ବଞ୍ଚିଥିଲା ବେଳେ ଶୁଣିଲନି, ମରିଗଲା ପରେ କି ଲାଭ ହୋ !
ତାଲାବନ୍ଦ ପରେ ଅନେକ କିଛି ବଦଳି ଯାଇଛି । ତନ୍ମଧ୍ୟରୁ ଏମିତି ଅନେକ କାହାଣୀ ଅଛି, ଯାହା ଆମକୁ ଜଣା ନାହିଁ । ପ୍ରତିଦିନ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେଉଁଠି କ୍ରସର ମେସିନ ଭିତରେ ଖୁନ୍ଦି ହୋଇ ଲୋକ ଯାଉଛନ୍ତି ତ ଆଉ କେଉଁଠି ସହସ୍ର କିଲୋମିଟର ଚାଲିଚାଲି ଯାଉଛନ୍ତି । ସରକାରଙ୍କୁ ସାଧାରଣ ଲୋକଙ୍କ ଦୁଃଖ ଦୀର୍ଘଦିନ ଧରି ଦେଖାଯାଇ ନ ଥାଏ । କିନ୍ତୁ, ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ସେତେବେଳେ ଟ୍ୱିଟର୍, ଫେସବୁକରେ ତା` ପାଇଁ ଶୋକବାର୍ତ୍ତାର ବର୍ଷା ହୋଇଥାଏ ।
ଚାରୁ ଚନ୍ଦନ ଦାଶ, ନୂଆଦିଲ୍ଲୀ: ଶକ୍ତ ଲୁହାରେ ତିଆରି ରେଲୱେ ଟ୍ରାକ୍ ଚିରି ଦେଲା ଛିଣ୍ଡା ବସ୍ତ୍ର, ଖିନଭିନ୍ କରିଦେଲା ନୁଖୁରା କେଶ ଓ ଭୋକିଲା ପେଟର ଶୋଷିଲା ଶରୀର । ଲୌହମାନବର ବିକଟାଳ ଚିତ୍କାର ଭିତରେ ସବୁଦିନ ପାଇଁ ହଜିଗଲା ଆଖିଏ ସ୍ୱପ୍ନ, ପୁଳାଏ ମେହନତ୍ ଓ ଝରାଏ ସ୍ନେହ । ଗରିବୀର ଚାବୁକ୍ ମାଡ଼ ଆଜି ବଞ୍ଚିବାର ରାହାକୁ ଅଧାରୁ ରୋକି ଦେଇଛି । ସବୁଦିନ ପାଇଁ ମାରିଦେଇଛି ଆଉ ଚିରକାଳ ପାଇଁ ଗରିବର ସ୍ୱପ୍ନକୁ ଅସହାୟ ହେବାର ପ୍ରମାଣ ଦେଇଛି । ରେଳ ଧାରଣା ଉପରେ ପଡ଼ିଥିବା ରକ୍ତାକ୍ତ ରୁଟି ଖଣ୍ଡିଏରୁ ବାରି ହୋଇ ପଡ଼ୁଛି ସେହି ୧୬ ଜଣ ଶ୍ରମିକଙ୍କ ଆଖିର ଲୁହ । ପାଖରେ ପଡ଼ିଥିବା ଛିଣ୍ଡା କନା ଭିତରୁ ବାସୁଛି ସେମାନଙ୍କ ଗରିବୀର ବାସ୍ନା। ଘରକୁ ଫେରିବାର ସେହି ଅଭିଳାଷ ସବୁଦିନ ପାଇଁ ସେମାନଙ୍କ ବାପା, ମା' କି ପତ୍ନୀ ଅବା ଛୁଆ ପିଲାଙ୍କ ଆଖିରେ ଆଖିଏ ଲୁହ ଆଉ ଛାତିଏ କୋହ ହୋଇ ରହିଯାଇଛି ।
ଦୀର୍ଘ ୩୬ ଘଣ୍ଟା ଧରି ପାଦରେ ଚାଲିଚାଲି ଥକି ପଡ଼ିବା ପରେ ରେଲୱେ ଟ୍ରାକରେ ଶ୍ରମିକମାନେ ଶୋଇଥିଲେ । କିନ୍ତୁ, ସେମାନେ କ'ଣ ଜାଣିଥିଲେ ଯେ, ସେହି ନିଦ୍ରା ହିଁ ତାଙ୍କ ପାଇଁ ଶେଷ ନିଦ୍ରା ହେବ । ମହାରାଷ୍ଟ୍ର ଔରଙ୍ଗାବାଦରୁ ୩୦ କିଲୋମିଟର ଦୂରରେ ଥିବା କରମଡ୍ ନିକଟରେ ବିଶ୍ରାମ ନେଉଥିବା ସମୟରେ ୧୬ ଜଣ ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ୍ ଚଢ଼ି ଯାଇଥିଲା, ଆଉ ସେମାନେ ପ୍ରାଣ ହରାଇଛନ୍ତି । ସାରାଦେଶ ଏବେ କୋରୋନା ମହାମାରୀର କବ୍ଜାରେ ଥିବାବେଳେ ଲକଡାଉନରେ ବନ୍ଧା ପଡ଼ିଛି ଲୋକଙ୍କ ଜୀବନ। କଳ କାରଖାନା ବନ୍ଦ ରହିଥିବାରୁ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ଶହ ଶହ, ହଜାର ହଜାର କିଲୋମିଟର ଧରି ସେମାନେ ଚାଲି ଚାଲି ଯାଉଛନ୍ତି । ରାସ୍ତାରେ ଗଲେ କାଳେ ପୋଲିସ ଧରାଶାୟୀ କରିବ, ସେଥିପାଇଁ ଶ୍ରମିକମାନେ ରେଲୱେ ଟ୍ରାକରେ ଚାଲୁଛନ୍ତି । ବିପଦ ଥିବା ସତ୍ତ୍ୱେ ସେମାନେ ଉପାୟଶୂନ୍ୟ ହୋଇ ଏହି ବିପଦପୂର୍ଣ୍ଣ ରାସ୍ତାକୁ ହିଁ ବାଛି ନେଇଛନ୍ତି । ନିଜ ନିଜ ରାଜ୍ୟକୁ ଶ୍ରମିକମାନଙ୍କୁ ଫେରାଇ ନେବା ପାଇଁ ରାଜ୍ୟ ସରକାର ଗୁଡ଼ିକୁ କେନ୍ଦ୍ର ସରକାର କହିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ମଧ୍ୟ କରାଯାଉଛି । କିନ୍ତୁ, ନିଜ ନିଜ ରାଜ୍ୟକୁ ଫେରାଇ ନେବା କ'ଣ ଏହାର ସମାଧାନ ?
ଓଡ଼ିଶା କଥା ବିଚାର କରିବା । ରାଜ୍ୟରେ ଏବେ ୨୮୮ରୁ ଅଧିକ ଲୋକ କୋରୋନା ଯୋଗୁ ଆକ୍ରାନ୍ତ ହୋଇଛନ୍ତି । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨ ଜଣ କେବଳ ସୁରତ ଫେରନ୍ତା । ତେଣୁ, ରାଜ୍ୟ ସରକାରଙ୍କ ଏବେ ଗୋଟିଏ ଚିନ୍ତା ଯେ, ବାହାର ରାଜ୍ୟ ଫେରନ୍ତାଙ୍କ ଠାରୁ ଯଦି ଅନ୍ୟମାନଙ୍କୁ ସଂକ୍ରମଣ ହେବ, ତେବେ ପରିସ୍ଥିତି କ'ଣ ହେବ ? ତେଣୁ, କେନ୍ଦ୍ର ସରକାରଙ୍କ କ'ଣ ଏଥିପ୍ରତି କୌଣସି କର୍ତ୍ତବ୍ୟ ନାହିଁ ? ଅନ୍ୟ ରାଜ୍ୟକୁ ଫେରାଇ ଦେବା ଅପେକ୍ଷା, ଯିଏ ଯେଉଁଠି ଅଛନ୍ତି, ସେମାନଙ୍କ ପାଇଁ ସେଠାରେ ରହିବା, ଖାଇବା ବ୍ୟବସ୍ଥା କଲେ ଅସୁବିଧା କ'ଣ ? ନିଜର ଜୀବିକା ହରାଇ ସାରିବା ପରେ ନିଜ ଘରକୁ ଫେରିଯିବାର ହିଁ ଏକମାତ୍ର ରାସ୍ତା ଥାଏ । କାରଣ, ନିଜ ଘରକୁ, ନିଜ ପରିବାରକୁ ବାହୁଡ଼ିଗଲେ ପରିସ୍ଥିତିର ସାମ୍ନା କରିହୁଏ । ମାତ୍ର, ଏବେ ସ୍ଥିତି ଜଟିଳ ହୋଇ ସାରିଛି । କୋରୋନା ଭଳି ମହାମାରୀ ଏବେ ଆମକୁ ତା'ର ମାୟାଜାଲରେ ଆବଦ୍ଧ କରି ରଖିଛି । ତେଣୁ, ସରକାରଙ୍କ ଏଥିପ୍ରତି ଗୁରୁ ଦାୟିତ୍ୱ ରହିଛି । ଯଦି ଶ୍ରମିକମାନଙ୍କୁ ଉତ୍ତମ ଭାବେ ଖାଇବା, ରହିବାର ସୁବିଧା କରାଯାଆନ୍ତା, ତେବେ ସେମାନଙ୍କୁ ହଜାର ହଜାର କିଲୋମିଟର ଚାଲି ଚାଲି ଯିବାର କୌଣସି ଆବଶ୍ୟକ ପଡ଼ନ୍ତାନି । ରେଳ ଟ୍ରାକରେ ଆଉ ଜୀବନ ଯାଆନ୍ତାନି । ଭୋକ, ଉପାସରେ ପ୍ରାଣ ହରାଇବାକୁ ପଡ଼ନ୍ତାନି । ଔରଙ୍ଗାବାଦରେ ପ୍ରାଣ ହରାଇଥିବା ଶ୍ରମିକମାନେ ୩୬ ଘଣ୍ଟା ଚାଲିବା ପୂର୍ବରୁ ହୁଏତ କେତେଦିନ ଭୋକିଲା ରହିଥିବେ, ସେକଥା କେବଳ ତାଙ୍କୁ ହିଁ ଜଣା । ଉପରେ ଥାଇ ଆଜି ସେମାନେ ଏଠାକାର ଅବସ୍ଥା ନିଶ୍ଚୟ ଦେଖୁଥିବେ । ପରିହାସ କରୁଥିବେ ଆମର ସିଷ୍ଟମକୁ ।
ବାହାର ରାଜ୍ୟ ଫେରନ୍ତାଙ୍କ ଯୋଗୁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶାନୁସାରେ, ରାଜ୍ୟକୁ ଆସିବା ପୂର୍ବରୁ ସମସ୍ତଙ୍କୁ ପରୀକ୍ଷା କରିବା ବାଧ୍ୟତାମୂଳକ । କିନ୍ତୁ ତା'ପର ଦିନ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ କରି ରାଜ୍ୟ ଉପରକୁ ସବୁ ଦାୟିତ୍ୱ ଠେଲି ଦେଇଛନ୍ତି ଏବଂ ସମସ୍ତେ ପ୍ରବେଶ କରିପାରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଏବେ ରାଜ୍ୟକୁ ବାହାର ରାଜ୍ୟ ଲୋକମାନେ ଆସିବାରେ ଲାଗିବେ । ଫଳରେ ସଂକ୍ରମଣ ସଂଖ୍ୟା ବି ବଢ଼ିବାରେ ଲାଗିବ । ତେଣୁ, ରାଜ୍ୟକୁ ଫେରାଇ ଦେଉଥିବା କେନ୍ଦ୍ର ସରକାର ସେମାନଙ୍କୁ ନିଜ ନିଜ ସ୍ଥାନରେ ରଖି ସେମାନଙ୍କ କଥା ବୁଝିବା ପାଇଁ ଅସମର୍ଥ କି ? ନଚେତ୍ ଯେଉଁ ରାଜ୍ୟର ଭୌଗୋଳିକ ଓ ଅର୍ଥନୈତିକ ବିକାଶର ବିନ୍ଧାଣୀ ଆମର ଏହି ଓଡ଼ିଆ ଶ୍ରମିକମାନେ, ସେହି ରାଜ୍ୟର ସରକାରଙ୍କର କ'ଣ ସେମାନଙ୍କ ଦାୟିତ୍ୱ ନେବା ଉଚିତ୍ ନୁହେଁ ?
ତାଲାବନ୍ଦ ପରେ ଅନେକ କିଛି ବଦଳି ଯାଇଛି । ତନ୍ମଧ୍ୟରୁ ଏମିତି ଅନେକ କାହାଣୀ ଅଛି, ଯାହା ଆମକୁ ଜଣା ନାହିଁ । ପ୍ରତିଦିନ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେଉଁଠି କ୍ରସର ମେସିନ ଭିତରେ ଖୁନ୍ଦି ହୋଇ ଲୋକ ଯାଉଛନ୍ତି ତ ଆଉ କେଉଁଠି ସହସ୍ର କିଲୋମିଟର ଚାଲିଚାଲି ଯାଉଛନ୍ତି । ସରକାରଙ୍କୁ ସାଧାରଣ ଲୋକଙ୍କ ଦୁଃଖ ଦୀର୍ଘଦିନ ଧରି ଦେଖାଯାଇ ନ ଥାଏ । କିନ୍ତୁ, ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ସେତେବେଳେ ଟ୍ୱିଟର୍, ଫେସବୁକରେ ତା' ପାଇଁ ଶୋକବାର୍ତ୍ତାର ବର୍ଷା ହୋଇଥାଏ । ଯେଉଁ ଲୋକମାନେ ଆଜି ଏହି ସିଷ୍ଟମ ଭିତରେ ଅଛନ୍ତି, ସେମାନେ ସମସ୍ତେ ୧୬ ଜଣ ଶ୍ରମିକ, ମୃତ୍ୟୁ ପରେ ଚାରିଆଡେ ଶୋକର ଛାୟା । ସେମାନେ ଆଜି ପ୍ରାଣ ହରାଇ ନ ଥିଲେ, ହୁଏତ ଔରଙ୍ଗାବାଦ ପହଞ୍ଚି ଯାଇଥାନ୍ତେ, ଆଉ ହୁଏତ ଘରେ ବି ପହଞ୍ଚି ପାରିଥାନ୍ତେ । କିନ୍ତୁ ସେମାନେ କ'ଣ ଜାଣିଥିଲେ ଯେ, ସେମାନଙ୍କୁ ଏକ ଟ୍ରେନ୍ ତଳେ ହିଁ ମରିବାକୁ ହେବ ! ଆଜି ଅବସ୍ଥା ଏମିତି ହୋଇଛି, ଯେ ଶିଳ୍ପୋଦ୍ୟୋଗ ଗୁଡ଼ିକ ବନ୍ଦ ହୋଇଯିବା ପରେ ଲୋକମାନେ ଚାକିରୀ ହରାଇଛନ୍ତି । ଲକଡାଉନ୍ ହେବା ଯୋଗୁ କାମ ବନ୍ଦ ହୋଇଯାଇଛି । ଫଳରେ ଶ୍ରମିକମାନେ ରୋଜଗାରଶୂନ୍ୟ ହୋଇ ପଡ଼ିଛନ୍ତି । ବଞ୍ଚିଥିଲା ବେଳେ ୫ ଟଙ୍କା ଦେଇ ପାରି ନ ଥିବା ସରକାର ମରିଗଲା ପରେ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେଉଛନ୍ତି । ଆଜି ୧୬ ଜଣଙ୍କ ଜୀବନ ଯାଇଛି । କାଲି ବିନା ରୋଜଗାରରେ, ଅନାହାରରେ ହୁଏତ ଆହୁରି ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିବ । ତେଣୁ, ବଞ୍ଚିଥିଲାବେଳେ ନ ଶୁଣୁଥିବା ପ୍ରଶାସନ ହେଉ କି ସରକାର କିମ୍ୱା ସରକାରରେ ବାନ୍ଧି ହୋଇ ରହିଥିବା ପ୍ରତିଟି ସଦସ୍ୟ, ମରିଗଲା ପରେ ସେମାନଙ୍କ ପାଇଁ ଟ୍ୱିଟରରେ ଶୋକବାର୍ତ୍ତା ଦେବାରେ ଲାଭ କ'ଣ ?