେତେବେଳେ ଲକଡାଉନ୍ ଜାରି କରାଯାଇଥିଲା, ସାମାଜିକ ଦୂରତାର ନାଁ ଗନ୍ଧ ବି ନ ରଖି ଏଠାରେ ଭବ୍ୟ ଆୟୋଜନ ହୋଇଥିଲା। ସିଏ ଯାହା ବି ହେଉ, ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭ ସାରା ବିଶ୍ୱ ପାଇଁ ଏକ ଶୁଭ ସଙ୍କେତ ବୋଲି ବିବେଚିତ ବି ହେଲା । କିନ୍ତୁ, ଇତିହାସର କଳଙ୍କିତ ଅଧ୍ୟାୟରେ ଲିପିବଦ୍ଧ ହୋଇଥିବା ସେହି ଡିସେମ୍ୱର ୬ ତାରିଖ ଦିନ ଘଟଣାର ନିଷ୍କର୍ଷ କ'ଣ ହେଲା ?


ବୁଧବାର ଉତ୍ତର ପ୍ରଦେଶ ସିବିଆଇ ସ୍ୱତନ୍ତ୍ର କୋର୍ଟ ବାବ୍ରି ମସଜିଦ ଧ୍ୱଂସ ଘଟଣାର ରାୟ ଶୁଣାଇଛନ୍ତି । ଏହି ରାୟରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ ସମେତ ୩୨ ଜଣଙ୍କୁ ଦୋଷମୁକ୍ତ କରାଯାଇଛି। ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ୧୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ତେବେ କୋର୍ଟଙ୍କୁ ଦିଆଯାଇଥିବା ଭିଡିଓ ଏବଂ ଫଟୋକୁ ନେଇ କୋର୍ଟ ସନ୍ତୁଷ୍ଟ ହୋଇ ନ ଥିଲେ। ଏହାସହ ଏହି ଘଟଣା ପ୍ରାୟୋଜିତ ନ ଥିଲା ବୋଲି ମଧ୍ୟ କୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି । ଯଦି ଏହା ପ୍ରାୟୋଜିତ ନ ଥିଲା, ତେବେ ଏହା କଲା କିଏ ? ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୋରୋନା ଏବଂ ଅର୍ଥନୀତିକୁ ଆକ୍ଟ ଅଫ୍ ଗଡ୍ ବା ଭଗବାନଙ୍କ ଦ୍ୱାରା ରଚିତ ବୋଲି କହିଥିଲେ। ଠିକ୍ ସେହିପରି ବାବ୍ରି ମସଜିଦ ଯଦି ପ୍ରାୟୋଜିତ ନ ଥିଲା, ତେବେ ଏହା ବି କ'ଣ ଆକ୍ଟ ଅଫ୍ ଗଡ୍ ବା ଭଗବାନଙ୍କ ଦ୍ୱାରା ରଚିତ ଥିଲା?



ଶୁଣାଣି ପରେ ବିଜେପି ସଦସ୍ୟ ଜୟ ଭଗବାନ ଗୋୟଲ ନିଜେ ସ୍ୱୀକାର କରିଛନ୍ତି ଯେ, ଏହା ଥିଲା ସମ୍ପୂର୍ଣ୍ଣ ପ୍ରାୟୋଜିତ। ଏହାକୁ ନେଇ ପୂରା ଆଜେଣ୍ଡା ପ୍ରସ୍ତୁତ କରାଯାଇଥିଲା। ଆଜେଣ୍ଡା ମୁତାବକ ସେମାନେ ଢାଞ୍ଚା ଭାଙ୍ଗିଥିଲେ ଏବଂ ପରେ ଏହା ଭୟଙ୍କର ରୂପ ନେଇଥିଲା। ଜୟ ଭଗବାନ ସେହି ସମୟରେ ଶିବସେନାର ଉତ୍ତର ଭାରତ ମୁଖ୍ୟ ଥିଲେ। ସେ ଏହା ବି କହିଛନ୍ତି ଯେ, ଢାଞ୍ଚା ଭାଙ୍ଗିବାରୁ ସିନା ଆଜି ରାମ ମନ୍ଦିର ନିର୍ମାଣ ହେଉଛି। ଆମେ ଯଦି ଭାଙ୍ଗି ନ ଥାନ୍ତୁ, ତେବେ ରାମ ମନ୍ଦିର ନିର୍ମାଣ କ'ଣ ସମ୍ଭବ ହୋଇଥାନ୍ତା ! ତେବେ ତାଙ୍କ କହିବା କଥା ବି ଠିକ୍। ସେଦିନ ଏତେବଡ଼ କାଣ୍ଡ ହେଲା ବୋଲି ସିନା ଆଜି ରାମ ମନ୍ଦିର ସମ୍ଭବ। କିନ୍ତୁ, ଏତେ ଦିନ ଯାଏ ଯେଉଁ ଫଟୋ ଥିଲା, ଯେଉଁ ଭିଡିଓ ଥିଲା, ଯାହା ସବୁ ପ୍ରମାଣ ଥିଲା, ତାହା କୋର୍ଟଙ୍କ ରାୟ ଆଗରେ ଅଚାନକ୍ ତୁଚ୍ଛ ଏବଂ ମୂଲ୍ୟହୀନ ହୋଇଗଲା। ଅବଶ୍ୟ ଏହାପରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ମାମଲା ଯାଇପାରେ, କିନ୍ତୁ ଆଜିର ଦିନରେ ଯାହା ଘଟିଗଲା, ତାହା ଭବିଷ୍ୟତ ଇତିହାସରେ କ'ଣ ହୋଇ ରହିବ, କଳଙ୍କଯୁକ୍ତ ନା କଳଙ୍କମୁକ୍ତ ? ଘଟଣା ଘଟିଲା, ଦୁନିଆ ଦେଖିଲା ଆଉ ବିବାଦ ଭୟଙ୍କର ରୂପ ବି ନେଲା । କିନ୍ତୁ, ଆଇନ ନିକଟକୁ ଗଲା ବେଳକୁ ଏହା ନିର୍ଦ୍ଦୋଷର ଆଖ୍ୟା ପାଇଲା । ଭିଡିଓ କିମ୍ୱା ଅଡିଓର ବୟସ ବା କେତେ ? ପ୍ରମାଣ ଉପରେ ବିଶ୍ୱାସ କରୁଥିବା ଆଇନ ପାଇଁ ଅଚାନକ୍ ଏହା କେତେବେଳେ ଭରସାଯୋଗ୍ୟ ନୋହିଲା, ଯାହା ପାଇଁ ୨୮ ବର୍ଷର ଇତିହାସ ଆଜି କଳଙ୍କମୁକ୍ତ ହୋଇଛି ।