ନିର୍ଭୟା ମାମଲା: ପୀଡିତା ଓ ଦୋଷୀଙ୍କ ମଧ୍ୟରେ ବଳି ପଡିଛନ୍ତି ମା`
ଜଣେ ନିଜ ଝିଅକୁ ହରାଇ କାନ୍ଦୁଛି, ତ ଆଉ ଜଣେ ନିଜ ପୁଅକୁ ହରାଇବ ବୋଲି କାନ୍ଦୁଛି...
ପ୍ରଜ୍ଞାପାରମିତା ପତ୍ରୀ, ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା କାଣ୍ଡ ମାମଲା । ସମଗ୍ର ଦେଶର ଆଇନ ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା । ମାନବିକତାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଛିଡ଼ା ହୋଇଥିଲା । ବିଳମ୍ବରେ ହେଉ ପଛେ ପୀଡ଼ିତା ନ୍ୟାୟ ପାଇଲେ । ମାତ୍ର ପୀଡ଼ିତା ଏବଂ ଦୋଷୀଙ୍କୁ ଜନ୍ମ ଦେଇଥିବା ସେହି ମାଆମାନଙ୍କୁ ମିଳିଲା କଣ । ଏହି ପ୍ରଶ୍ନ ସେତେବେଳେ ଛିଡ଼ା ହେଲା ଯେତେବେଳେ ଦୋଷୀ ମୁକେଶର ମା ପୀଡ଼ିତାଙ୍କ ମାଙ୍କ ଆଗରେ ପୁଅର ଜୀବନ ଭିକ୍ଷା କରିଥିଲେ ।
ଲମ୍ୱା ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ୨୦୧୨ ଡିସେମ୍ୱର ୧୬ତାରିଖ ରାତିରେ ହୋଇଥିବା ଅନ୍ୟାୟ ଉପରେ ଆସିଛି ରାୟ । ରାୟ ଶୁଣାଇଛନ୍ତି ପଟିଆଲା କୋର୍ଟ । ୨୨ ଜାନୁଆରୀ ସକାଳ ୭ଟାରେ ଏକା ସହ ୪ଜଣଙ୍କୁ ଫାଶୀ ଦିଆଯିବ । କହିବାକୁ ଗଲେ ସକାଳ ୮ଟା ବେଳକୁ ସବୁଦିନ ପାଇଁ ନିର୍ଭୟା ଦୋଷୀଙ୍କ ନିଶ୍ୱାସ ବନ୍ଦ ହୋଇଯାଇଥିବ । ହେଲେ ଏ ସବୁ ଭିତରେ ଯେତେବେଳେ ମଙ୍ଗଳବାର ଦିନ ନ୍ୟାୟ ମନ୍ଦିରରେ ପୀଡିତାର ମାଆ ଓ ଦୋଷୀର ମାଆ ସାମ୍ନାସାମ୍ନି ହୋଇଥିଲେ, ସେତେବେଳର ସମୟ ସମସ୍ତଙ୍କୁ କିଛିକ୍ଷଣ ପାଇଁ ଭାବିବାକୁ ବାଧ୍ୟ କରିଥିଲା ଯେ ଏହି ଦୁଇ ମାଆଙ୍କର ଭୁଲ କଣ ଥିଲା ? '
ମଙ୍ଗଳବାର ପଟିଆଲା କୋର୍ଟରେ ଦୋଷୀଙ୍କୁ ଡେଥ୍ ୱାରେଣ୍ଟ ଜାରି କରିବା ପାଇଁ ଯେତେବେଳେ କୋର୍ଟ ପରିସରକୁ ନିଆଯାଇଥିଲା ସେତେବେଳେ ସାମ୍ନାସାମ୍ନି ହୋଇଥିଲେ ପୀଡ଼ିତା ନିର୍ଭୟାଙ୍କ ମାଆ ଓ ଦୋଷୀ ମୁକେଶଙ୍କ ମାଆ । ଦୁହେଁ ଦୁହିଁଙ୍କୁ ଆଖିରେ ଆଖିଏ ଲୁହ ନେଇ ଅନାଇଥିଲେ । ଜଣେ ନିଜ କଲିଜାର ଟୁକୁଡାକୁ ହରାଇ ବାହୁନି ବାହୁନି କାନ୍ଦୁଥିଲା ତ ଆଉ ଜଣେ ନିଜ ପୁଅକୁ ସବୁଦିନ ପାଇଁ ହରେଇବା ଦୁଃଖରେ କୋହରେ ଛାତିକୁ ରୁନ୍ଧି ପକାଇଥିଲା । ମୁଁହରୁ ନା କଥା ବାହାରୁ ଥିଲା ନା ଆଖିରୁ ଲୁହ । ବିଚାରପତିଙ୍କ ଏଭଳି କଠୋର ନିଷ୍ପତ୍ତି କିଛି କ୍ଷଣ ପାଇଁ ହତବାକ କରାଇ ଦେଇଥିଲା ଦୋଷୀ ମୁକେଶର ମାଆକୁ ।
କୋର୍ଟ ଯେତେବେଳେ ମୃତ୍ୟୁର ତାରିଖ ଘୋଷଣା କଲେ ସେତେବେଳେ ମୁକେଶର ମାଆ ପ୍ରଶ୍ନ କରିଥିଲେ ଯେ ମୁଁ ଜଣେ ମାଆ ଆଉ ଯାହାକୁ ମୁଁ ନିଜ ଗର୍ଭରେ ୯ମାସ ଧରି ଜନ୍ମ ଦେଇଥିଲି ତାର ମୃତ୍ୟୁର ଖବର କିପରି ଶୁଣିବି ? ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ରାୟ ଦେଇଥିଲେ ମୋ ପୁଅ ଜେଲରେ ହେଲେ ବି ବଞ୍ଚିକି ତ ଥାଆନ୍ତା । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିର୍ଭୟାର ମାଆ ମଧ୍ୟ କାନ୍ଦି ପକାଇଥିଲେ ଆଉ କହିଥିଲେ ମୋ ଝିଅକୁ ଯେବେ କଲବଲ କରି ଜହ୍ଲାଦମାନେ ମାରି ଦେଇଥିଲେ ଆଉ ମୋ ଝିଅର ଦବିଯାଉଥିବା ନିଶ୍ୱାସ ପାଇଁ ଯେତେବେଳେ ମୁଁ ଛାତି ବାଡେଇ କାନ୍ଦୁଥିଲି ସେତେବେଳେ ବି ମୁଁ ଜଣେ ମାଆ ହିଁ ଥିଲି ।
କୋର୍ଟରେ ଏହିପରି ଦୁଇ ମାଆର ଦୁଃଖ ଦେଖି ସମସ୍ତେ କିଛି ସମୟ ପାଇଁ ନୀରବି ଯାଇଥିଲେ । ବାସ୍ତବିକ ରାୟ ଯାହା ସପକ୍ଷରେ ଗଲେ ବି ଉଭୟ ପଟର ମାଆ ହିଁ ନିଜର ପଣତକାନିରେ ଲୁହ ଝରାଇ ବଞ୍ଚିବା ଛଡ଼ା ଅନ୍ୟ ଗତି ନାହିଁ । ଅପରପକ୍ଷରେ ଦୋଷୀର ମାଆମାନେ ସାରା ଜୀବନ ଜଣେ ରେପିଷ୍ଚ ମାଆର ପରିଚୟ ନେଇ ବଞ୍ଚିବେ । ଆଉ ହୁଏତ ସେମାନେ ନିଜ ପୁଅକୁ ଜନ୍ମ ଦେବା ବେଳେ କେବେ ଭାବି ନ ଥିବେ ଯେ ସେମାନଙ୍କୁ ଏପରି ଏକ ଦିନ ଦେଖିବାକୁ ପଡିବ ବୋଲି ।