Hindu Doctor Murdered in Pakistan on Holi: ଗତ ମଙ୍ଗଳବାର-ବୁଧବାର ମଧ୍ୟରାତ୍ରୀରେ ପାକିସ୍ତାନ ହାଇଦ୍ରାବାଦ ସହରରେ ଜଣେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯାଇଛି। ଧରମ ଦେବ ରାଠି ନାମକ ଜଣେ ଚର୍ମରୋଗ ବିଶେଷଜ୍ଞଙ୍କୁ ହତ୍ୟା କରାଯାଇଥିବାର ଖବର ମିଳିଛି। ହିନ୍ଦୁ ଡାକ୍ତର ଧରମ ଦେବ ରାଠିଙ୍କୁ ତାଙ୍କ ଡ୍ରାଇଭର ହନିଫ ଲେଘାରୀ ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ଭିଆଇବା ପରେ ଡ୍ରାଇଭର ଜଣଙ୍କ ଫେରାର ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

କିଛି ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଛି ଯେ ମୃତ୍ୟୁ ପୂର୍ବରୁ ଡାକ୍ତର ଧରମ ଦେବ ରାଠି ତାଙ୍କ ସାଙ୍ଗଙ୍କ ସହ ହୋଲି ପାଳନ କରିଥିଲେ। ହେଲେ ତାଙ୍କ ଡ୍ରାଇଭର ହନିଫ ଲେଘାରୀ ହୋଲି ପାଳନକୁ ନେଇ ରାଗି ଯାଇଥିଲା ଏବଂ ଘରକୁ ଫେରିବା ପରେ ତାଙ୍କ ଗଳା କାଟି ଡାକ୍ତରଙ୍କୁ ହତ୍ୟା କରିଥିଲା।


ଡାକ୍ତର ଧରମ ଦେବ ରାଠି ପାକିସ୍ତାନର ହାଇଦ୍ରାବାଦସ୍ଥିତ ସିଟିଜେନ କଲୋନୀ ଠାରେ ରହୁଥିଲେ। ଏହି ଘଟଣା ଘଟିବା ସମୟରେ ତାଙ୍କ ରୋଷେୟା ଦିଲୀପ ଠାକୁର ମଧ୍ୟ ରୋଷେଇ ଘରେ ଉପସ୍ଥିତ ରହିଥିଲେ। ହେଲେ ଯେତେବେଳେ ଡ୍ରାଇଭର ଡାକ୍ତରଙ୍କୁ ହତ୍ୟା କରିଥିଲେ, ସେତେବେଳେ ରୋଷେୟା ଜଣଙ୍କ ସେହି ଘରେ ନଥିଲେ। ପରେ ସେ ସେହି ଘରେ ପହଞ୍ଚି ପୋଲିସ ଥାନାକୁ ଫୋନ କରିଥିଲେ।


ଏହି ଘଟଣାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି  ଏସଏସପି ଅମଜାଦ ଶେଖ ଏହି ହତ୍ୟାକାଣ୍ଡକୁ ନିଶ୍ଚିତ କରିଛନ୍ତି। ଏସଏସପି କହିଛନ୍ତି ଯେ ଅଭିଯୁକ୍ତ ଡ୍ରାଇଭର ହନିଫ ଲେଘାରୀକୁ ଖୋଜା ଚାଲିଛି। ଡାକ୍ତରଙ୍କ ରୋଷେୟା ଦିଲୀପ ଠାକୁର ପୋଲିସକୁ କହିଥିଲେ ଯେ ଯେତେବେଳେ ହୋଲି ପାଳିବା ପରେ ଡାକ୍ତର ଧରମ ଦେବ ରାଠି ଘରକୁ ଫେରିଥିଲେ, ସେତେବେଳେ ଡ୍ରାଇଭର ହନିଫ ତାଙ୍କ ସହ ଦୀର୍ଘ ସମୟ ଧରି ଯୁକ୍ତିତର୍କ କରିଥିଲା।


ଡନ୍ ନ୍ୟୁଜ ରିପୋର୍ଟ ଅନୁସାରେ ଡାକ୍ତର ଧରମ ଦେବ ରାଠିଙ୍କ ହତ୍ୟା ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ତାଙ୍କ ଡ୍ରାଇଭର ହନିଫ ଲେଘାରୀକୁ ଖୋଜୁଛି। ଡ୍ରାଇଭର ଗିରଫ ହେବା ପରେ ଯାଇ ପ୍ରକୃତ କାରଣ ଜଣାପଡିବ। ହତ୍ୟା ପରେ ଆତଙ୍କିତ ହୋଇଉଠିଥିବା ରୋଷେୟା ଦିଲୀପ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହନିଫ ଲେଘାରୀକୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି।


ଏକ ଗଣମାଧ୍ୟମ ରିପୋର୍ଟ ଜରିଆରେ କୁହାଯାଇଛି ଯେ ଡାକ୍ତର ଧରମ ଦେବ ରାଠି ତାଙ୍କ ଘରେ ଏକୁଟିଆ ରହୁଥିଲେ। ତାଙ୍କର ଦୁଇ ସେବକ ଏବଂ ଡ୍ରାଇଭର ଥିଲେ। ସେ ଦୁଇ ବର୍ଷ ପୂର୍ବେ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ପଦରୁ ଅବସର ନେଇଥିଲେ। ତାଙ୍କ ପତ୍ନୀ ଏବଂ ପିଲା ଆମେରିକାରେ ରୁହନ୍ତି। ଡାକ୍ତର ଜଣଙ୍କ ଆଉ କିଛି ଦିନ ପରେ ଆମେରିକା ଯାଇଥାନ୍ତେ। ମୃତକ ଡାକ୍ତର ଜଣଙ୍କ ପାକିସ୍ତାନର ଅନେକ ସ୍ଥାନରେ ମେଡିକାଲ କ୍ୟାମ୍ପ ସ୍ଥାପନ କରି ଚର୍ମ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରୁଥିଲେ। ସିନ୍ଧ ସରକାର ତାଙ୍କୁ ଏକ ପୁରସ୍କାର ମଧ୍ୟ ଦେଇଥିଲେ।