Monsoon Session: ନୂଆଦିଲ୍ଲୀ: ୧୦ ବର୍ଷ ଭିତରେ ଓଡ଼ିଶାର ୧ କୋଟି ୨ ଲକ୍ଷ ୭୮ ହଜାର ଲୋକ ବହୁମୂଖି ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ତଥାପି ଆମ ରାଜ୍ୟ ସମୁଦାୟ ଭାରତବର୍ଷରେ ସପ୍ତମ ଦରିଦ୍ର ରାଜ୍ୟ ବୋଲି ପରିସଂଖ୍ୟନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରୀ ଇନ୍ଦରଜିତ ସିଂହ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଲୋକସଭାରେ ରଖିଥିବା ଏକ ବିବୃତ୍ତିରେ ସେ କହିଛନ୍ତି ୨୦୦୫-୦୬ ମସିହାରୁ ନୀତି ଆୟୋଗ ଭାରତରେ ବହୁମୂଖି ଦାରିଦ୍ର୍ୟ ମାପ ପାଇଁ ବ୍ୟବସ୍ଥା କରିଛନ୍ତି। ନୀତି ଆୟୋଗଙ୍କ ରିପୋର୍ଟ ଅନୁସାରେ ବିଗତ ୧୦ ବର୍ଷ ମଧ୍ୟରେ ୨୪ କୋଟି ୮୦ ଲକ୍ଷ ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ଅର୍ଥାତ ୨୦୧୩-୧୪ ଆର୍ଥିକ ବର୍ଷରେ ସମୁଦାୟ ଜନସଂଖ୍ୟାର ୨୯.୧୭ ପ୍ରତିଶତ ଦାରିଦ୍ର୍ୟ ଭୋଗୁଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷକୁ ଏହା ୧୧.୨୮ ପ୍ରତିଶତକୁ କମିଛି। 


ନୀତି ଆୟୋଗ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଜୀବନ ଧାରଣର ମାନକୁ ବିବେଚନା କରି ବହୁମୂଖି ଦାରିଦ୍ର୍ୟ ସୂଚକାଙ୍କ ପ୍ରସ୍ତୁତ କରିଥାଆନ୍ତି। ଏଥିରେ ୧୨ଟି ଅତ୍ୟାବଶ୍ୟକ ସୂଚକାଙ୍କ ଯେମିତି ପୋଷଣ, ଶିଶୁ ମୃତ୍ୟୁହାର, ମାତୃ ସ୍ୱାସ୍ଥ୍ୟ, ସ୍କୁଲରେ ପାଠପଢା ସମୟ, ସ୍କୁଲରୁ ଉପସ୍ଥାନ, ରନ୍ଧନ ପାଇଁ ବ୍ୟବହୃତ ଇନ୍ଧନ, ପରିମଳ, ପିଇବା ପାଣି, ବିଜୁଳି, ଗୃହ, ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କର ସମ୍ପତ୍ତିର ହିସାବ ରହିଥାଏ। ଏହି ସବୁ କାରକ ସମ୍ପୃକ୍ତ ବ୍ୟକ୍ତିଙ୍କର ଦାରିଦ୍ର୍ୟର ଗଭୀରତା ଏବଂ ଯେଉଁ ସବୁ ବିଷୟରୁ ସେମାନେ ବଞ୍ଚିତ ହୋଇଛନ୍ତି ତାହା ଦର୍ଶାଇଥାଏ। 


ଲୋକସଭାରେ ଆଜି ସାଂସଦ ଅଦୂର ପ୍ରକାଶଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଶ୍ରୀ ସିଂହ ୨୦୧୩ ରୁ ୨୦୨୩ ଯାଏଁ ଦାରିଦ୍ର୍ୟ ସମ୍ପର୍କିତ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି। ଏଥିରେ କୁହାଯାଇଛି ବିହାରରେ ସବୁଠାରୁ ଅଧିକ ଗରିବୀ ରହିଛନ୍ତି। ସମୂଦାୟ ଜନସଂଖ୍ୟାର ଏହା ୩୩.୭୬ ପ୍ରତିଶତ। ବିହାର ତଳକୁ ଝାରଖଣ୍ଡରେ ୨୮.୮୧ ପ୍ରତିଶତ ଗରିବ ରହିଥିବା ବେଳେ ମେଘାଳୟରେ ୨୭.୭9 ପ୍ରତିଶତ, ଉତ୍ତରପ୍ରଦେଶରେ ୨୨.୯୩ ପ୍ରତିଶତ, ମଧ୍ୟପ୍ରଦେଶରେ ୨୦.୬୩ ପ୍ରତିଶତ ଏବଂ ଛତିଶଗଡ଼ରେ ୧୬.୩୭ ପ୍ରତିଶତ ଗରିବ ରହିଛନ୍ତି। ସବୁଠାରୁ କମ ଦରିଦ୍ର ଜନସଂଖ୍ୟା ହେଉଛନ୍ତି କେରଳରେ। ଏଠାରେ ସମୁଦାୟ ରାଜ୍ୟ ଜନସଂଖ୍ୟାର ୦.୫୫ ପ୍ରତିଶତ ବହୁମୂଖି ଦାରିଦ୍ରରେ ପୀଡିତ। ସେହିପରି ଗୋଆରେ ୦.୮୪ ପ୍ରତିଶତ, ପୁଡୁଚେରୀରେ ୦.୮୫, ଲାକ୍ଷାଦ୍ୱୀପରେ ୧.୧୧ ପ୍ରତିଶତ, ଆଣ୍ଡାମାନରେ ୨.୩୦ ପ୍ରତିଶତ, ଦିଲ୍ଲୀରେ ୩.୪୩ ପ୍ରତିଶତ ବହୁମୂଖି ଦାରିଦ୍ର୍ୟରେ ପୀଡ଼ିତ। ଓଡ଼ିଶାରେ ୧୫ ପ୍ରତିଶତରୁ ଅଧିକ ଲୋକ ବହୁମୂଖି ଦାରିଦ୍ର୍ୟରେ ପିଡିତ।