ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାର ପୁର୍ନବାର ଆସିଲା ଫାଶୀ ତାରିଖ । ଏନେଇ ଦିଲ୍ଲୀ ଅଦାଲତ ଡେଥ ୱାରେଣ୍ଟ ଜାରି କରିଛନ୍ତି । ଆସନ୍ତା ଫେବୃୟାରୀ ମାସ ୧ ତାରିଖ ସକାଳ ୬ଟାରେ ସମସ୍ତ ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ । 


COMMERCIAL BREAK
SCROLL TO CONTINUE READING

ତେବେ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ପଟିଆଲା ହାଉସ କୋର୍ଟ ଜାନୁୟାରୀ ୨୨ ତାରିଖ ସକାଳ ୭ଟାରେ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବ ବୋଲି ଡେଥ ୱାରେଣ୍ଟ ଜାରି କରିଥିଲେ । ତେବେ ଫାଶୀ ଦଣ୍ଡାଦେଶକୁ ଖାରଜ କରିବା ପାଇଁ ଅଭିଯୁକ୍ତ ମୁକେଶ ଏକ ମାମଲା ରୁଜୁ କରିଥିଲା । ମାତ୍ର ତାହାକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ବଞ୍ଚିବା ଆଶାରେ ରାଜକ୍ଷମା ଆବେଦନ କରିଥିବା ମୁକେଶଙ୍କୁ ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ନିରାଶ ହେବାକୁ ପଡ଼ିଲା । ଶୁକ୍ରବାର ରାଷ୍ଟ୍ରପତି ମୁକେଶ ଆବେଦନ କରିଥିବା ରାଜକ୍ଷମାକୁ ଖାରଜ କରିଦେଇଥିଲେ । ଏହାପରେ ପୁର୍ନବାର ଡେଥ ୱାରେଣ୍ଟ ଜାରି କରିଛି ଦିଲ୍ଲୀ ଅଦାଲତ । 


ବର୍ତ୍ତମାନ ୪ ଦୋଷୀଙ୍କ ସମସ୍ତ ପ୍ରକାର ଚେଷ୍ଟା ବିଫଳ ହୋଇଯାଇଛି । ଦୋଷୀମାନେ ବଞ୍ଚିବା ପାଇଁ ସବୁ ପ୍ରକାର ରାସ୍ତା ଆପଣେଇ ସାରିଥିବବେଳେ ବର୍ତ୍ତମାନ ଫାଶୀ ଖୁଣ୍ଟଠୁ ନରରାକ୍ଷସମାନଙ୍କୁ କେହି ବଞ୍ଚାଇ ପାରିବେ ନାହିଁ । 


ଅପରପକ୍ଷରେ ପାଶୀ ପାଇଁ ତିହାର ଜେଲ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଥିବାବେଳେ ଫାଶୀ ଦଉଡ଼ିଠାରୁ ଆରମ୍ଭ କରି ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ କରିଛନ୍ତି ଜେଲ କର୍ତ୍ତୃପକ୍ଷ । ସାରାଦେଶ ବର୍ତ୍ତମାନ ଦୋଷୀଙ୍କ ମୃତ୍ୟୁକୁ ଅପେକ୍ଷା କରିଥିବାବେଳେ ନିର୍ଭୟା ମାଆ ଓ ବାପା ଫାଶୀ ତାରିଖ ବଦଳୁଥିବାରୁ ନ୍ୟାୟିକ ବ୍ୟବସ୍ଥା ଉପରେ ଅତିଷ୍ଠ ହୋଇଛନ୍ତି । ତାରିଖ ପରେ ତାରିଖ ବଦଳୁଥିବାରୁ ନ୍ୟାୟିକ ବ୍ୟବସ୍ଥା ଦୋଷୀଙ୍କୁ ସାହାର୍ଯ୍ୟ କରୁଥିବା କହିଛନ୍ତି ନିର୍ଭୟା ମାଆ ।