Chinese Yuan News: କୂଟନୈତିକ କ୍ଷେତ୍ରରେ ଯେତେ ମହତ୍ତ୍ୱର କଥା କୁହାଯାଏ, ସେତେ ସ୍ଥାନ ପ୍ରସଙ୍ଗର ମଧ୍ୟ ରହିଥାଏ।ନିକଟରେ ଚୀନ୍ ଗସ୍ତରୁ ଫେରିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ୟୁରୋପୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଇୱାନ ସଙ୍କଟର ଗଭୀରତା ଆମ ସ୍ୱାର୍ଥରେ ଅଛି ନା ନାହିଁ ୟୁରୋପ ନିଜକୁ ପଚାରିବାକୁ ହେବ? ନା। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଆମକୁ ଏହା ସ୍ଥିର କରିବାକୁ ହେବ ଯେ ୟୁରୋପ ଏହି ପ୍ରସଙ୍ଗରେ ପଛରେ ପଡ଼ିଯିବା ଏବଂ ନାଁ ଆମେରିକୀୟ ଏଜେଣ୍ଡା ଏବଂ ଚୀନ୍‌ର ଅନାବଶ୍ୟକ ପ୍ରତିକ୍ରିୟାକୁ ଅନୁସରଣ କରିବ।


COMMERCIAL BREAK
SCROLL TO CONTINUE READING

ଚୀନ-ତାଇୱାନ ପ୍ରସଙ୍ଗରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କିଛି ଭୁଲ୍ କହି ନାହାଁନ୍ତି। ଭାରତ ମଧ୍ୟ ସର୍ବଦା ଗୋଷ୍ଠୀ ନିରପେକ୍ଷତା ନୀତି ଅନୁସରଣ କରିଆସୁଛି। ନିକଟ ଅତୀତରେ ଚୀନ୍, ଋଷିଆ ଏବଂ ବର୍ତ୍ତମାନ ଗଲ୍ଫ ଦେଶ ମଧ୍ୟ ବହୁମୁଖୀ ବିଶ୍ୱ ବିଷୟରେ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ୟୁରୋପ ମହାଦେଶର ଏକ ସ୍ୱୟଂଶାସିତ ବୈଦେଶିକ ନୀତି ବିଷୟରେ ଫ୍ରାନ୍ସ ବହୁ ଦିନରୁ କଥା ହୋଇଆସୁଛି। ଗତ ଶତାବ୍ଦୀର ସତୁରି ଦଶକରେ ଶୀତଳ ଯୁଦ୍ଧ ସମୟରେ ଚାର୍ଲ୍ସ ଡିଗଲ୍ ଆମେରିକୀୟ ଶିବିରକୁ ଖାତିର ନକରି ମାଓ ସେ ତୁଙ୍ଗଙ୍କ ଚୀନ୍‌କୁ ସ୍ୱୀକୃତି ଦେଇଥିଲେ।


ହେଲେ ବର୍ତ୍ତମାନ ଚୀନୀ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଚୀନ୍ ମାଓ ସେ ତୁଙ୍ଗଙ୍କ ଚୀନ୍ ନୁହେଁ। ଏହା ଦୁନିଆର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ବିଶ୍ୱର ସବୁଠାରୁ ବଡ ସେନା ଏବେ ଚୀନ ପାଖରେ ରହିଛି। ବିନାଶକାରୀ ଅସ୍ତ୍ରଶସ୍ତ୍ର ହାତେଇ ସମଗ୍ର ବିଶ୍ୱରେ ନିଜର ବିସ୍ତାରବାଦୀ ନୀତି ପ୍ରସାର କରିବା କାର୍ଯ୍ୟରେ ନିୟୋଜିତ ରହିଛି ଚୀନ। ଭାରତ ପାଖରୁ ଆକସାଇ ଚୀନ୍ ଛଡ଼ାଇ ନେଇଛି ଏବଂ ପାକିସ୍ତାନ ନିୟନ୍ତ୍ରିତ କାରାକୋରାମ ଅଞ୍ଚଳ ଦଖଲ କରିନେବାକୁ ଯୋଜନା କରୁଛି ଚୀନ। ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତ ଭାବରେ ବର୍ଣ୍ଣନା କରି ଏହା ଉପରେ ନିଜର ଅଧିକାର ଜାହିର କରୁଛି। ଲଦାଖ ଠାରୁ ସିକ୍କିମ୍ ପର୍ଯ୍ୟନ୍ତ ଏହା ସୀମାର ଅତିକ୍ରମଣ କରିବା ଜାରି ରଖିଛି। ସୈନ୍ୟବାହିନୀ ଅନୁପସ୍ଥିତ ରହିଥିବା ଅଞ୍ଚଳ ଦଖଲ କରିବା ଯୋଜନାରେ ରହିଛି ଚୀନ। ଏପରିକି ଆଣ୍ଡାମାନ ଦ୍ୱୀପପୁଞ୍ଜର ଉତ୍ତର ଭାଗରେ ମିଆଁମାରର କୋକୋ ଦ୍ୱୀପରେ ଏକ ସୈନ୍ୟ ଅନୁସନ୍ଧାନ ଆଧାର ସ୍ଥାପନ କରିବାର ଖବର ମଧ୍ୟ ରହିଛି। ମିଳିତ ଜାତିସଂଘ ଟ୍ରିବ୍ୟୁନାଲ ନିଷ୍ପତ୍ତିକୁ ଉଲଂଘନ କରି ଫିଲିପାଇନ୍ସ ଏବଂ ଭିଏତନାମ ପାଖରୁ ଦକ୍ଷିଣ ଚୀନ୍ ସାଗରରେ ଅବସ୍ଥିତ ସ୍ପ୍ରାଟଲି ଦ୍ୱୀପପୁଞ୍ଜକୁ ଛଡ଼ାଇ ନେଇ ସେଠାରେ ସାମରିକ ଭିତ୍ତିଭୂମି ନିର୍ମାଣ କରିଥିଲା ଚୀନ। ବିଗତ ୭୫ ବର୍ଷ ଧରି ତାଇୱାନର ଆନ୍ତର୍ଜାତୀୟ ମାନ୍ୟତାକୁ ଅଟକାଇ ରଖିଛି ଚୀନ। ଏପରିକି ତାଇୱାନକୁ ଏହାର ଏକ ପ୍ରଦେଶ ଭାବରେ ଦର୍ଶାଇ ଅକ୍ତିଆର କରିନେବାକୁ ଲାଗିପଡ଼ିଛି ଚୀନ।


ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଏବଂ ଆମେରିକା କଂଗ୍ରେସ ବାଚସ୍ପତି କେଭିନ ମ୍ୟାକକାରିଙ୍କ ବୈଠକକୁ ନେଇ ତାତି ଉଠିଥିବା ଚୀନ ନିକଟରେ ସମୁଦ୍ର ମାର୍ଗରେ ଏହାର ଶକ୍ତି ପ୍ରଦର୍ଶନ କରିଥିଲା। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଫ୍ରାନ୍ସ ରାଷ୍ଟ୍ରପତି କହିଥିଲେ ଯେ, ଏଭଳି ସଂକଟ ସହିତ ଯୋଡ଼ି ହେବରା ଅର୍ଥ ହେଉଛି ୟୁରୋପ ଏହାର ବେକରେ ଫାଶୀ ଦଉଡ଼ି ପକାଇବା ସହିତ ସମାନ। କାରଣ ଚୀନ-ତାଇୱାନ ସମସ୍ୟା ଆମର ନୁହେଁ। ହେଲେ ଫ୍ରାନ୍ନ ରାଷ୍ଟ୍ରପତିଙ୍କ ବୟାନକୁ ତାଙ୍କର ଅନେକ ସହଯୋଗୀ ପସନ୍ଦ କରିନଥିଲେ। ପୋଲାଣ୍ଡର ପ୍ରଧାନମନ୍ତ୍ରୀ ମୋରାଭିଏଟସ୍କି କହିଛନ୍ତି ଯେ, କିଛି ପାଶ୍ଚାତ୍ୟ ନେତା ସମସ୍ତେ ଅନ୍ୟମାନଙ୍କ ସହିତ ସହଯୋଗର ସ୍ୱପ୍ନ ଦେଖୁଛନ୍ତି। ସେ ଋଷିଆ ହେଉ କିମ୍ବା ସୁଦୂର ପୂର୍ବର ଶକ୍ତି। ହେଲେ ବାସ୍ତବତା ହେଉଛି ୟୁରୋପୀୟ ନିରାପତ୍ତାର ପ୍ରକୃତ ମୂଳଦୁଆ ହେଉଛି ଆମେରିକା ସହିତ ଏହାର ମିତ୍ରତା।


ଏହା ମଧ୍ୟ ଏକ ସତ୍ୟ ଯେ ୟୁରୋପୀୟ ନେତାମାନେ ସେମାନଙ୍କର ମତ ବଦଳାଇବା ପାଇଁ ଏକଛତ୍ରବାଦୀ ଶାସନର ଦାବିକୁ ଗ୍ରହଣ କରିବାର ଐତିହାସିକ ଭୁଲ କରିସାରିଛନ୍ତି। ୧୯୩୮ ମସିହାରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ନେଭିଲ ଚାମ୍ବରଲିନ୍, ଆଡଲଫ ହିଟଲରଙ୍କୁ ସେତେବେଳର ଚେକୋସ୍ଲୋଭାକିଆ ଦେଶର ଜର୍ମାନ ଜନବହୁଳ ଅଞ୍ଚଳ ଦେଇ ତାଙ୍କର ଉଦ୍ଦେଶ୍ୟ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ଅନେକ ଜର୍ଜିଆ ଏବଂ ୟୁକ୍ରେନ ପ୍ରଦେଶକୁ ଋଷିଆ ଦଖଲ କରିବା ପରେ ୟୁରୋପୀୟ ଦେଶ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ଉଦ୍ଦେଶ୍ୟକୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ। ଏନେଇ ଗତ ୨୦୦୮ ଏବଂ ୨୦୧୫ ବର୍ଷରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ହେଲେ ବର୍ତ୍ତମାନ ତାଙ୍କର ରଣନୈତିକ ସ୍ୱାଧୀନତା ମାଧ୍ୟମରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ତାଙ୍କର ଚୀନୀ ପ୍ରତିପକ୍ଷ ଜିନପିଙ୍ଗଙ୍କୁ ସଙ୍କେତ ଦେବାକୁ ଚାହୁଁଛନ୍ତି ଯେ ସେ ତାଇୱାନ ସଙ୍କଟକୁ ୟୁରୋପୀୟ ସଙ୍କଟ ବୋଲି ଭାବନ୍ତି ନାହିଁ ଏବଂ ଏହି ପ୍ରସଙ୍ଗରେ ସେ ଆମେରିକା ସହ ନାହାଁନ୍ତି। ସେ ଭାବୁଛନ୍ତି ଯେ ବୋଧହୁଏ ଏହା ଉପରେ ବିଶ୍ୱାସ କରି ଜିନପିଙ୍ଗ ତାଙ୍କର ବନ୍ଦୁ ପୁତିନଙ୍କ ଉପରେ ଚାପ ପ୍ରୟୋଗ ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିଦେବେ ଏବଂ ତାଇୱାନକୁ ଘେରିବା ବନ୍ଦ କରିବେ। ହେଲେ ଐତିହାସର ଅଭିଜ୍ଞତା ଦର୍ଶାଉଛି ଯେ ମିଳିତ ସ୍ୱରରେ କଥା ନକଲେ ବିସ୍ତାରବାଦୀ ଉଦ୍ଦେଶ୍ୟକୁ ବନ୍ଦ କରାଯାଇ ପାରିବ ନାହିଁ।


ଅନ୍ୟପକ୍ଷରେ ରାଷ୍ଟ୍ରପତି ମାକ୍ରୋନ୍‌ ରଣନୈତିକ ସ୍ୱାଧୀନତାର ବିବୃତ୍ତି ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। ହେଲେ ପ୍ରଶ୍ନ ଉଠୁଛି ଯେ, ତାଇୱାନ ଭଳି ଦେଶର ସାର୍ବଭୌମତ୍ୱ ସହ ଜଡ଼ିତ ସଙ୍କଟ କିପରି ଫ୍ରାନ୍ସ ରାଷ୍ଟ୍ରପତି ଏବଂ ୟୁରୋପ ମହାଦେଶକୁ ଏକ ଦୂର ଯୁଦ୍ଧ ଭଳି ଦେଖାଯାଉଛି, ଯେଉଁଥିରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷ ରଖିଛି। ହେଲେ ଯଦି ୟୁକ୍ରେନ ଅସ୍ତିତ୍ୱର ସଙ୍କଟ କିମ୍ବା ୟୁରୋପ ମହାଦେଶରେ ଅନ୍ୟ କୌଣସି ଦେଶର ସଙ୍କଟ ଆମେରିକା ପାଇଁ ଦୂର ଯୁଦ୍ଧ ପରି ଦେଖାଯାଏ ତାହେଲେ ପରିସ୍ଥିତି କ’ଣ ହେବ?


ମିଳିତ ଜାତିସଂଘରେ ଭିଟୋ କ୍ଷମତା ରଖିଥିବା ଋଷିଆ ଭଳି ଦେଶକୁ ରୋକିବା ପାଇଁ ଆର୍ଥିକ ପ୍ରତିବନ୍ଧକ ଆକାରରେ ବିଶ୍ୱ ପାଖରେ କେବଳ ଗୋଟିଏ ଅସ୍ତ୍ର ବାକି ରହିଥିଲା। ହେଲେ ଋଷିଆ ବିରୋଧରେ ଏହି ଅସ୍ତ୍ର ସେତେ ପ୍ରଭାବଶାଳୀ ହୋଇ ପାରିନଥିଲା। କାରଣ ଋଷିଆ ପାଖରେ ଶକ୍ତି ଏବଂ ଶସ୍ୟ ଭାବରେ ଏପରି କିଛି ଜିନିଷ ରହିଥିଲା ଯାହା ବିନା ବିଶ୍ୱ ଚାଲିପାରିବ ନାହିଁ। ଏହି ସୁଯୋଗର ଫଇଦା ଉଠାଇ ଚୀନ୍ ଋଷିଆ ସହିତ ଏହାର ବନ୍ଦୁତାକୁ ଆହୁରି ମଜବୁତ କରିଥିଲା। ଯାହା ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକ ନେତୃତ୍ୱାଧୀନ ଗୋଷ୍ଠୀକୁ ଜବାବ ଦିଆଯାଇ ପାରିବ। ତୈଳ ଉତ୍ପାଦନକାରୀ ଉପସାଗରୀୟ ଦେଶଙ୍କୁ ମଧ୍ୟ ଏହି ଶିବିରରେ ଅନ୍ତର୍ଭୂକ୍ତ କରାଯାଇଛି। 


ଚୀନର ଉଦ୍ଦେଶ୍ୟ ହେଉଛି ବିଶ୍ୱ ବାଣିଜ୍ୟରେ ଆମେରିକୀୟ ଡଲାରର ବିକଳ୍ପ ଭାବରେ ଏହାର ମୁଦ୍ରା ୟୁଆନକୁ ଛିଡା କରିବା। ୟୁଆନ ସହାୟତାରେ ବାଣିଜ୍ୟ କାରବାର କରିବାକୁ ଚୀନ, ଋଷିଆ, ଗଲ୍ଫ ଦେଶ ଏବଂ ବ୍ରାଜିଲକୁ  ପ୍ରସ୍ତାବ ଦେଇଛି। ଆନ୍ତର୍ଜାତୀୟ ବିଶ୍ୱସନୀୟତା ମୁଦ୍ରା ମଧ୍ୟରୁ ୟୁଆନ୍ ମଧ୍ୟ ଅନ୍ୟତମ, ଯେଉଁଥିରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ରିଜର୍ଭ ସମ୍ପତ୍ତି ରଖାଯାଏ। ଚୀନ ୟୁଆନ୍ ବାଣିଜ୍ୟର ମୁଦ୍ରା ହେବାରେ ପ୍ରକୃତ ଲାଭ ହେବ ଯେ ଏହା ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇବା ପ୍ରାୟ ଅସମ୍ଭବ ହେବ। ଅର୍ଥାତ୍ ଯଦି ପରମାଣୁ ଏବଂ ଭିଟୋ ଶକ୍ତି ହେତୁ ଚୀନ୍ ତାଇୱାନ ଉପରେ ଆକ୍ରମଣ କରିବାକୁ କିମ୍ବା ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରେ, ତାହେଲେ କୂଟନୈତିକତା କିମ୍ବା ସାମରିକ ଶକ୍ତି କିମ୍ବା ଅର୍ଥନୈତିକ ପ୍ରତିବନ୍ଧକ ଏହା ଉପରେ କାର୍ଯ୍ୟ କରିବ ନାହିଁ।


ସୌଭାଗ୍ୟବଶତ ଡଲାର ଏବଂ ୟୁରୋ ଭଳି ମୁଦ୍ରାର ବିଶ୍ୱସନୀୟତା ହାସଲ କରିବା  ଚୀନ ୟୁଆନକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ପଡ଼ିବ। ଆଜି ପର୍ଯ୍ୟନ୍ତ ଚୀନ୍ ଭଳି କଠୋର ପୁଞ୍ଜି ନିୟନ୍ତ୍ରଣ ସହିତ ଏକ ଅସ୍ପଷ୍ଟ, କ୍ଷମତାସୀନ ଅର୍ଥନୀତିର ମୁଦ୍ରା ଡଲାର ଏବଂ ୟୁରୋ ଭଳି ବିଶ୍ୱାସଯୋଗ୍ୟ ହୋଇପାରି ନାହିଁ। ଚୀନ ଭଳି ଦେଶରେ ବଡ ପୁଞ୍ଜିପତି ଏବଂ ସେମାନଙ୍କ ପୁଞ୍ଜି ରାତାରାତି ଅଦୃଶ୍ୟ ହେବା ସାଧାରଣ କଥା। ଯେଉଁ କାରଣରୁ ୟୁଆନ୍ ଡଲାରର ବିକଳ୍ପ ହେବା ସମ୍ଭବ ନୁହେଁ। ହେଲେ ଯଦି ଏହା ସମ୍ଭବ ହୁଏ ତାହେଲେ ଏହା ଭାରତର ସ୍ୱାର୍ଥରେ ହେବ ନାହିଁ।