ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା। ଫଳରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପାଣି ଭରିଯାଇଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ହରିଆଣାର ଗୁରୁଗ୍ରାମ ଅଞ୍ଚଳରେ ପ୍ରବଳ ବର୍ଷାରେ ଏକ ପୋଖରୀରେ ୬ରୁ ଅଧିକ ଶିଶୁ ବୁଡ଼ି ଯାଇଥିବା ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରୁ ଜଣକର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ପିଲାମାନଙ୍କର ମୃତଦେହକୁ ଖୋଜା ଚାଲିଥିବା ଖବର ରହିଛି। 


COMMERCIAL BREAK
SCROLL TO CONTINUE READING

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଦିଲ୍ଲୀ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଦମକଳ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। ସମସ୍ତ ଶିଶୁ ନିକଟସ୍ଥ କଲୋନୀ ଶଙ୍କର ବିହାରର ବାସିନ୍ଦା ବୋଲି କୁହାଯାଉଛି। ପୋଖରୀରେ ଗାଧୋଇବାକୁ ଯାଇଥିବା ପିଲାମାନଙ୍କର ପୋଷାକ ବାହାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।


ଡିସିପି ପଶ୍ଚିମ ଦୀପକ ସାହାରନ ଗଣମାଧ୍ୟମକୁ କହିଛନ୍ତି ଯେ ଲଗାତାର ବର୍ଷା ହେତୁ ଗାଁର ଥିବା ପୋଖରୀରେ ପାଣି ଭରି ରହିଛି। ଆମର ଏଠାରେ ୬ଜଣ ଶିଶୁଙ୍କ ପୋଷାକ ହସ୍ତଗତ ହୋଇଛି। ଜଣଙ୍କର ମୃତଦେହ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି। ଉଦ୍ଧାରକାରୀ ଦଳ ପାଣିରେ ଥିବା ଅନ୍ୟ ପିଲାମାନଙ୍କୁ ଖୋଜୁଛନ୍ତି।