NCP MLA Jitendra Awhad: ନଭେମ୍ବର ୧୧ ତାରିଖ ଶୁକ୍ରବାର ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ। ଏକ ଗଣ୍ଡଗୋଳ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ନିକଟରେ ଠାଣେସ୍ଥିତ ଏକ ମଲ ପରିସରରେ ଅବସ୍ଥିତ ପ୍ରେକ୍ଷାଳୟରେ 'ହର ହର ମହାଦେବ' ନାମକ ଏକ ମରାଠୀ ଚଳଚ୍ଚିତ୍ର ସ୍କ୍ରିନିଂ ବନ୍ଦ କରି ଦେଇଥିଲେ। ଏହି ଘଟଣାରେ ହୋଇଥିବା ଅଭିଯୋଗ ଅନୁସାରେ ବିଧାୟକଙ୍କ ତାଙ୍କ ସମର୍ଥକଙ୍କ ସହ ମିଶି ପ୍ରେକ୍ଷାଳୟରେ ଗଣ୍ଡଗୋଳ କରିବା ସହ ମାରପିଟ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଗଣ୍ଡଗୋଳ ଏବଂ ମାରପିଟ ଘଟଣାରେ ଗିରଫ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡ। ଏନେଇ ସେ କହିଛନ୍ତି ଯେ ମୁଁ ଏହି ମାମଲାରେ ଜାମିନ ମାଗିବି ନାହିଁ। ଟ୍ୱିଟ କରି ବିଧାୟକ କହିଛନ୍ତି ଶୁକ୍ରବାର ଦିନ ଗୋଟାଏ ସମୟରେ ମୋତେ   
ବର୍ତ୍ତକନଗର ଥାନାର ବରିଷ୍ଠ ପୋଲିସ ନିରୀକ୍ଷକଙ୍କ ପାଖରୁ ଏକ ଫୋନ କଲ ଆସିଥିଲା। ଯେଉଁଥିରେ ମୋତେ କୁହାଯାଇଥିଲା ଯେ ମୋତେ ନୋଟିସ ଦେବା ପାଇଁ ଜଣେ ବ୍ୟକ୍ତି ଆସିବେ କିମ୍ବା ମୋତେ ଥାନାରେ ଯାଇ ହାଜର ହେବାକୁ ପଡ଼ିବ। ମୁଁ ମୁମ୍ବାଇ ଯାଉଥିଲି। ହେଲେ ମୁଁ  କହିଲି ଯେ ମୁଁ ଥାନାକୁ ଯିବି ଏବଂ ମୁମ୍ବାଇ ଯିବି। ଯେତେବେଳେ ମୁଁ ଥାନାକୁ ଯାଇଥିଲି ସେତେବେଳେ ମୋ ସହ କଥାବାର୍ତ୍ତା କରାଯାଇଥିଲା। ସେହି ସମୟରେ ଡିସିପି ରାଠୋଡ ଥାନାରେ ପହଞ୍ଚିଥିଲେ। ତାଙ୍କ ଆଖି ଏବଂ ମୁହଁ ଅଶାନ୍ତତା ଦେଖାଉଥିଲା। ସୋ ନିରାଶ ଦେଖାଯାଉଥିଲା। ସେ ସମ୍ମାନର ସହ କହିଥିଲେ ଯେ ମୁଁ କିଛି କରିପାରିବି ନାହିଁ। ଉପରୁ ଆଦେଶ ଆସିଛି,  ଆପଣ ଗିରଫ ହେବା ଉଚିତ୍। 


ଏନସିପି ବିଧାୟକ କହିଛନ୍ତି ଯେ, "ଏହା ପୋଲିସ ବଳର ଅପବ୍ୟବହାର। ବର୍ତ୍ତମାନ ମୁଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛି। ଫାଶୀ ମଧ୍ୟ ଲାଗିଯାଉ। ହେଲେ ମୁଁ ଯାହା କରି ନାହିଁ ସେଥିପାଇଁ ମୁଁ ନିଜକୁ ଦାୟୀ କରିବି ନାହିଁ। " ଗିରଫଦାରୀ ପରେ ଖୁବ ଶୀଘ୍ର ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କୁ ଅଦାଲତରେ ହାଜର କରାଯିବ।   


Also Read: Maharashtra Politics: ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡଙ୍କ ବିରୋଧରେ ମାମଲା ରୁଜୁ କଲା ମହାରାଷ୍ଟ୍ର ପୋଲିସ, ଜାଣନ୍ତୁ କାରଣ...


ଗତ ସୋମବାର ଠାଣେସ୍ଥିତ ଏକ ମଲ ପରିସରରେ ଅବସ୍ଥିତ ପ୍ରେକ୍ଷାଳୟରେ 'ହର ହର ମହାଦେବ' ନାମକ ଏକ ମରାଠୀ ଚଳଚ୍ଚିତ୍ର ସ୍କ୍ରିନିଂ ବନ୍ଦ କରି ଦିଆଯାଇଥିଲା। ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ୱାଡ ଏବଂ ତାଙ୍କ ସମର୍ଥକ ଏହି ଫିଲ୍ମ ସ୍କ୍ରିନିଂ ବନ୍ଦ କରିବାକୁ ପ୍ରେକ୍ଷାଳୟରେ ପହଞ୍ଚିଥିଲେ। ଇତିହାସ ଭୁଲ ଢଙ୍ଗରେ ଉପସ୍ଥାପନ କରାଯାଇଥିବାର ଅଭିଯୋଗ କରି  'ହର ହର ମହାଦେବ' ନାମକ ଏକ ମରାଠୀ ଚଳଚ୍ଚିତ୍ର ସ୍କ୍ରିନିଂ ବନ୍ଦ କରି ଦେଇଥିଲେ। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ  ଯେତେବେଳେ ଦର୍ଶକ ସେମାନଙ୍କ ଟଙ୍କା ଫେରସ୍ତ ମାଗିବା ସହ ଚଳଚ୍ଚିତ୍ର ପ୍ରଦର୍ଶନକୁ ବାଧା ପହଞ୍ଚାଇବା ସମ୍ପର୍କରେ ମନ୍ତବ୍ୟ ଦେଲେ ସେତେବେଳେ ଏନସିପି ବିଧାୟକଙ୍କ ସମର୍ଥକ ସେମାନଙ୍କ ମଧ୍ୟରୁ କେତେକଙ୍କ ସହ ମାରପିଟ କରିଥିଲେ।


ଜଣେ ଦର୍ଶକଙ୍କ ଅଭିଯୋଗ ଅନୁଯାୟୀ ଏନସିପି ବିଧାୟକଙ୍କ ବିରୋଧରେ ବେଆଇନ ଭାବେ ଏକାଠି ହେବା ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ବିଭିନ୍ନ ବିଭାଗ ବ୍ୟତୀତ ଧାରା ୩୨୩ (ସ୍ୱେଚ୍ଛାକୃତ ଭାବେ ଆଘାତ ପାଇଁ ଦଣ୍ଡ) ଏବଂ ୫୦୪ (ଶାନ୍ତିରେ ବ୍ୟାଘାତ ସୃଷ୍ଟି କରିବା ଉଦ୍ଦେଶ୍ୟରେ, ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା) ଏବଂ ମହାରାଷ୍ଟ୍ର ପୋଲିସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି।


ଏନସିପି ବିଧାୟକଙ୍କ ଗିରଫଦାରୀ ପୂର୍ବରୁ ଏହି ଘଟଣାରେ ପ୍ରତିକ୍ରିୟା ରଖିଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ। ଗତ ମଙ୍ଗଳବାର ଗୃହମନ୍ତ୍ରୀ କହିଥିଲେ ଯେ ଐତିହାସିକ ମରାଠୀ ଚଳଚ୍ଚିତ୍ର 'ହର ହର ମହାଦେବ' ଦେଖିବାକୁ ଯାଇଥିବା ଦର୍ଶକଙ୍କ ସହ ହୋଇଥିବା ମାରପିଟକୁ କେବେ ସହ୍ୟ କରାଯିବ ନାହିଁ। ଏହି ଘଟଣାରେ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଣତାନ୍ତ୍ରିକ ଢଙ୍ଗରେ ଲୋକଙ୍କୁ ସେମାନଙ୍କର ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଛି।