ଲକ୍ଷ୍ନୌ: ରାଜ୍ୟରେ ଅବସ୍ଥିତି ମଦ୍ରାସା ଠାରେ ଏଣିକି ଆତଙ୍କବାଦ କିମ୍ବା ଆତଙ୍କବାଦୀ ନୁହେଁ ବରଂ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ପ୍ରଦାନ କରାଯିବ ରାଷ୍ଟ୍ରବାଦ ଶିକ୍ଷା। ଏ ସମ୍ପର୍କରେ ଜଣାଇଛନ୍ତି ଉତ୍ତରପ୍ରଦେଶ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଧର୍ମପାଲ ସିଂହ।  ଏନେଇ ସେ କହିଛନ୍ତି  ମଦ୍ରାସା ଭଳି ଧାର୍ମିକ ଶିକ୍ଷାନୁଷ୍ଠାନକୁ ହାଇ-ଟେକ୍ କରାଯିବ। ମାଫିଆଙ୍କ ଦଖଲରେ ରହିଥିବା ୱାକଫ ବୋର୍ଡ ଜମିକୁ ମୁକ୍ତ କରାଯିବ। କୋଟି କୋଟି ଟଙ୍କା ମୂଲ୍ୟର ୱାକଫ ବୋର୍ଡ ଜମି ମାଫିଆଙ୍କ ଦଖଲରେ ରହିଛି। ବର୍ତ୍ତମାନ ସେଠାରେ ଏକ ସର୍ଭେ କରାଯିବା ପରେ ଜବର ଦଖଲ ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାଫିଆ କବଳରୁ ମୁକ୍ତ ହୋଇଥିବା ଜମି ସଂଖ୍ୟାଲଘୁ କଲ୍ୟାଣ ପାଇଁ ବ୍ୟବହୃତ ହେବ।  


COMMERCIAL BREAK
SCROLL TO CONTINUE READING

ଗତ ମାସରେ ଉତ୍ତର ପ୍ରଦେଶ ମଦ୍ରାସା ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୋର୍ଡ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ରାଜ୍ୟର ଅନୁଦାନପ୍ରାପ୍ତ ଏବଂ ଅଣ ଅନୁଦାନପ୍ରାପ୍ତ ମଦ୍ରାସାର ନୂତନ ଅଧିବେଶନରେ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରାଯାଇଛି। 


ଉତ୍ତର ପ୍ରଦେଶ ମଦ୍ରାସା ଶିକ୍ଷା ପରିଷଦ (UP Madrasa Education Council) ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୋର୍ଡ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ରାଜ୍ୟର ପ୍ରତ୍ୟେକ ମଦ୍ରାସାରେ ପାଠ ପଢା ଆରମ୍ଭ ହେବା ପୂର୍ବରୁ ଶିକ୍ଷକଙ୍କ ସହ ବିଦ୍ୟାର୍ଥୀଙ୍କୁ ଅନ୍ୟାନ୍ୟ ପ୍ରାର୍ଥନା ସହିତ ଜାତୀୟ ସଙ୍ଗୀତ ଗାନ କରିବାକୁ ହେବ। ଏହି ନିଷ୍ପତ୍ତି ରାଜ୍ୟର ଅନୁଦାନପ୍ରାପ୍ତ ଏବଂ ଅଣ ଅନୁଦାନପ୍ରାପ୍ତ ମଦ୍ରାସା ପାଇଁ ଲାଗୁ ହେବ। ଏହା ବ୍ୟତୀତ ମଂଶୀ, ମୌଲବୀ, ଆଲିମ୍, କାମିଲ ଏବଂ ଫାଜିଲ ପରୀକ୍ଷା ସମ୍ପର୍କରେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।


Also Read: Uttar Pradesh: ଏଣିକି ମଦ୍ରାସାରେ ରାଷ୍ଟ୍ରଗାନ ବାଧ୍ୟତାମୂଳକ


ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ମଦ୍ରାସାରେ ପରୀକ୍ଷା ମେ ମାସ ୧୪ ତାରିଖରୁ ଆରମ୍ଭ ହୋଇ ୨୭ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷାରେ କପି ଭଳି ଘଟଣାକୁ ରୋକିବା ପାଇଁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ।  


ଏନେଇ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ମଦ୍ରାସା ବୋର୍ଡ ଅଧ୍ୟକ୍ଷ ଇଫତିଖର ଅହମ୍ମଦ ଜାଭେଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହିନ୍ଦୀ ବ୍ୟତୀତ ମାଡ୍ରାସା ବୋର୍ଡ ପରୀକ୍ଷାରେ ୬ ବିଷୟରେ ପରୀକ୍ଷା କରାଯିବ। ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟକ୍ରମ ଭଳି ମଦ୍ରାସା ଦୀନୀୟାତ ଅର୍ଥାତ ଧର୍ମ ସମ୍ବନ୍ଧୀୟ ଶିକ୍ଷା ବ୍ୟତୀତ ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ହେବ। ସେହିଭଳି ମାଧ୍ୟମିକ ଶ୍ରେଣୀ ଅର୍ଥାତ ମୁଂଶୀ, ମୌଲବୀ ଶ୍ରେଣୀ ପରୀକ୍ଷାରେ ଆରବୀ ଏବଂ ପାର୍ସି ଭାଷାର ସାହିତ୍ୟ ଧର୍ମ ସମ୍ବନ୍ଧୀୟ ଶିକ୍ଷା ଲାଗି ଏକ ସ୍ୱତନ୍ତ୍ର ବିଷୟ ରହିବ। ଅନ୍ୟପଟେ ହିନ୍ଦୀ, ଇଂରାଜୀ, ଗଣିତ, ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ଭଳି ବିଷୟ ପାଇଁ ପୃଥକ ପ୍ରଶ୍ନପତ୍ର ରହିବ। 


ଏହି ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ  ମଦ୍ରାସା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବାରୁ ଯେଉଁଠାରେ ଶିକ୍ଷକ କମ୍ ମିଳୁଛନ୍ତି ସେଠାରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଏକ ପ୍ରସ୍ତାବ ସରକାରଙ୍କ ନିକଟକୁ ପଠାଯିବ। ବୈଠକରେ ଏକ ନୂତନ ଆଦେଶ ମଧ୍ୟ ଜାରି କରାଯାଇଛି। ମଦ୍ରାସା ଶିକ୍ଷକଙ୍କ ପିଲାଙ୍କ ଇଂରାଜୀ ଶିକ୍ଷା ବାବଦରେ ସୂଚନା ମିଳିବ ଏବଂ ଏହା ଉପରେ ଏକ ସର୍ଭେ କରିବାକୁ ନିଷ୍ପତ୍ତି ନିଆଯାଇଛି।


ମଦ୍ରାସା ଶିକ୍ଷା ପରିଷଦ ବୈଠକରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା , ମଦ୍ରାସାରେ ପରିବାରବାଦକୁ ରୋକିବା ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ପରେ, କେବଳ ସେହି ଲୋକେ ଯେଉଁମାନେ ଏହି ପରୀକ୍ଷା ପାସ୍ କରିବେ ସେମାନେ ମଦ୍ରାସା ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ। ଏହା ବ୍ୟତୀତ ମଦ୍ରାସା ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପଞ୍ଜିକରଣ ସହିତ ସେଠାରେ ସେମାନଙ୍କ ଲାଗି ବାୟୋମେଟ୍ରିକ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।


ପୂର୍ବରୁ ମଦ୍ରାସା ବାବଦରେ ଅତୀତରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏହି ନିଷ୍ପତ୍ତି କେବଳ କାଗଜପତ୍ର ଏବଂ ଫାଇଲ ମଧ୍ୟରେ ସୀମିତ ରହିଯାଇଥାଏ। ଯେଉଁଥିପାଇଁ ମଦ୍ରାସାର ଦୁଃଖଦ ଅବସ୍ଥା କାହାଠାରୁ ଲୁଚି ନଥାଏ। ଯାହା ଦିନକୁ ଦିନ ହ୍ରାସ ପାଉଥିବା ମଦ୍ରାସା ଛାତ୍ରଛାତ୍ରୀ ସଂଖ୍ୟାରୁ ଆକଳନ କରିହେବ।