ଆଶ୍ଚର୍ଯ୍ୟଜନକ ଖବର! ପ୍ରତିଦିନ ପ୍ରାୟ ୩୦୦ ଲୋକ ଛାଡ଼ି ଦେଉଛନ୍ତି ଦେଶର ନାଗରିକତା
କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାକୁ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ୬ ଲକ୍ଷରୁ ଅଧିକ ଲୋକ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦,୬୪୫ ବିଦେଶୀ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି ।
ନୂଆଦିଲ୍ଲୀ: ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ୬ ଲକ୍ଷରୁ ଅଧିକ ଲୋକ ଭାରତୀୟ ନାଗରିକତ୍ୱ (Citizenship) ଛାଡି ଦେଇଛନ୍ତି । ଅର୍ଥାତ୍ ପ୍ରତିଦିନ ପ୍ରାୟ ୩୦୦ ଲୋକ ଦେଶର ନାଗରିକତ୍ୱ ଛାଡୁଛନ୍ତି । କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ (Nityanand Rai) ଏହି ଆଶ୍ଚର୍ଯ୍ୟଜନକ ତଥ୍ୟକୁ ଲୋକସଭାକୁ ଦେଇଛନ୍ତି । ସେ ମଙ୍ଗଳବାର ଦିନ ଗୃହରେ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୬ ଲକ୍ଷରୁ ଅଧିକ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (Ministry of Foreign Affairs) ସହିତ ଉପଲବ୍ଧ ସୂଚନା ଅନୁଯାୟୀ ବର୍ତ୍ତମାନ ସମୁଦାୟ ୧,୩୩,୮୩,୭୧୮ ଭାରତୀୟ ନାଗରିକ ବିଦେଶରେ ରହୁଛନ୍ତି ।
ଲିଖିତ ପ୍ରଶ୍ନର ଉତ୍ତରରେ ଦେଇଛନ୍ତି ସୂଚନା
ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୧୭ ରେ ୧,୩୩,୦୪୯ ଲୋକ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି । ଏଥି ସହିତ, ୨୦୧୮ ମସିହାରେ ୧,୩୪,୫୬୧, ୨୦୧୯ ମସିହାରେ ୧,୪୪,୦୧୭, ୨୦୨୦ ମସିହାରେ ୮୫,୨୪୮ ଓ ୨୦୨୧ ମସିହା ଅର୍ଥାତ ଚଳିତ ବର୍ଷ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ୧,୧୧,୨୮୭ ଭାରତୀୟ ନିଜର ନାଗରିକତ୍ୱ ଛାଡିଛନ୍ତି । ଏହି ସମୟରେ ଟିଏମସି ସାଂସଦ ମଲା ରୟଙ୍କ ଦେଶରେ ଏନଆରସିର ସ୍ଥିତି ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ଜାତୀୟ ସ୍ତରରେ ଭାରତୀୟ ନାଗରିକଙ୍କ ଜାତୀୟ ରେଜିଷ୍ଟର (NRC) ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ନାହାଁନ୍ତି ।
ପାକିସ୍ତାନରୁ ଆସିଛି ସର୍ବାଧିକ ଆବେଦନ
ଗୃହମନ୍ତ୍ରୀ ଲୋକସଭାକୁ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦,୬୪୫ ଲୋକ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି । ସେଥିମଧ୍ୟରୁ ୪୧୭୭ ଜଣ ଲୋକକୁ ନାଗରିକତ୍ୱ ଦିଆଯାଇଛି । ନାଗରିକତ୍ୱ ପାଇଁ ଆବେଦନ କରିଥିବା ଲୋକଙ୍କ ମଧ୍ୟରେ ୨୨୭ ଜଣ ଆମେରିକାର, ୭୭୮୨ ଜଣ ପାକିସ୍ଥାନର, ୭୯୫ ଟି ଆଫଗାନିସ୍ତାନର ଏବଂ ୧୮୪ ଜଣ ବାଂଲାଦେଶର ଅଧିବାସୀ । ରାୟ କହିଛନ୍ତି ଯେ ୨୦୧୬ ମସିହାରେ ୧୧୦୬ ଜଣଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯାଇଥିଲା । ଏଥି ସହିତ, ୨୦୧୭ ରେ ୮୧୭, ୨୦୧୮ ରେ ୬୨୮, ୨୦୧୯ ରେ ୯୮୭ ଏବଂ ୨୦୨୦ ରେ ୬୩୯ କୁ ଦେଶର ନାଗରିକତ୍ୱ ପ୍ରଦାନ କରାଯାଇଛି ।
କ’ଣ କହୁଛି ଦେଶର ନିୟମ?
ଭାରତୀୟ ନାଗରିକତା ଅଧିନିୟମ, ୧୯୫୫ ଅନୁଯାୟୀ, ଭାରତର ନାଗରିକମାନଙ୍କୁ ଦୁଇ ଦେଶର ନାଗରିକତ୍ୱ ରଖିବାକୁ ଅନୁମତି ନାହିଁ । ଯଦି କୌଣସି ବ୍ୟକ୍ତିଙ୍କର ଭାରତୀୟ ପାସପୋର୍ଟ ଅଛି ଏବଂ ସେ ଅନ୍ୟ ଦେଶର ନାଗରିକତ୍ୱ ମଧ୍ୟ ହାସଲ କରନ୍ତି, ତେବେ ସେ କ୍ଷେତ୍ରରେ ତାଙ୍କୁ ତୁରନ୍ତ ଭାରତୀୟ ପାସପୋର୍ଟ ସମର୍ପଣ କରିବାକୁ ପଡିବ । ଅନ୍ୟ ଅର୍ଥରେ, ଯଦି ଜଣେ ବ୍ୟକ୍ତି ବିଦେଶରେ ରହୁଥିବା ସମୟରେ ଭାରତର ନାଗରିକତ୍ୱ ତ୍ୟାଗ କରି ଭାରତକୁ ଫେରି ଏଠାରେ ନାଗରିକ ହେବାକୁ ଚାହାଁନ୍ତି, ତେବେ ନୂତନ ଦେଶରେ ନାଗରିକତ୍ୱ ଗ୍ରହଣ କରିବା ଭଳି ସମାନ ନିୟମ ତାଙ୍କ ପାଇଁ ପ୍ରଯୁଜ୍ୟ ହେବ । ଏହି ନିୟମ ଯୋଗୁଁ ଯଦି ଜଣେ ବ୍ୟକ୍ତି ବିଦେଶରେ ରହୁଥିବା ସମୟରେ ସେ ଦେଶର ନାଗରିକ ହୁଅନ୍ତି, ତେବେ ତାଙ୍କୁ ଭାରତର ନାଗରିକତ୍ୱ ଛାଡିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ ।
ଏହା ବି ପଢ଼ନ୍ତୁ: IPL Auction ରେ ସାମିଲ ହେବେ ନାହିଁ ରାହୁଲ-ଶ୍ରେୟସ୍; ତଥାପି ହେବେ ମାଲାମାଲ!
ଏହା ବି ପଢ଼ନ୍ତୁ: ଓମିକ୍ରନ୍ ଭାରିଏଣ୍ଟ ବିରୁଦ୍ଧରେ ଭାରତରେ ଦିଆଯାଉଥିବା ଟିକା କେତେ ପ୍ରଭାବଶାଳୀ? ଜାଣନ୍ତୁ AIIMS ନିର୍ଦ୍ଦେଶକଙ୍କ ଉତ୍ତର