ନୂଆଦିଲ୍ଲୀ: ପ୍ରକୃତିର ଭୟଙ୍କର ତାଣ୍ଡବ ନେଇ ଯାଇଛି ଶତାଧିକ ଜୀବନ। ପପୁଆ ନ୍ୟୁ ଗିନିରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ତାସ୍‌‌ ଘର ଭଳି କୋଠା ସବୁ ଭୁଶୁଡି ଯାଇଥିବା ବେଲେ ଆଖି ବୁଜିଛନ୍ତି ଶହେରୁ ଅଧିକ ଲୋକ । ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇଯାଇଥିବା ବେଳେ ଏବେ ସୁଦ୍ଧା ୧୦୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ଦ୍ବାରା ମୃତାହତଙ୍କ ସଂଖ୍ୟା ସ୍ପଷ୍ଚ କରାଯାଇ ନାହିଁ । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିବା ବେଳେ ଅନେକ ମୃତଦେହ ଏବେବି ଚାପି ହୋଇ ରହିଥିବା ଆକଳନ କରାଯାଉଛି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ।


COMMERCIAL BREAK
SCROLL TO CONTINUE READING

ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଏଙ୍ଗା ପ୍ରଦେଶର କାଓକାଲମ ଗ୍ରାମ ନିକଟରେ ଶୁକ୍ରବାର ଭୋର୍ ପ୍ରାୟ ୩ଟା ସମୟରେ ହଠାତ ଭୂସ୍ଖଳନ ହୋଇଛି । ଭୂସ୍ଖଳନ ହେତୁ ଅନେକ ଗାଁର ଅନେକ ଘର ଧରାଶାୟୀ ହୋଇ ପଡ଼ିଛି । ଉଦ୍ଧାରକାରୀ ଦଳ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି । ଭୂସ୍ଖଳନରେ ପୋତି ହୋଇ ଯାଇଥିବା ଲୋକଙ୍କୁ ବଞ୍ଚାଇବା ଲାଗି ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରୁଛନ୍ତି । ଭୂସ୍ଖଳନ ପୂର୍ବରୁ ପପୁଆ ନ୍ୟୁ ଗିନିରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।



ଫିନ୍‌ସାଫେନ୍‌ର ୩୯ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂମିକମ୍ପ ଆସିଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୩ । ଭାରତୀୟ ସମୟ ଅନୁଯାୟୀ, ଗୁରୁବାର ସକାଳ ୯ଟା ୪୯ ମିନିଟ୍ ସମୟରେ ପପୁଆ ନ୍ୟୁଗିନିରେ ଏହି ଭୂକମ୍ପ ହୋଇଥିଲା । କିନ୍ତୁ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିଲା  ।


ତେବେ ଭୂସ୍ଖଳନ ପରେ ସୋସିଆଲ୍ ମିଡିଆରେ ଅନକେ ଭିଡିଓ ଭାଇରାଲ୍ ହେଉଛି। ଭାଇରାଲ୍ ଭିଡିଓରେ ଦେଖା ଯାଇଛି, ଲୋକମାନେ ବିରାଟ ପଥର ଉପରକୁ ଚଢିବା ସହିତ ଅଳିଆ ଗଦା ଏବଂ ଗଛ ତଳୁ ମୃତଦେହକୁ ବାହାର କରୁଛନ୍ତି । ଚାରିଆଡ଼େ କୁଢ଼ କୁଢ଼ ଶବ ଗଦା ହୋଇଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସମଗ୍ର ଅଞ୍ଚଳ । ମାଟି ଅତଡ଼ା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା ଥିବାରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ।