Jinping Shehbaz Sharif: ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଲାଗି ଚୀନ ଗସ୍ତ କରିଛନ୍ତି ଶାହୱାଜ ସରିଫ। ବୁଧବାର ଠାରୁ ସେ ୨ ଦିନିଆ ଚୀନ୍ ଗସ୍ତରେ ଅଛନ୍ତି। ଗସ୍ତରେ ପ୍ରଥମ ଦିନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି। ମାତ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତକୁ ଆରମ୍ଭ ଲାଗିଛି ଜୋରଦାର ଝଟକା।


COMMERCIAL BREAK
SCROLL TO CONTINUE READING

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କ ସହ ବାର୍ତ୍ତାଳାପ କରିବା ବେଳେ ଦୁଇ ଦେଶ ସହ ଜଡି଼ତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ଏନେଇ ସେ କହିଛନ୍ତି ଯେ ଚୀନ, ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡ ପ୍ରକଳ୍ପ କାର୍ଯ୍ୟ ଜାରି ରଖିଛି। ହେଲେ ସିପିଇସି ପ୍ରକଳ୍ପରେ କାର୍ଯ୍ୟରତ ଚୀନ ନାଗରିକଙ୍କ ସୁରକ୍ଷାକୁ ବିପଦରେ ରହିଛି। ପାକିସ୍ତାନରେ ଚୀନ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କ ଉଦ୍ଦେଶ୍ୟରେ କହିଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ। ଏନେଇ ଉଦବେଗ ପ୍ରକାଶ କରି ରାଷ୍ଟ୍ରପତି କହିଛନ୍ତି ଚୀନ ନାଗରିକଙ୍କ ପାଇଁ ପାକିସ୍ତାନରେ ଏକ ନିରାପଦ ପରିବେଶର ଆବଶ୍ୟକତା ରହିଛି। 


ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ ପାକିସ୍ତାନ-ଚୀନ ଚିର ସବୁଜ ବନ୍ଧୁତା ଏବଂ ୬୦ ବିଲିୟନ ଡଲାର ମୂଲ୍ୟର ସିପିଇସି ପ୍ରକଳ୍ପକୁ ଆହୁରି ମଜବୁତ କରିବାକୁ ରାଜି ହୋଇଛନ୍ତି। ପାକିସ୍ତାନର ସର୍ବକାଳୀନ ବନ୍ଧୁ ଚୀନ୍ କହିଛି ଯେ  ଏହାର ଆର୍ଥିକ ସ୍ଥିତିକୁ ସ୍ଥିର କରିବା ପାଇଁ ସମର୍ଥନ ପ୍ରଦାନ କରିବା ଜାରି ରଖିବ। ପାକିସ୍ତାନର ଆର୍ଥିକ ସ୍ଥିତିକୁ ସ୍ଥିର କରିବା ପାଇଁ ଚୀନ ସମସ୍ତ ପ୍ରକା ସହଯୋଗ  ଦେବା ଜାରି ରଖିବ। ଚୀନ୍-ପାକିସ୍ତାନ ସିପିଇସି  ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସହ ଗ୍ୱାଦର ସାଗର ବନ୍ଦର ପାଇଁ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ସହମତି ଜଣାଇଛନ୍ତି। ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର ସମେତ ବିଭିନ୍ନ ପ୍ରସଙ୍ଗରେ ରଣନୀତିକ ଭାଗିଦାରୀକୁ ଆହୁରି ଅଧିକ ମଜବୁତ କରିବାକୁ ରାଜି ହୋଇଛନ୍ତି ଉଭୟ ଦେଶ। ଆଞ୍ଚଳିକ ସହଯୋଗ ସହ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ ବ୍ୟତୀତ ଅର୍ଥନୀତି ଏବଂ ପୁଞ୍ଜି ବିନିଯୋଗରେ ବ୍ୟାପକ ସହଯୋଗ ବାବଦରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ସରିଫ ଏବଂ ରାଷ୍ଟ୍ରପତି ଜିନପିଙ୍ଗ।


ବୁଧବାର ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଗ୍ରେଟ ହଲ୍ସ ଅଫ ପିପୁଲ ଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କୁ ଭେଟିଥିଲେ। ନିକଟରେ ଦ୍ୱିତୀୟ ଥର ଲାଗି ପୁନର୍ବାର ଚୀନ ରାଷ୍ଟ୍ରମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଜିନପିଙ୍ଗ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫ ହେଉଛନ୍ତି ପ୍ରଥମ ରାଷ୍ଟ୍ରମୁଖ୍ୟ ଯିଏ  ପୁନର୍ବାର ଚୀନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଜିନପିଙ୍ଗଙ୍କୁ ଭେଟିଛନ୍ତି। ଦ୍ୱିତୀୟ ଥର ଲାଗି ଦେଶର ରାଷ୍ଟ୍ରମୁଖ୍ୟ ଭାବେ ନିର୍ବାଚିତ ହେବା ପରେ ରାଷ୍ଟ୍ରପତି ଜିନପିଙ୍ଗ ସିପିଇସି ପ୍ରକଳ୍ପରେ କାମ କରୁଥିବା ଚୀନ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇଉଠିଛନ୍ତି। ବିଗତ କିଛି ଦିନ ମଧ୍ୟରେ ପାକିସ୍ତାନ ମାଟିରେ ସକ୍ରିୟ ରହିଥିବା ବାଲୁଚ ନ୍ୟାସନାଲିଷ୍ଟ ଆର୍ମି ତଥା ଅନ୍ୟ ଉଗ୍ରବାଦୀ ଗୋଷ୍ଠୀ ଦ୍ୱାରା ଦେଶରେ କାର୍ଯ୍ୟ କରୁଥିବା ଚୀନ୍  ନାଗରିକଙ୍କ ଉପରେ ଆକ୍ରମଣ କରାଯାଉଛି।  ଏହି ଘଟଣା କାରଣରୁ ଚୀନ-ପାକିସ୍ତାନ ସମ୍ପର୍କରେ ଫାଟ ସୃଷ୍ଟ ହେବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପାକିସ୍ତାନରେ ଚୀନ ନାଗରିକଙ୍କ ସୁରକ୍ଷାକୁ ନେଇ ମୁଁ ଗଭୀର ଭାବେ ଚିନ୍ତିତ। ଆଶା କରୁଛି ଯେ ପାକିସ୍ତାନ ଚୀନ୍ ଅନୁଷ୍ଠାନ ତଥା ସହଯୋଗ ପାଇଁ ପାକିସ୍ତାନ ଗସ୍ତ କରୁଥିବା ଲୋକଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ସୁରକ୍ଷିତ ଏବଂ ନିରାପଦ ପରିବେଶ ପ୍ରଦାନ କରିବ। 


ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ଶାହୱାଜ ସରିଫଙ୍କ ପ୍ରଥମ ଚୀନ୍ ଗସ୍ତ। ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ଚୀନ ରାଷ୍ଟ୍ରପତିଙ୍କ ସହ ତାଙ୍କର ଦ୍ୱିତୀୟ ସାକ୍ଷାତକାର। ସେ ଗତ ମାସରେ ଉଜବେକିସ୍ତାନ ସମରକନ୍ଦ ଠାରେ ଅନୁଷ୍ଠିତ ହୋଇଥିବା ସାଂଘାଇ ସହଯୋଗ ସଙ୍ଗଠନ ବୈଠକରେ ପରସ୍ପରକୁ ଭେଟିଥିଲେ ଚୀନ-ପାକିସ୍ତାନ ରାଷ୍ଟ୍ରମୁଖ୍ୟ। ସମରକନ୍ଦ ଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ସାକ୍ଷାତକାର ଚୀନ ରାଷ୍ଟ୍ରପତି ଚୀନୀ ନାଗରିକଙ୍କ ସୁରକ୍ଷାକୁ ଦେବାକୁ କହିଥିଲେ। ଯେଉଁମାନେ ସିପିଇସି ପ୍ରକଳ୍ପରେ କାର୍ଯ୍ୟରତ ଅଛନ୍ତି। ବାରମ୍ବାର ପାକିସ୍ତାନ ମାଟିରେ  ଚୀନୀ ନାଗରିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ସରକାର। ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଚୀନ୍ ସୁରକ୍ଷା ଏଜେନ୍ସି ଅନୁମତି ଦେବା ପାଇଁ  ପାକିସ୍ତାନ ଉପରେ ଚାପ ପକାଇବାରେ ଲାଗିଛି।